/odisha-reporter/media/post_attachments/uploadimage/library/16_9/16_9_0/Tech_1756454652.jpg)
Tech
ପୁଣି ଗୋଟିଏ ଯୌତୁକ ନିର୍ଯାତନା ମାମଲା। ନିର୍ଯାତନା ସହି ନ ପାରି ଝୁଲି ପଡ଼ିଲେ ଜଣେ ୨୭ ବର୍ଷୀୟ ମହିଳା। ଦକ୍ଷିଣ ବେଙ୍ଗାଲୁରୁରୁ ଏପରି ଏକ ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଲିସ୍ ପକ୍ଷରୁ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତ ଜଣଙ୍କ ପୂର୍ବରୁ ସଫ୍ଟୱେୟାର କମ୍ପାନୀରେ ଚାକିରି କରୁଥିଲେ। ହେଲେ ଚାକିରି ଛାଡ଼ି ସେ ଗୁପଚୁପ ବ୍ୟବସାୟ ଆରମ୍ଭ କରିଥିଲେ। ମହିଳା ଜଣଙ୍କ ମଧ୍ୟ ପୂର୍ବରୁ ଇନଫୋସିସରେ ଚାକିରି କରିଥିଲେ। ହେଲେ ଯୌତୁକ ନିର୍ଯାତନା ଯୋଗୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ମୃତକ ଜଣଙ୍କ ହେଲେ ୨୭ ବର୍ଷୀୟ ଶିଳ୍ପା। ସେ ପ୍ରାୟ ୩ ବର୍ଷ ତଳେ ପ୍ରବୀଣ ନାମକ ଯୁବକଙ୍କୁ ବିବାହ କରିଥିଲେ। ପ୍ରବୀଣ ପୂର୍ବରୁ ଓରାକିଲ ଇଞ୍ଜିନିୟର ଭାବେ ଚାକିରି କରିଥିଲେ। କିନ୍ତୁ ଗୁପଚୁପ ବ୍ୟବସାୟ କରିବାକୁ ସେ ଚାକିରି ଛାଡ଼ି ଦେଇଥିଲେ।
ପ୍ରବୀଣ ଓ ଶିଳ୍ପାଙ୍କ ଜଣେ ଦେଢ଼ ବର୍ଷର ପୁଅ ରହିଛନ୍ତି। ହୁବାଲ୍ଲିର ମୂଳବାସିନ୍ଦା ଶିଳ୍ପା ବାହାଘର ପୂର୍ବରୁ ଇନଫୋସିସରେ ଚାକିରି କରିଥିଲେ। ହେଲେ ବାହାଘର ପରେ ସେ ଚାକିରି ଛାଡ଼ି ଦେଇଥିଲେ। ମୃତ୍ୟୁ ବେଳକୁ ଶିଳ୍ପା ଗର୍ଭବତୀ ଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।
ଶିଳ୍ପାଙ୍କ ପରିବାର ଲୋକଙ୍କ ଅଭିଯୋଗ
ଶିଳ୍ପାଙ୍କ ଦାଦା ଅଭିଯୋଗ କରିଛନ୍ତି ଯେ ଏହା ଏକ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା। ଶିଳ୍ପା ୩ ବର୍ଷ ତଳେ ବାହା ହୋଇଥିଲେ। ତାଙ୍କର ଗୋଟିଏ ପୁଅ ରହିଥିବା ବେଳେ ଏବେ ସେ ପୁଣି ଗର୍ଭବତୀ ହୋଇଥିଲେ। କିଛି ଦିନ ପୂର୍ବରୁ ଶିଳ୍ପା ଓ ପ୍ରବୀଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଦୁଇ ପରିବାର ଏକାଠି ବସି ବିବାଦର ସମାଧାନ କରିଥିଲେ ଓ ୪ ମାସ ତଳେ ଶିଳ୍ପା ଶାଶୁ ଘରକୁ ଯାଇଥିଲା। ଯଦି ସେମାନେ ଶିଳ୍ପାଙ୍କୁ ରଖିବାକୁ ଚାହୁଁ ନଥିଲେ, ତା’ହେଲେ ବାପ ଘରକୁ ପଠାଇ ଦେଇ ପାରିଥାଆନ୍ତେ ବୋଲି ଦାଦା ଜଣଙ୍କ କୋହ ଭରା କଣ୍ଠରେ କହିଛନ୍ତି।
