/odisha-reporter/media/post_attachments/uploadimage/library/16_9/16_9_0/IMAGE_1749730877.jpg)
Air India Plane Crash
ଗତ ଜୁନ ୧୨ ତାରିଖରେ ଗୁଜରାଟର ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ନେଇ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏୟାର ଟ୍ରାଫିକ କଣ୍ଟ୍ରୋଲ ‘ମେ’ ଡେ’ କଲ୍ ପାଇବାର ୧୩ ସେକେଣ୍ଡ ପୂର୍ବରୁ ଇଞ୍ଜନିକୁ ଇନ୍ଧନ ପ୍ରବାହକୁ ନିୟନ୍ତ୍ରଣ କରୁଥିବା ସୁଇଚ୍ଗୁଡ଼ିକୁ ପୁନର୍ବାର ‘କଟ୍ ଅଫ୍’ (ଇନ୍ଧନ ପ୍ରବାହ ବନ୍ଦ)ରୁ ‘ରନ୍’ (ଇନ୍ଧନ ପ୍ରବାହ) ମୋଡ୍କୁ ଅଣାଯାଇଥିଲା ବୋଲି ବେସାମରିକ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍ଭେଷ୍ଟିଗେସନ ବ୍ୟୁରୋ (AAIB) ଘଟଣାର ତଦନ୍ତ କରି ଦେଇଥିବା ପ୍ରାଥମିକ ରିପୋର୍ଟରେ ଦର୍ଶାଇଛି ଯେ ବିମାନଟି ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏହାର ଦୁଇଟି ଯାକ ଇଞ୍ଜିନର ଇନ୍ଧନ ନିୟନ୍ତ୍ରଣ ସୁଇଚ୍ଗୁଡ଼ିକ ‘ରନ୍’ରୁ ‘କଟ୍ ଅଫ୍’ ମୋଡ୍କୁ ଚାଲିଯାଇଥିଲା। ମାତ୍ର ଏକ ସେକେଣ୍ଡ ବ୍ୟବଧାନ ମଧ୍ୟରେ ଗୋଟିଏ ପରେ ଗୋଟିଏ ଇଞ୍ଜିନର ଇନ୍ଧନ ନିୟନ୍ତ୍ରଣ ସୁଇଚ୍ଗୁଡ଼ିକ ‘ରନ୍’ରୁ କଟ୍ ଅଫ୍’ ମୋଡ୍କୁ ଚାଲିଯାଇଥିଲା। ଅର୍ଥାତ୍ ଦୁଇଟି ଯାକ ଇଞ୍ଜିନକୁ ଇନ୍ଧନ ପ୍ରବାହ ବନ୍ଦ ହୋଇଯାଇଥିଲା। ଏ କଥା ଦୁଇ ପାଇଲଟଙ୍କ ମଧ୍ୟରୁ ଜଣେ ଜାଣିପାରିଥିଲେ ବୋଲି କକ୍ପିଟ୍ ଭଏସ୍ ରେକର୍ଡିଂରୁ ଜଣାପଡ଼ିଛି। ଜଣେ ପାଇଲଟ ଅନ୍ୟ ଜଣଙ୍କୁ ପଚାରିଛନ୍ତି, ତୁମେ ଇନ୍ଧନ କାହିଁକି ବନ୍ଦ କଲ? ଜବାବରେ ଅନ୍ୟ ପାଇଲଟ ଜଣଙ୍କ କହିଛନ୍ତି, ମୁଁ ସେମିତି କରି ନାହିଁ।
ବିଶେଷଜ୍ଞଙ୍କ ମତରେ ଇଞ୍ଜନର ଇନ୍ଧନ ନିୟନ୍ତ୍ରଣ ସୁଇଚ୍ଗୁଡ଼ିକୁ ସେମିତି କୌଣସି ଶୈଳୀରେ ଡିଜାଇନ କରାଯାଇନାହିଁ ଯେ ଭୁଲ୍ରେ ସେଗୁଡ଼ିକ ‘କଟ୍ ଅଫ୍’ରୁ ‘ରନ୍’ ବା ‘ରନ୍ରୁ କଟ୍ ଅଫ୍’ ହୋଇଯିବ। ତେଣୁ ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମଧ୍ୟରୁ ଜଣଙ୍କର ସଂପୃକ୍ତି ଥିବା ନେଇ ପ୍ରଶ୍ନ ଉଠିଛି।
ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍ଭେଷ୍ଟିଗେସନ ବ୍ୟୁରୋ (AAIB)ର ରିପୋର୍ଟ ଅନୁଯାୟୀ ପ୍ରାରମ୍ଭରେ ନିର୍ଦ୍ଦିଷ୍ଟ ଉଚ୍ଚତାକୁ ଉଠିବାକୁ ବଳ ପାଇ ନଥିବା ଦୁର୍ଘଟଣାଗ୍ରସ୍ତ ବିମାନଟିର ଇଞ୍ଜିନର ଇନ୍ଧନ ନିୟନ୍ତ୍ରଣ ସୁଇଚଗୁଡ଼ିକ ପୁନର୍ବାର ‘କଟ୍ ଅଫ୍’ରୁ ‘ରନ୍’ ମୋଡ୍କୁ ଆସିବା ପରେ କିଛି କ୍ଷଣ ପାଇଁ ଲାଗିଥିଲା ଯେ ତାହା ଉଡ଼ାଣ ଭରିବାକୁ ସକ୍ଷମ ହେବ। କିନ୍ତୁ ଇଞ୍ଜିନର ଇନ୍ଧନ ନିୟନ୍ତ୍ରଣ ସୁଇଚଗୁଡ଼ିକ ପୁନର୍ବାର ‘କଟ୍ ଅଫ୍’ରୁ ‘ରନ୍’ ମୋଡ୍କୁ ଆସିବା ସତ୍ତ୍ୱେ ସେପରି ହୋଇନଥିଲା ଓ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଇଞ୍ଜିନର ଇନ୍ଧନ ନିୟନ୍ତ୍ରଣ ସୁଇଚଗୁଡ଼ିକ ପୁନର୍ବାର ‘କଟ୍ ଅଫ୍’ରୁ ‘ରନ୍’ ମୋଡ୍କୁ ଆସିବା ପରେ ବିମାନର ପ୍ରଥମ ଇଞ୍ଜିନଟି ପୁଣିଥିରେ କାମ କରିବା ଭଳି ଅନୁଭବ ହୋଇଥିଲା, କିନ୍ତୁ ଦ୍ୱିତୀୟ ଇଞ୍ଜିନଟି କାମ କରି ନଥିଲା ବୋଲି ବ୍ଲକ୍ ବକ୍ସରୁ ସଂଗ୍ରହ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି।
ରିପୋର୍ଟରେ ଆଉ କ’ଣ ଅଛି
ଏହି ରିପୋର୍ଟରେ କୁହାଯାଇଛି ଯେ ବିମାନ କ୍ରାଶ ସମୟରେ ପାଗ ଖରାପ ନଥିଲା। ଆକାଶ ସଫା ଥିଲା। ଦୃଶ୍ୟମାନତା (ଭିଜିବିଲିଟୀ) ବି ଭଲ ଥିଲା। ପବନ ମଧ୍ୟ ବହୁ ଜୋରରେ ବହୁ ନଥିଲା। ବିମାନରେ କୌଣସି ପକ୍ଷୀ ମାଡ଼ ହୋଇ ନଥିଲା। ପାଇଲଟମାନଙ୍କ ସ୍ୱାସ୍ଥ୍ୟ ଭଲ ଥିଲା ଓ ସେମାନଙ୍କର ସେହି ପ୍ରକାରର ବିମାନ ଉଡ଼ାଇବାରେ ବହୁ ଅଭିଜ୍ଞତା ରହିଥିଲା।
AAIB ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ କରି କହିଛି ଯେ ଏହି ଦୁର୍ଘଟଣା ପଛରେ କୌଣସି ଅନ୍ତର୍ଘାତୀ କାର୍ଯ୍ୟକଳାପ ଥିବା ନେଇ ତତ୍କ୍ଷଣାତ୍ ପ୍ରମାଣ ମିଳିନାହିଁ। AAIB ଇଞ୍ଜିନର ଇନ୍ଧନ ସୁଇଚଗୁଡ଼ିକର ମୋଡ୍ ବଦଳିଥିବା ନେଇ କହିଥିବା ବେଳେ ସେଗୁଡ଼ିକୁ ଅଜଣାତରେ ବା ଜାଣିଶୁଣି କେହି ବଦଳାଇଥିଲେ କି ନାହିଁ, ସେ ବିଷୟରେ ତା’ର ପ୍ରାଥମିକ ରିପୋର୍ଟରେ କିଛି ଉଲ୍ଲେଖ କରି ନାହାନ୍ତି।
