ଭୋପାଲର ରୟାଲ ଫାର୍ମ ଭିଲ୍ଲା କଲୋନୀର ଫ୍ଲାଟ ନମ୍ବର ୩୦୭ର କରିଡରରେ ଅସମ୍ଭବ ନୀରବତା। ଏକଦା ଭଟନାଗର ପରିବାରକୁ ଆଲୋକିତ କରୁଥିବା ଆଲୁଅ ସତେ ଯେମିତି ଧିମେଇ ଯାଇଛି। ଦାଉ ଦାଉ ହୋଇ ଜଳୁଥିବା ଆଲୁଅର ସ୍ଥାନ ନେଇଛି ଜଳିବାକୁ ସଂଘର୍ଷ କରୁଥିବା ଗୋଟିଏ ଦୀପ। ସେ ମଧ୍ୟ ନିଆଁକୁ ନିଜ ପାଖରେ ବାନ୍ଧି ରଖିବାକୁ ବେଶ କଷ୍ଟ କରୁଛି।
ସୋମବାର ରାତିରେ ଏଠାରେ ଯାହା ଘଟିଛି, ତାହା କେବଳ ଗୋଟିଏ ଟ୍ରାଡେଜି ନଥିଲା ବରଂ ଗୋଟିଏ ହୃଦୟବିଦାରକ ଘଟଣା ଥିଲା। ଯେତେବେଳେ ସିଷ୍ଟମ ଫେଲ ମାରିଯାଏ ଓ ଭାବନାର ପ୍ରଭାବ ବଢ଼ିଯାଏ ସେତେବେଳେ କ’ଣ ହୁଏ, ସେକଥା ସମସ୍ତେ ଦେଖିଛନ୍ତି।
ସୋମାବର ରାତି ପ୍ରାୟ ୧୦। ହୋଶଙ୍ଗାବାଦ ରାସ୍ତାରେ ଜୋରରେ ପବନ ବହିଥିଲା। ଲାଗୁ ଥିଲା ଭୟଙ୍କର ବର୍ଷା ମାଡ଼ି ଆସୁଛି। ଜୋରରେ ପବନ ବହିବାରୁ ପୂରା କଲୋନୀ ଅନ୍ଧକାର ମଧ୍ୟକୁ ଚାଲି ଯାଇଥିଲା। ଏତିକି ବେଳେ କଲୋନୀର ଗୋଟିଏ ଆପାର୍ଟମେଣ୍ଟରେ ରହୁଥିବା ୫୧ ବର୍ଷୀୟ ଋଷିରାଜ ଭଟନାଗର ନିଜର ୮ ବର୍ଷର ସାନ ପୁଅ ଦେବାଂଶଙ୍କୁ ଲିଫ୍ଟକୁ ନିଜ ଫ୍ଲାଟ ଆଡ଼କୁ ନେବାକୁ କହୁଥିଲେ। କିନ୍ତୁ ଦେବାଂଶ ଲିଫ୍ଟ ଭିତରେ ପାଦ ରଖିବା କ୍ଷଣି ବିଜୁଳି ଚାଲି ଯାଇଥିଲା। ଲିଫ୍ଟ ଅଧା ବନ୍ଦ ହୋଇ ଅଟକି ଯାଇଥିଲେ। ଭିତରେ ଫସି ଯାଇଥିଲେ ୮ ବର୍ଷର ଦେବାଂଶ।
ବାପା ବାପା ବୋଲି ଚିତ୍କାର କରି କାନ୍ଦିବାକୁ ଲାଗିଥିଲେ ଦେବାଂଶ। ତାଙ୍କର ସ୍ୱର ଅଟକି ରହିଥିବା ଲିଫ୍ଟର ଫାଙ୍ଖରେ ଧୀରେଧୀରେ ଶୁଭୁଥିଲା। ଏହାକୁ ଜଣେ ବାପା ନିଜ ଆଖିରେ ଦେଖୁଥିବାରୁ ସେ ପୁଅକୁ ବଞ୍ଚାଇବାକୁ ସବୁ ପ୍ରକାରର ଉଦ୍ୟମ ଆରମ୍ଭ କରିଥିଲେ। ତାଙ୍କ ଛାତିର ଧକଧକ ବଢ଼ି ଯାଇଥିବା ବେଳେ ପାଦ ଥରିବାକୁ ଲାଗିଥିଲା। ସେହି ଅବସ୍ଥାରେ ସେ ପାହାଚରେ ତଳକୁ ଯାଇ ଜେନେରେଟର ରୁମ ଆଡ଼କୁ ଦୌଡ଼ି ଥିଲେ। ସେ ଲିଫ୍ଟକୁ ଚାଲୁ କରିବାକୁ ଚେଷ୍ଟା କରିଥିଲେ। ୩ ମିନିଟ ମଧ୍ୟରେ ବିଜୁଳି ଚାଲି ଆସିଥିଲା। ଲିଫ୍ଟ ଚାଲିଥିଲା ଓ ଦେବାଂଶ ସୁରକ୍ଷିତ ଭାବେ ବାହାରକୁ ଆସିଥିଲେ।
କିନ୍ତୁ ସେତେବେଳେକୁ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ବାପା ଟଳି ପଡ଼ିଥିଲେ। ତାଙ୍କୁ ଦିଆଯାଇଥିବା ସିପିଆର ଫେଲ ମାରିଥିଲା। ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତରମାନେ ଋଷିରାଜଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁ ଦୁର୍ଘଟଣା ନୁହେଁ, ବରଂ ଜଣେ ଆବେଗ ଭରା ବାପାର ଚିନ୍ତା ପାଇଁ ହୋଇଛି। ପୁଅ କଥା ଭାବି ସେ ପର ପାରିକୁ ଚାଲି ଯାଇଛନ୍ତି।
