Advertisment

Manipur: ବର୍ଷକ ପରେ ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ, କିଛି ମିନିଟ ପରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ

ମନାମ ଖେମଚାନ୍ଦ ସିଂହ ଆଜି ସନ୍ଧ୍ୟା ୬ଟାରେ ମଣିପୁରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ଗ୍ରହଣ ସମାରୋହ ଇମ୍ଫାଲର ଲୋକଭବନରେ ଅନୁଷ୍ଠିତ ହେବ। ଶପଥ ପାଠ ଉତ୍ସବ ପାଇଁ ଲୋକଭବରେ ଆଜି ସକାଳୁ ହିଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।

author-image
Hemant Lenka
Manipur

ମଣିପୁର (ଫାଇଲ ଫଟୋ)

ପ୍ରାୟ ଗୋଟିଏ ବର୍ଷ ପରେ ମଣିପୁର(Manipur)ରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ ହଟିଛି। ଏଥିସହ ହିଂସାଗ୍ରସ୍ତ ମଣିପୁରରେ ନୂଆ ନିର୍ବାଚିତ ସରକାର ଗଠନର ରାସ୍ତା ଖୋଲିଛି। ଗୃହ ମନ୍ତ୍ରଣାଳୟ ଗୋଟିଏ ବିଜ୍ଞପ୍ତି ଜାରି କରି ତତ୍କାଳ ଭାବେ ମଣିପୁରରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯାଉଥିବା ଘୋଷଣା କରିଛି। ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ଏପରି ପଦକ୍ଷେପ ନେଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। 

Advertisment

ଏନ୍‌ଡିଏ ବିଧାୟକ ଦଳ ନେତା ଯୁମନାମ ଖେମଚାନ୍ଦ ସିଂହ ଆଜି ସନ୍ଧ୍ୟା ୬ଟାରେ ମଣିପୁରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ଗ୍ରହଣ ସମାରୋହ ଇମ୍ଫାଲର ଲୋକଭବନରେ ଅନୁଷ୍ଠିତ ହେବ। ଶପଥ ପାଠ ଉତ୍ସବ ପାଇଁ ଲୋକଭବରେ ଆଜି ସକାଳୁ ହିଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। 

ମଣିପୁର ବିଜେପି ଏକ୍ସରେ ପୋଷ୍ଟ କରି କହିଛି ଯେ “ଆଜି ସନ୍ଧ୍ୟା ୬ଟାରେ ଲୋକ ଭବନରେ ଯୁମନାମ ଖେମଚାନ୍ଦ ସିଂହଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେବ। ତାଙ୍କର ଅଭିଜ୍ଞ ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ମଣିପୁର ଶାନ୍ତି, ବିକାଶ ଓ ସୁଶାସନ ପଥରେ ଆଗକୁ ବଢ଼ିବ। ରାଜ୍ୟ ପାଇଁ ସ୍ଥିରତା ଓ ଅଗ୍ରଗତିର ନୂଆ ଯୁଗ ଆରମ୍ଭ ହେବ।”

Advertisment

ଏହି ଘୋଷଣା ଖେମଚାନ୍ଦ୍ ସିଂହ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇବା ପରେ ସାମ୍ନାକୁ ଆସିଥିଲା। ଆଜି ତାଙ୍କ ନେତୃତ୍ୱରେ ଏନ୍‌ଡିଏର ଗୋଟିଏ ପ୍ରତିନିଧି ଦଳ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ନିର୍ବାଚିତ ସରକାର ଗଠନ ପାଇଁ ଅନୁମତି ମାଗିଥିଲେ। 

ପ୍ରତିନିଧି ଟିମରେ ଚୁରାଚାନ୍ଦପୁର ଓ ଫେରଜାୱଲ୍ ଜିଲ୍ଲାର (କୁକି-ଜୋ ବହୁଳ) ଦୁଇ ବିଧାୟକ ମଧ୍ୟ ରହିଥିଲେ। ୬୨ ବର୍ଷୀୟ ଖେମଚାନ୍ଦ୍ ସିଂହ ମଙ୍ଗଳବାର (ଫେବ୍ରୁଆରି ୩) ନୂଆଦିଲ୍ଲୀରେ ହୋଇଥିବା ବୈଠକରେ ବିଜେପି ବିଧାୟକ ଦଳ ନେତା ଓ ପରେ ଏନ୍‌ଡିଏ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ। ବରିଷ୍ଠ ବିଜେପି ବିଧାୟକ ଥୋଙ୍ଗମ୍ ବିଶ୍ୱଜିତ୍ ସିଂହ କହିଛନ୍ତି ଯେ ଖେମଚାନ୍ଦ୍ ସିଂହଙ୍କ ସମେତ ପାଞ୍ଚ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ। 

ମଣିପୁର ୨୦୨୫ ଫେବ୍ରୁଆରି ୧୩ ତାରିଖରୁ ରାଷ୍ଟ୍ରପତି ଶାସନ ଅଧୀନରେ ଥିଲା। ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌ ବୀରେନ୍ ସିଂହ ଫେବୃଆରୀ ୯ରେ ଇସ୍ତଫା ଦେଇଥିଲେ। ଏହାର ୪ ଦିନ ପରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ସେ ମେଇତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ୨୦୨୩ ମେ’ରୁ ଚାଲିଥିବା ଦୀର୍ଘକାଳୀନ ଜାତିଗତ ହିଂସା ନିୟନ୍ତ୍ରଣରେ ବିଫଳତା ଯୋଗୁ ବ୍ୟାପକ ସମାଲୋଚନାର ଶିକାର ହୋଇଥିଲେ। ଏହି ହିଂସାରେ ଅନେକ ମୃତ୍ୟୁ, ବିସ୍ଥାପନ ଓ ସମ୍ପତ୍ତି ନଷ୍ଟ ହୋଇଥିଲା।

ରାଷ୍ଟ୍ରପତି ଶାସନ ହଟିବା ଓ ନୂଆ ଏନ୍‌ଡିଏ ସରକାର ଗଠନ ପରେ ମଣିପୁରରେ ପୁଣି ଶାନ୍ତି ପ୍ରତିଷ୍ଠା, ସମ୍ପ୍ରଦାୟଗୁଡ଼ିକ ମଧ୍ୟରେ ବିଶ୍ୱାସ ପୁନଃନିର୍ମାଣ ଓ ରାଜ୍ୟରେ ଶାସନ ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରିବା ଉପରେ ସମସ୍ତେ ଫୋକସ କରିବେ।  

Manipur