କେହି ଏତେ ଶୀଘ୍ର ନିଷ୍କର୍ସରେ ପହଞ୍ଚନ୍ତୁ ନାହିଁ: ମନ୍ତ୍ରୀ
ବେସାମରିକ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଉଭୟ ଗଣମାଧ୍ୟମ ଓ ସାଧାରଣ ନାଗରିକଙ୍କୁ ଅନୁରୋଧ କରି କହିଛନ୍ତି ଯେ କେବଳ ପାଇଲଟ ଦ୍ୱୟଙ୍କ ବାର୍ତ୍ତାଳପକୁ ଶୁଣି କେହି କୌଣସି ନିଷ୍କର୍ସରେ ପହଞ୍ଚନ୍ତୁ ନାହିଁ। କାରଣ ଏହି ତଦନ୍ତ ଏବେ ପ୍ରାଥମିକ ସ୍ତରରେ ଅଛି। ସମସ୍ତେ ଫାଇନାଲ ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ ବୋଲି ସେ କହିଛନ୍ତି।
ଏହି ଘଟଣାର ତଦନ୍ତ ଏକ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏଥିରେ ଅନେକ ବୈଷୟିକ କଥା ସଂଶ୍ଳୀଷ୍ଟ ହୋଇ ରହିଛି। ତେଣୁ ପ୍ରାଥମିକ ରିପୋର୍ଟ ଆଧାରରେ କିଛି ନିଷ୍କର୍ସରେ ପହଞ୍ଚିବା ଅପରିପକ୍ୱତା ହେବ ବୋଲି ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି।
ସେ କହିଛନ୍ତି, ଏବେ ଯେଉଁ ରିପୋର୍ଟ ଆସିଛି ତାକୁ ବେସମାରିକ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରାଯାଉଛି। ଆମେ କେବଳ ପାଇଲଟମାନଙ୍କ ବାର୍ତ୍ତାଳପରୁ କୌଣସି ନିଷ୍କର୍ସରେ ପହଞ୍ଚି ପାରିବା ନାହିଁ। କାରଣ ସେମାନଙ୍କ ବାର୍ତ୍ତାଳପ ମାତ୍ର କିଛି ସେକେଣ୍ଡର ଥିଲା। AAIB ବିନା କୌଣସି ବାଧାରେ ତା’ର ତଦନ୍ତ କରୁଛି। ଆମେ ବ୍ଲାକ୍ ବକ୍ସକୁ ବିଦେଶ ପଠାଇ ନାହୁଁ। ଆମ ଦେଶରେ ହିଁ ସେଥିରେ ଥିବା ତଥ୍ୟକୁ ସଂଗ୍ରହ କରାଯାଇଛି। ଫାଇନାଲ ରିପୋର୍ଟ ଆସିବା ପରେ ହିଁ ଆମେ କୌଣସି ଠୋସ୍ ନିଷ୍କର୍ସରେ ପହଞ୍ଚିପାରିବୁ। ଦେଶର ପାଇଲଟମାନଙ୍କ ଉପରେ ଆମର ବିଶ୍ୱାସ ରହିଛି। ପାଇଲଟ ଓ କ୍ର୍ୟୁ ମେମ୍ବରମାନେ ବିମାନ ଚଳାଚଳ ଶିଳ୍ପର ମେରୁଦଣ୍ଡ।
କ’ଣ କହିଛନ୍ତି ବିଶେଷଜ୍ଞ