ସୋମବାର ଦିନ ସକାଳେ ଋଷିରାଜଙ୍କ ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ପତ୍ନୀ ପାରୁଲ ପବିତ୍ର ବର ଗଛ ତଳେ ପୂଜା କରିଥିଲେ। ସେ ସାବିତ୍ରୀ ଉପବାସ କରିଥିଲେ। ସ୍ୱାମୀଙ୍କ ଲମ୍ବା ଆୟୁଷ ପାଇଁ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ। କିନ୍ତୁ ସେ ଯାହା ପାଇଁ ଏତେ ସବୁ କରିଥିଲେ ସେହି ବ୍ୟକ୍ତି ଜଣଙ୍କ ରାତିରେ ତାଙ୍କୁ ସବୁଦିନ ପାଇଁ ଏକା କରି ଚାଲି ଯାଇଛନ୍ତି।
ଭଟନାଗର ପରିବାର ପାଇଁ ଏପରି ଦୁଃଖ ୩ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଆସିଛି। ପରବାରର ମେରୁଦଣ୍ଡ ସାଜିଥିବା ଋଷିରାଜଙ୍କ ବାପା ହାର୍ଟ ଆଟାକରେ ପ୍ରାଣ ହରାଇଥିଲେ। ସେ ସନ୍ଧ୍ୟା ବେଳେ ଚା’ ପିଇବା ପରେ ହୃଦଘାତର ଶିକାର ହୋଇଥିଲେ। ଏବେ ଋଷିରାଜ ତାଙ୍କ ପୁଅଙ୍କୁ ଛାଡ଼ି ଚାଲି ଯାଇଛନ୍ତି।
ଋଷିରାଜ ଜଣେ ସମ୍ପତ୍ତି ଡିଲର ଓ ବୀମା ପରାମର୍ଶଦାତା ଭାବେ କାମ କରୁଥିଲେ। ସେ କଲୋନୀର ରକ୍ଷାଣବେକ୍ଷଣ ଓ ଦୈନନ୍ଦିନ କାର୍ଯ୍ୟକଥା ବୁଝୁଥିଲେ। ବିନା ଅଭିଯୋଗରେ ସବୁ ଦାୟିତ୍ୱ ନେଉଥିବା ଜଣେ ବ୍ୟକ୍ତି ଥିଲେ ଋଷିରାଜ। ତାଙ୍କୁ କଲୋନୀରେ ସମସ୍ତେ ଭଲ ପାଆନ୍ତି।
ତାଙ୍କ ପଡ଼ୋଶୀ ଓ ଘଟଣା ବେଳେ ଉପସ୍ଥିତ ଥିବା ବିବେକ ସିଂହ କହିଛନ୍ତି, “ସେ ବାରମ୍ବାର ତଳ ଉପର ହୋଇ ଯଥାଶୀଘ୍ର ଜେନେରେଟର ଚାଲୁ କରିବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ସେ ତଳେ ପଡ଼ି ଯାଇଥିଲେ। ମୋ ଭଉଣୀ ତାଙ୍କୁ ସିପିଆର ଦେଇଥିଲେ। କିନ୍ତୁ ସେତେବେଳକୁ ବହୁ ବଳିମ୍ବ ହୋଇ ସାରିଥିଲା।”
କଲୋନୀର ଆଉ ଜଣେ ସଦସ୍ୟ କହିଛନ୍ତି, “ଜେନେରେଟର ବ୍ୟାକଅପରେ ବିଳମ୍ବ ହୋଇଥିଲା। ସେ ପୂରା ଆତଙ୍କିତ ହୋଇଯାଇଥିଲେ। ଆମେ ଯଦିଓ ତାଙ୍କୁ ହସ୍ପିଟାଲ ନେଇଥିଲୁ, ତାଙ୍କୁ ବଞ୍ଚାଇବା ସକ୍ଷମ ହୋଇନି।”
ମିସରୋଡ ପୁଲିସ୍ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି। ତଦନ୍ତ ଦାୟିତ୍ୱରେ ଥିବା ମନୀଷ ରାଜ ଭଦୋରିଆ କହିଛନ୍ତି, ବୈଷୟିକ ତ୍ରୁଟି ଓ ଜେନେରେଟର ଚାଲୁ ଏବେ ପୁଲିସ୍ ତଦନ୍ତର ଫୋକସରେ ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଜଣେ ପିଲା ଲିଫ୍ଟରେ ଫସି ଯାଇଥିଲେ ଓ ତାଙ୍କ ବାପା ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବ୍ୟକ୍ତି ଜଣଙ୍କ ଟଳି ପଡ଼ିଥିଲେ। ତଦନ୍ତ ବେଳେ ସବୁ ଦିଗକୁ ବିଚାରକୁ ନିଆଯିବ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।