ଶିଳ୍ପାଙ୍କ ମୃତଦେହ ମିଳିଥିବା ସ୍ଥାନର ପାରିପାର୍ଶ୍ୱିକ ସ୍ଥିତ ଉପରେ ମଧ୍ୟ ଦାଦା ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, “ଶିଳ୍ପା ଆତ୍ମହତ୍ୟା କରିଥିବା ସେମାନେ କହୁଛନ୍ତି। କିନ୍ତୁ ଯେଉଁ ଫ୍ୟାନରେ ଶିଳ୍ପା ଝୁଲନ୍ତା ଅବସ୍ଥାରେ ଥିଲା, ସେଠାରେ କୌଣସି ଷ୍ଟୁଲ ନଥିଲା। ଫ୍ୟାନ ବହୁତ ଉପରେ ଥିବାରୁ ବିନା ଷ୍ଟୁଲରେ ଶିଳ୍ପା ସେଠାରେ ଓହଳିବାର କୌଣସି ସମ୍ଭାବନା ନାହିଁ। ସେମାନେ ତା’କୁ ହତ୍ୟା କରି ଝୁଲାଇ ଦେଇଛନ୍ତି।”
ସେ ଆହୁରି କହିଛନ୍ତି ଯେ “ଆମେ ହୁବାଲ୍ଲି ଘରକୁ ବିକ୍ରି କରି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ବାହାଘର କରିଥିଲୁ। ନିକଟରେ ଆମେ ଆଉ ୧୦ ଲକ୍ଷ ଟଙ୍କା ଦେଇଥିଲୁ। ପ୍ରବୀଣ ଜଣେ ଇଞ୍ଜିନିୟର ବୋଲି ଆମକୁ କୁହାଯାଇଥିଲା। କିନ୍ତୁ ଏବେ ସେ ଗୁପଚୁପ ବେପାର କରୁଛନ୍ତି। ସେ ଆମ ପରିବାରକୁ ମିଛ କହିଥିଲେ। ପ୍ରବୀଣ ସଫ୍ଟୱେୟାର ଇଞ୍ଜିନିୟର ହୋଇଥିବାରୁ ଆମେ ତାଙ୍କୁ ବିଶ୍ୱାସ କରିଥିଲୁ। କିନ୍ତୁ ବାହାଘର ପରେ ସେ ଚାକିରି ଛାଡ଼ି ରାସ୍ତା କଡ଼ରେ ଗୁପଚୁପ ବେପାର କରିବାରୁ ଆମେ ପୂରା ସ୍ତବ୍ଧ ହୋଇଯାଇଥିଲୁ।”
ବାହାଘର ଓ ଯୌତୁକ ଦାବି
ପୁଲିସ୍ ନିଶ୍ଚିତ କରିଛି ଯେ ଶିଳ୍ପା ୨୦୨୨ ମସିହା ଡିସେମ୍ବର ୫ରେ ପ୍ରବୀଣଙ୍କୁ ବିବାହ କରିଥିଲେ। ବାହାଘରରେ ଶିଳ୍ପାଙ୍କ ପରିବାର ଲୋକ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଅତିରିକ୍ତ ଭାବେ ୧୬୦ ଗ୍ରାମ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଆସବବାପତ୍ର ବର ଘରକୁ ଦିଅଯାଇଥିଲା। ଏତେ ସବୁ ଜିନିଷ ପରେ ମଧ୍ୟ ଶିଳ୍ପାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ପ୍ରବୀଣ ଓ ତାଙ୍କ ମା’ ଶାନ୍ତାୱା ଅଧିକ ଟଙ୍କା ବାପ ଘରୁ ଆଣିବାକୁ ନିୟମିତ ନିର୍ଯାତନା ଦେଉଥିଲେ।
