/odisha-reporter/media/post_attachments/uploadimage/library/16_9/16_9_0/CJI_1747310308.jpg)
CJI
ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଦୂରତା ବୃଦ୍ଧି ହେଉଥିବା ବେଳେ ଜଷ୍ଟିସ ବିଆର ଗବାଇ ଦେଶର ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି। ଏବେ ସେ ନ୍ୟାୟପାଳିକାର ସର୍ବୋଚ୍ଚ ଅଧିକାରୀ। କିନ୍ତୁ ଶପଥ ନେବା କ୍ଷଣି ଗୋଟିଏ ବିରଳ ଘଟଣା ଘଟିଛି। ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ବିଧାନସଭା ଦ୍ୱାରା ପାରିତ ବିଲ ଉପରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ସମୟସୀମା ବିବାଦୀୟ ପରିସ୍ଥିତି ସଷ୍ଟି କରିଛି।
ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ରେ ମିଳିଥିବା ବିରଳ କ୍ଷମତାର ବ୍ୟବହାର କରି ତାମିଲନାଡୁ ମାମଲାର ଶୁଣାଣି କରି ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ବିଲ ଉପରେ ନିଷ୍ପତ୍ତି ନେବାକୁ ସମୟସୀମା ଧାର୍ଯ୍ୟ କରିଥିଲେ।
କିନ୍ତୁ ସୁପ୍ରିମକୋର୍ଟ କ’ଣ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ସମୟ ଧାର୍ଯ୍ୟ କରିପାରିବେ କି? ଏବେ ସିଜେଆଇ ହୋଇଥିବା ବିଆର ଗବାଇଙ୍କୁ ଏହି ଚ୍ୟାଲେଞ୍ଜିଂ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। କାରଣ ରାଷ୍ଟ୍ରପତି ବିଧିବଦ୍ଧ ଭାବେ ଏନେଇ ସୁପ୍ରିମକୋର୍ଟଙ୍କୁ ପ୍ରଶ୍ନ କରିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବିଧାନର ଧାରା ୧୪୩ରେ ଥିବା କ୍ଷମତାର ବ୍ୟବହାର କରି ସମ୍ବିଧାନରେ ବ୍ୟବସ୍ଥା ନଥିବା ବେଳେ କେମିତି ସୁପ୍ରିମକୋର୍ଟ ସମୟସୀମା ଧାର୍ଯ୍ୟ କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଗବାଇ ଏବେ ରାଷ୍ଟ୍ରପତି ମୁର୍ମୁ ପଚାରିଥିବା ୧୪ଟି ପ୍ରଶ୍ନ ଉପରେ ମତମତ ହାସଲ ପାଇଁ ଗୋଟିଏ ସାମ୍ବିଧାନିକ ବେଞ୍ଚ ଗଠନ କରିପାରନ୍ତି। ଏଥିରେ ୫ କିମ୍ବା ତା’ ଠାରୁ ଅଧିକ ବିଚାରପତି ରହିବେ।
ସିଜେଆଇ ଭାବେ ଜଷ୍ଟିସ ଗବାଇ ଶପଥ ନେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୪ଟି ପ୍ରଶ୍ନ ସମ୍ବଳିତ ଚିଠି ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଥିଲେ।
ରାଷ୍ଟ୍ରପତିଙ୍କ ୧୪ ପ୍ରଶ୍ନ
୧- ଭାରତୀୟ ସମ୍ବିଧାନର ଧାରା ୨୦୦ ଅଧୀନରେ ଜଣେ ରାଜ୍ୟପାଳଙ୍କ ପାଖରେ ବିଲ ଉପସ୍ଥାପନ କରାଯିବା ବେଳେ ତାଙ୍କ ପାଖରେ କ’ଣ ସବୁ ସାମ୍ବିଧାନିକ ବିକଳ୍ପ ରହିଛି?
