Advertisment

ସଂସଦ ବିଲଡିଂର ଉଦଘାଟନ ରାଷ୍ଟ୍ରପତି କରନ୍ତୁ: ସୁପ୍ରିମକୋର୍ଟରେ ପିଆଇଏଲ

ଏହି ପିଆଇଏଲକୁ ସୁପ୍ରିମକୋର୍ଟ ଆଇନଜୀବୀ ସିଆର ଜୟା ସୁକିନ ଦାଖଲ କରିଛନ୍ତି।

author-image
Hemant Lenka
Parliament

Parliament

ସଂସଦର ନୂଆ ବିଲଡିଂ ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବାକୁ ଯାଉଥିବା ବେଳେ ଏହାକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୯ଟି ବିରୋଧୀ ଦଳ ଏହାକୁ ବିରୋଧ କରି ଉଦଘାଟନୀ କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନୁହନ୍ତି ବରଂ ରାଷ୍ଟ୍ରପତି ସଂସଦର ନୂଆ ବିଲଡିଂ ଉଦଘାଟନ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

Advertisment

ଏବେ ଏହି ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। ରାଷ୍ଟ୍ରପତି ସଂସଦର ନୂଆ ବିଲଡିଂ ଉଦଘାଟନ କରନ୍ତୁ। ଏନେଇ ସୁପ୍ରିମକୋର୍ଟ ଲୋକସଭା ସଚିବାଳୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରି ଗୋଟିଏ ଜନସ୍ୱାର୍ଥ ମାମଲା(ପିଆଇଏଲ) ଦାଖଲ କରାଯାଇଛି।

ଏହି ପିଆଇଏଲକୁ ସୁପ୍ରିମକୋର୍ଟ ଆଇନଜୀବୀ ସିଆର ଜୟା ସୁକିନ ଦାଖଲ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ସାମିଲ ନ କରି କେନ୍ଦ୍ର ସରକାର ଭାରତର ସମ୍ବିଧାନରେ ଥିବା ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ସଂସଦ ହେଉଛି ଭାରତର ସର୍ବୋଚ୍ଚ ବ୍ୟବସ୍ଥାପିକା ସଂସ୍ଥା। ରାଷ୍ଟ୍ରପତି, ଲୋକସଭା ଓ ରାଜ୍ୟସଭାକୁ ନେଇ ସଂସଦ ଗଠିତ।

Advertisment

ଲୋକସଭା କିମ୍ବା ରାଜ୍ୟସଭାକୁ ଭଙ୍ଗ କରିବା ଓ ଏହାକୁ ଡାକିବାର କ୍ଷମତା ରାଷ୍ଟ୍ରପତିଙ୍କର ରହିଛି। ଏହା ସତ୍ତ୍ୱେ କେନ୍ଦ୍ର ସରକାର ଉଦଘାଟନୀ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରି ନାହାନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ରାଷ୍ଟ୍ରପତି ସଂସଦର ଅବିଚ୍ଛେଦ୍ୟ ଅଙ୍ଗ। କାହିଁକି ରାଷ୍ଟ୍ରପତିଙ୍କୁ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଡକା ଯାଇ ନଥିଲା? ଏବେ ତାଙ୍କୁ ଉଦଘାଟନୀ କାର୍ଯ୍ୟକ୍ରମକୁ ମଧ୍ୟ ଡକା ଯାଉନି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

୪ ମହଲା ବିଶିଷ୍ଟ ନୂଆ ସଂସଦ ଭବନରେ ଏକାସାଙ୍ଗରେ ୧୨ଶହ ସାଂସଦ ବସିବାର ବ୍ୟବସ୍ଥା ରହିଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‌ଆସନ୍ତା ୨୮ ତାରିଖରେ ଉଦଘାଟନ କରିବେ।

Parliament New Parliament Building