/odisha-reporter/media/media_files/2025/10/31/dularchand-2025-10-31-11-16-16.jpg)
ଦୁଲାରଚାନ୍ଦ ଯାଦବ (ଫାଇଲ ଫଟୋ)
ବିହାର ନିର୍ବାଚନ(Bihar Election)ପୂର୍ବରୁ ମୁଣ୍ଡ ଗଡ଼ିଛି। ଗୁରୁବାର ପ୍ରଶାନ୍ତ କିଶୋର(ପିକେ)ଙ୍କ ଜନ ସୂରଜ ପାର୍ଟିର ଜଣେ ନେତାଙ୍କୁ ନିର୍ବାଚନ ପ୍ରଚାର ବେଳେ ଗୁଳି କରି ହତ୍ୟା କରାଯାଇଛି। ଜନ ସୂରଜ ପାର୍ଟିର କର୍ମୀ ଦୁଲାରଚାନ୍ଦ ଯାଦବଙ୍କ ହତ୍ୟାକାଣ୍ଡକୁ ନେଇ ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇପଡ଼ିଛି ବିହାର।
ଗୁଳି ମାଡ଼ରେ ପ୍ରାଣ ହରାଇଥିବା ଯାଦବ ଏକଦା ମୋକାମା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏବେ ସେ ପିକେଙ୍କ ଦଳର ଜଣେ ପ୍ରାର୍ଥୀଙ୍କ ପାଇଁ ତାରାତର ଗାଁରେ ପ୍ରଚାର କରୁଥିବା ବେଳେ ଗୁଳି ମାଡ଼ରେ ଆଖି ବୁଜିଛନ୍ତି। ପୁଲିସ୍ର କହିବା କଥା ଯେ ପ୍ରଥମେ ଯାଦବଙ୍କ ଗୋଡ଼କୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ।
ଗୁଳି ମାଡ଼ ଯୋଗୁ ସେ ତଳେ ପଡ଼ି ଯାଇଥିଲେ। ଏହାପରେ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିଲା। ପୁଲିସ୍ ଏବେ ଘଟଣାର ସବୁ ଦିଗ ଉପରେ ତଦନ୍ତ କରୁଛି ଓ ଅଧିକ ସୂଚନା ମିଳିବା ପରେ ବିସ୍ତୃତ ତଥ୍ୟ ଦିଆଯିବ ବୋଲି ବାଧା ଏଡିପିଓ ଅଭିଷେକ ସିଂହ କହିଛନ୍ତି।
ପାଟନା ଜିଲ୍ଲା ପ୍ରଶାସନ ପକ୍ଷରୁ ସୋଶାଲ ମିଡିଆରେ ଶେୟାର କରାଯାଇଥିବା ବିବୃତିରେ କୁହାଯାଇଛି ଯେ ଦୁଲାରଚାନ୍ଦ ଯାଦବ ସନ୍ଦେହଜନକ ଭାବେ ପ୍ରାଣ ହରାଇଛନ୍ତି। ଦୁଇ ପ୍ରାର୍ଥୀଙ୍କ ସମର୍ଥକମାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ବେଳେ ଏପରି ଘଟଣା ଘଟିଛି। ଯାଦବଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିଲା। ଏବେ ତାଙ୍କ ମୃତ୍ୟୁ ଘଟଣାରେ ପୁଲିସ୍ ବିଭିନ୍ନ ସ୍ଥାନରେ ରେଡ ଜାରି ରଖିଛି। ଏବେ ଶବବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରାଯାଉଛି।
ଘଟଣା ବେଳେ ଜେଡିୟୁ ପ୍ରାର୍ଥୀ ଅନନ୍ତ ସିଂହ ସେଠାରେ ପ୍ରଚାର କରୁଥିଲେ। ସେ କହିଛନ୍ତି ଯେ ଏପରି ଆକ୍ରମଣ ଆରଜେଡିର ପୂର୍ବତନ ସାଂସଦ ସୂରଜଭାନ ସିଂହଙ୍କ କରାଇଛନ୍ତି। ସୂରଜଭାନ ହେଉଛି ଆରଜେଡିର ବିଧାୟକ ପ୍ରାର୍ଥୀ ବୀଣା ଦେବୀଙ୍କ ସ୍ୱାମୀ। ସେ ଅନନ୍ତ ସିଂହଙ୍କ ବିରୋଧରେ ଛିଡ଼ା ହୋଇଛନ୍ତି।
ଅନନ୍ତ ସିଂହ କହିଛନ୍ତି, “ଆମେ ଲୋକମାନଙ୍କୁ ଭେଟୁଥିଲୁ ଓ ଆମକୁ ଭୋଟ ଦେବାକୁ କହୁଥିଲୁ। ଏହି ସମୟରେ ଆଉ ଜଣେ ପ୍ରାର୍ଥୀଙ୍କ ସମର୍ଥକମାନେ ମୁରଦାବାଦ ନାରା ଦେଇଥିଲେ। ମୁଁ ମୋ ସମର୍ଥକମାନଙ୍କୁ ଏହାର ଜବାବ ନ ଦେଇ ଆଗକୁ ବଢ଼ିବାକୁ କହିଥିଲି। ମୋ ପଛରେ ମୋର କିଛି ଗାଡ଼ି ଥିଲା।
ସୂରଜଭାନ ମାରପିଟ କରିବାକୁ ପୂରା ଯୋଜନା କରିଥିଲେ ଓ ତାଙ୍କ ଲୋକମାନେ ଆମ ଗାଡ଼ି ଉପରେ ଆକ୍ରମଣ କରି ଦେଇଥିଲେ। ଦୁଲାରଚାନ୍ଦ ଯାଦବ ସେମାନଙ୍କ ମଧ୍ୟରୁ ପ୍ରଥମେ ଆକ୍ରମଣ କରିଥିଲେ। ମୋ ସମର୍ଥକମାନଙ୍କ ଗାଡ଼ିଗୁଡ଼ିକୁ ଭଙ୍ଗା ଯାଇଥିଲା। ପୂରା ଖେଳ ସୂରଜଭାନ ସିଂହ ଖେଳିଛନ୍ତି।”
ଘଟଣା ଉପରେ ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର(Prashant Kishor) କହିଛନ୍ତି ଯେ “ଦୁଲାରଚାନ୍ଦ ଯାଦବଙ୍କୁ ଗୁଳି କରାଯାଇଥିବା ଖବର ମିଳିଛି। ଲୋକମାନେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି। ବର୍ଷାରେ ଆପଣ ଭିଡ଼ ଦେଖନ୍ତୁ। ପରିବର୍ତ୍ତନର ସଂକଳ୍ପ ନେଇ ୫୦ ଲକ୍ଷ ଯୁବ ନିଜ ନିଜ ଗାଁକୁ ଫେରିଛନ୍ତି। ୧୪ ତାରିଖରେ ବିହାର ନୂଆ ସୂର୍ଯ୍ୟକୁ ଦେଖିବ।”
ଆରଜେଡି ନେତା ତେଜସ୍ୱୀ ଯାଦବ ହିଂସା ଘଟଣାକୁ ନିନ୍ଦା କରିଛନ୍ତି। ନିର୍ବାଚନ ବେଳେ ସବୁ ରାଜନୀତିକ ଦଳ ଶାନ୍ତି ବଜାୟୀ ରଖିବା ଦରକାର ବୋଲି ସେ କହିଛନ୍ତି। ଘଟଣା ପରେ ମୋକାମାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେଉଁ ପରିସ୍ଥିତିରେ ଘଟଣା ଘଟିଲା, ତା’ର ତଦନ୍ତ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