ଶିଳ୍ପାଙ୍କ ମା’ ଶ୍ରଦ୍ଧା ଅଭିଯୋଗ କରିଛନ୍ତି ଯେ ୬ ମାସ ତଳେ ପ୍ରବୀଣଙ୍କ ପରିବାର ଲୋକ ନିଜର ଖାଇବା ବ୍ୟବସାୟ ପାଇଁ ୫ ଲକ୍ଷ ଟଙ୍କା ମାଗିଥିଲେ। ତୁରନ୍ତ ଏହି ଦାବି ପୂରଣ ନ ହେବାରୁ ସେମାନେ ଶିଳ୍ପାଙ୍କୁ ମାଡ଼ ମାରିଥିଲେ ଓ ବାପ ଘରକୁ ପଠାଇ ଦେଇଥିଲେ। ଏହାପରେ ପରିବାର ଲୋକ ଟଙ୍କା ଯୋଗାଡ଼ କରି ଶିଳ୍ପାଙ୍କୁ ଶାଶୁ ଘରକୁ ପଠାଇଥିଲେ। କିନ୍ତୁ ନିର୍ଯାତନା ଜାରି ରହିଥିଲା। ୪ ମାସ ତଳେ ପୁଣି ଶିଳ୍ପାଙ୍କୁ ଆଉ ଥରେ ମାଡ଼ ମରାଯିବା ସହ ନିର୍ଯାତନା ଦିଆଯାଇଥିଲା।
ଦୁର୍ବ୍ୟବହାର ଅଭିଯୋଗ
ଟଙ୍କା ମଗାଯିବା ସହ ଶିଳ୍ପାଙ୍କୁ ସବୁବେଳେ ଶାଶୁ ଓ ସ୍ୱାମୀ ଦୁର୍ବ୍ୟବହାର କରି ଅସଭ୍ୟ ଶବ୍ଦ ପ୍ରୟୋଗ କରୁଥିଲେ। ତାଙ୍କ ରଙ୍ଗକୁ ନେଇ ସେମାନେ କଟାକ୍ଷ କରୁଥିବା ଅଭିଯୋଗ ହୋଇଛି। ପ୍ରବୀଣଙ୍କ ମା’ ସବୁବେଳେ ଶିଳ୍ପାଙ୍କୁ କହୁଥିଲେ ଯେ “ତୁ’ ବହୁତ କଳା ଓ ମୋ ପୁଅ ପାଇଁ ଯୋଗ୍ୟ ନୁହେଁ। ତା’କୁ ଛାଡ଼ି ଦେଇ ଚାଲିଯା। ଆମେ ତା’ ପାଇଁ ଗୋଟିଏ ଭଲ କନ୍ୟା ଠିକ କରିବୁ।” ଯୌତୁକ ନିର୍ଯାତନା ଓ ଏପରି ଦୁର୍ବ୍ୟବହାର ଅସହ୍ୟ ହେବାରୁ ଶିଳ୍ପା ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି।
ପୁଲିସ୍ର କାର୍ଯ୍ୟାନୁଷ୍ଠାନ
ପୁଲିସ୍ ଶିଳ୍ପାଙ୍କ ମୃତଦେହକୁ ଜବତ କରି ଯୌତୁକ ନିର୍ଯାତନା ଓ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଛି। ପୁଲିସ୍ କହିଛି ଯେ ଅଭିଯୋଗ ପୀଡ଼ିତାଙ୍କ ପରିବାର ଲୋକ ଆଣିଛନ୍ତି। ପ୍ରୋଟୋକଲ ଅନୁସାରେ ଯୌତୁକ ଜନିତ ମୃତ୍ୟୁ ମାମଲା ରୁଜୁ ହୋଇଛି। ଶିଳ୍ପାଙ୍କ ସ୍ୱାମୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବା ମାମଲାରେ ଜେରା କରାଯିବା ପରେ ଗିରଫ କରାଯାଇଛି।
ଏବେ ଅଭିଯୋଗର ତଦନନ୍ତ କରାଯାଉଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଜଣେ ଏସିପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ତଦନ୍ତ କରାଯାଉଛି ଓ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
