Advertisment

ମୋତେ ବ୍ଲାକ୍‌ମେଲ୍‌ କରାଯାଉଛି...ଏଫ୍‌ଆଇଆର୍‌ ରୁଜୁ କଲେ ପ୍ରଜ୍ଜ୍ୱଳଙ୍କ ଭାଇ

ସୂରଜ ରେଭାନ୍ନା ଓ ତାଙ୍କ ଘନିଷ୍ଠ ଶିବକୁମାର କର୍ଣ୍ଣାଟକର ହୋଲେନରସିପୁରା ପୁଲିସରେ ଅଭିଯୋଗ କରିଛନ୍ତି।

author-image
Madhupriya Mistry
Suraj Revanna

Suraj Revanna

'୩ କୋଟି ଦିଅ। ନହେଲେ ଯୌନ ନିର୍ଯାତନା ଅଭିଯୋଗରେ ଫାସାଇଦେବୁ।' ଏଭଳି କିଛି ଧମକ ଦେଇ ବ୍ଲାକମେଲିଂ କରାଯାଉଥିବା ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକର ଜେଡିଏସ୍‌ ପୂର୍ବତନ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ତଥା ଏମ୍‌ଏଲ୍‌ସି ସୂରଜ ରେଭାନ୍ନା। ଏନେଇ ସେ ପୁଲିସରେ ଏଫଆଇଆର୍‌ ରୁଜୁ କରିଛନ୍ତି।

Advertisment

ଏଫ୍ଆଇଆର୍ ଅନୁଯାୟୀ ଅଭିଯୁକ୍ତମ‌ାନେ ଟଙ୍କ‌ା ଦାବି କରି ବ୍ଲାକମେଲିଂ କରୁଛନ୍ତି। ଯଦି ସୂରଜ ଟଙ୍କା ନଦିଅନ୍ତି ତେବେ ତାଙ୍କ ବିରୋଧରେ ମିଥ୍ୟା ଯୌନ ନିର୍ଯାତନା ଅଭିଯୋଗ ଆଣି ତାଙ୍କୁ ବଦନାମ କରିବାକୁ ଧମକ ଦେଇଛନ୍ତି ଅଭିଯୁକ୍ତ। ଏନେଇ ସୂରଜ ରେଭାନ୍ନା ଓ ତାଙ୍କ ଘନିଷ୍ଠ ଶିବକୁମାର କର୍ଣ୍ଣାଟକର ହୋଲେନରସିପୁରା ପୁଲିସରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ହୋଲେନାରସିପୁରା ପୁଲିସ ଶୁକ୍ରବାର ଦିନ ଚେତନ କେ.ଏସ୍ ଏବଂ ତାଙ୍କ ଭିଣେଇଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ଯୌନ ନିର୍ଯାତନା ଅଭିଯୋଗରେ ଚେତନ ମଧ୍ୟ ସୂରଜ ରେଭାନ୍ନାଙ୍କ ବିରୋଧରେ ପୁଲିସରେ ଅଭିଯୋଗ ଆଣିଥିଲେ।

Advertisment

ଅଭିଯୁକ୍ତ ଚେତନ ପ୍ରଥମେ ଶିବକୁମାରଙ୍କ ସହ ବନ୍ଧୁତା କରିଥିଲେ ଏବଂ ଆର୍ଥିକ ଅସୁବିଧା ଦର୍ଶାଇ ଚାକିରିଟିଏ କରାଇ ଦେବାକୁ ସାହାଯ୍ୟ ମାଗିଥିଲେ। ସମ୍ପ୍ରତି ଲୋକସଭା ନିର୍ବାଚନ ସମୟରେ ଶିବକୁମାର ଚେତନଙ୍କୁ ରେଭାନ୍ନାଙ୍କ ସହ ପରିଚିତ କରାଇବାକୁ ରାଜି ହୋଇଥିଲେ। ପରେ ସେ 'ସୂରଜ ରେଭାନ୍ନା ବ୍ରିଗେଡ' ପାଇଁ କାମ କରିଥିଲେ।

ଜୁନ୍ ୧୭ ତାରିଖରେ, ଚେତନ ଶିବକୁମାରଙ୍କୁ ପରିବାର ଚଳାଇବା ପାଇଁ ଟଙ୍କା ମାଗିଥିଲେ। କିନ୍ତୁ ସେ ଏହି ଟଙ୍କା ଦେବା ପାଇଁ ମନା କରିଦେଇଥିଲେ। ଏହା ପରେ ଚେତନ ରେଭାନ୍ନା ଏବଂ ତାଙ୍କ ପରିବାରକୁ ସେ ବଦନାମ କରିବାକୁ ଧମକ ଦେଇଥିଲେ। ଯଦି ସେ କରିଥିବା ୩ କୋଟି ଟଙ୍କାର ଦାବି ପୂରଣ ନହୁଏ ତେବେ ସୂରଜ ରେଭାନ୍ନାଙ୍କ ବିରୋଧରେ ସେ ଯୌନ ଶୋଷଣ ଅଭିଯୋଗ କରିବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି।

ଶିବକୁମାରଙ୍କ କହିବା ଅନୁସାରେ ଅଭିଯୁକ୍ତ ଚେତନ ପ୍ରଥମେ ୫ କୋଟି ଟଙ୍କା ଦାବି କରିଥିଲେ। ପରେ ସେ ଏହାକୁ କମାଇ ୩ କୋଟି ଟଙ୍କା କରିଥିଲେ। ପୁଲିସ ଚେତନ ଏବଂ ତାଙ୍କ ଭିଣେଇଙ୍କ ବିରୋଧରେ ଧାରା ୩୮୪ (ନିର୍ଯାତନା), ୫୦୬ (ଅପରାଧିକ ଧମକ) ଏବଂ ୩୪ (ଷଡଯନ୍ତ୍ରରେ ଅନ୍ୟମାନଙ୍କୁ ଜଡିତ) ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। 

ସୂରଜ ରେଭାନ୍ନା ହେଉଛନ୍ତି ଅଶ୍ଳୀଳ ଭିଡିଓ ଓ ଯୌନ ନିର୍ଯାତନା ମାମଲାରେ ବନ୍ଧା ହୋଇଥିବା ଜେଡିଏସ୍‌ର ପୂର୍ବତନ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ସାନ ଭାଇ। 

Karnataka JDS Prajwal Revanna Suraj Revanna