୨- ରାଜ୍ୟପାଳ ସମ୍ବିଧାନ ଅନୁସାରେ ପାଇଥିବା ନିଜର ସମସ୍ତ ବିକଳ୍ପକୁ ବ୍ୟବହାର କରିବା ବେଳେ କ’ଣ ମନ୍ତ୍ରିପରିଷଦ ଦ୍ୱାରା ଦିଅଯାଉଥିବା ପରାମର୍ଶ ମାନିବାକୁ ବାଧ୍ୟ?
୩- କ’ଣ ଭାରତୀୟ ସମ୍ବିଧାନର ଧାରା ୨୦୦ ଅଧୀନରେ ରାଜ୍ୟପାଳଙ୍କ ଦ୍ୱାରା ସାମ୍ବିଧାନିକ ବିବେକର ବ୍ୟବହାର ନ୍ୟାୟୋଚିତ ଅଟେ?
୪- ଜଣେ ରାଜ୍ୟପାଳଙ୍କ କାର୍ଯ୍ୟକଳାପର ନ୍ୟାୟିକ ସୀମକ୍ଷା ଉପରେ ଧାରା ୩୬୧ ସଂପୂର୍ଣ୍ଣ ଭାବେ ରୋକ ଲଗାଇଛି କି?
୫- ରାଜ୍ୟପାଳଙ୍କ ଇଚ୍ଛାଧୀନ ବ୍ୟାପାରର କରାଯାଇପାରିବ କି ନ୍ୟାୟିକ ସମୀକ୍ଷା ?
୬- ରାଜ୍ୟପାଳଙ୍କୁ ନିଜ କ୍ଷମତାର ବ୍ୟବହାର ଲାଗି ସମୟ ସୀମା ଓ ପ୍ରକ୍ରିୟା ଧାର୍ଯ୍ୟ କରିପାରିବ କି ନ୍ୟାୟାଳୟ?
୭- ରାଷ୍ଟ୍ରପତିଙ୍କ ଇଚ୍ଛାଧୀନ ବ୍ୟାପାର ଉପରେ ହସ୍ତକ୍ଷେପ କରିପାରିବେ କି କୋର୍ଟ ?
୮- ରାଷ୍ଟ୍ରପତିଙ୍କୁ କ୍ଷମତାର ବ୍ୟବହାର ଲାଗି ସମୟ ସୀମା ଧାର୍ଯ୍ୟ କରିପାରିବେ କି ନ୍ୟାୟାଳୟ ?
୯- ବିଲ୍ ନେଇ ନିଷ୍ପତ୍ତି ନେବାବେଳେ ସୁପ୍ରିମକୋର୍ଟଙ୍କ ମତ ନେବାକୁ ବାଧ୍ୟ କି ରାଷ୍ଟ୍ରପତି ?
୧୦- ରାଜ୍ୟପାଳ ଓ ରାଷ୍ଟ୍ରପତି ନେଉଥିବା ନିଷ୍ପତ୍ତି ଆଇନତଃ ଯୁକ୍ତି ସଂଗତ ବୋଲି ପୂର୍ବରୁ ଦର୍ଶାଇବାକୁ ପଡ଼ିବ କି ?
୧୧- ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା କ୍ଷମତାକୁ ନ୍ୟାୟିକ ବ୍ୟବସ୍ଥା ବଦଳାଇ ପାରିବ କି ?
୧୨- ରାଜ୍ୟପାଳଙ୍କ ବିନା ଅନୁମୋଦନରେ ରାଜ୍ୟରେ ଆଇନ କାର୍ଯ୍ୟକାରୀ ହୋଇପାରିବ କି ?
୧୩- ସାମ୍ବିଧାନିକ ବ୍ୟବସ୍ଥାକୁ ବିରୋଧ କରୁଥିବା ଭଳି ନିର୍ଦ୍ଦେଶ ସୁପ୍ରିମକୋର୍ଟ ଦେଇପାରିବେ କି ?
୧୪ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ବିବାଦକୁ ସମାଧାନ ପାଇଁ କୋର୍ଟଙ୍କୁ ସମ୍ବିଧାନ ଅଧିକାର ଦେଇଛି କି ?
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