ଦେଶର ଜଣାଶୁଣା ବିମାନ ଚଳାଚଳ ବିଶେଷଜ୍ଞ କ୍ୟାପଟେନ ମୋହନ ରଙ୍ଗନାଥନ ଆଶଙ୍କା କରିଛନ୍ତି ଯେ ଏହି ଦୁର୍ଘଟଣାକୁ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥାଇପାରେ। ସେ କହିଛନ୍ତି ଯେ ଇଞ୍ଜିନର ଇନ୍ଧନ ପ୍ରବାହ ସୁଇଚଗୁଡ଼ିକ ପାଇଲଟଙ୍କ ଦ୍ୱାରା ପରିଚାଳିତ ହୁଏ। ସେଗୁଡ଼ିକ ସ୍ୱୟଂଚାଳିତ ନୁହନ୍ତି ଯେ ଆପେ ଆପେ ‘ରନ୍’ରୁ ‘କଟ୍ ଅଫ୍’ ବା ‘କଟ୍ ଅଫ୍’ ରୁ ‘ରନ୍’ ମୋଡ୍କୁ ଚାଲିଯିବେ। କ୍ୟାପ୍ଟେନ୍ ରଙ୍ଗନାଥନ କହିଛନ୍ତି, ସେଗୁଡ଼ିକ ଅଟୋମେଟିକ୍ ଚାଲନ୍ତି ନାହିଁ କି ପାୱାର ଫେଲ୍ ଯୋଗୁ ବି ସେଭଳି ସମସ୍ୟା ସୃଷ୍ଟି ହୋଇନଥାଏ। ସେଗୁଡ଼ିକୁ ବିଶେଷ ଶୈଳୀରେ ତିଆରି କରାଯାଇଥାଏ। ସେଗୁଡ଼ିକୁ ଏକ ସ୍ଲଟ୍ରେ ରଖାଯାଇଥାଏ। ସେଗୁଡ଼ିକୁ ତଳ-ଉପର କରିବା ପାଇଁ ପ୍ରଥମେ ସ୍ଲଟ୍ରୁ ବାହାର କରିବାକୁ ହୁଏ। ତେଣୁ ଅଜାଣତରେ କେହି ସେଗୁଡ଼ିକୁ ‘ରନ୍’ରୁ ‘କଟ୍ ଅଫ୍’ ମୋଡ୍କୁ ନେଇଯାଇଥିବାର ପ୍ରଶ୍ନ ହିଁ ଉଠୁନାହିଁ। ନିଶ୍ଚିତ ଭାବେ ଜାଣିଶୁଣି ସେମିତି କରାଯାଇଛି।
ବିରୋଧ କଲା ପାଇଲଟ ଆସୋସିଏସନ
ପ୍ରାଥମିକ ରିପୋର୍ଟକୁ ବିରୋଧ କରିଛି ଭାରତର ପାଇଲଟ ଆସୋସିଏସନ। ସଂଘର ସଭାପତି କ୍ୟାପଟେନ ସାମ ଥୋମାସ କହିଛନ୍ତି, ଆମେ ଅନୁଭବ କରୁଛୁ ତଦନ୍ତକୁ ପାଇଲଟମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ଦିଗରେ କରାଯାଇଛି। ଆମେ ଏହାକୁ ଦୃଢ଼ ଭାବେ ବିରୋଧ କରୁଛୁ।
ଏହି ତଦନ୍ତକୁ ଯେଉଁଭଳି ଭାବେ ଗୁପ୍ତ ରଖାଯାଇଛି ତାହା ଉପରେ ସଂଘ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ତା’ ସହିତ ତଦନ୍ତ କମିଟିରେ ଥିବା ସଦସ୍ୟଙ୍କ ଯୋଗ୍ୟତା ଉପରେ ସଂଘ ପ୍ରଶ୍ନ କରିଛି। ସଂଘ କହିଛି, ଏହିଭଳି ଗୁରୁତ୍ୱପୂର୍ଣ୍ଣ ତଦନ୍ତରେ ଉପଯୁକ୍ତ ତଥା ଯୋଗ୍ୟ ବ୍ୟକ୍ତିମାନଙ୍କୁ ନିଆଯାଇନାହିଁ ବୋଲି ଆମେ ଅନୁଭବ କରୁଛୁ।
ବିମାନରେ ଥିଲେ ଅଭିଜ୍ଞ ପାଇଲଟ
ଇଂଲଣ୍ଡ ଅଭିମୁଖେ ଅହମଦାବାଦ ବିମାନ ବନ୍ଦରରୁ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆର ଏହି ବିମାନକୁ ଉଡ଼ାଉ ଥିଲେ ୫୬ ବର୍ଷୀୟ ଅନୁଭବୀ ପାଇଲଟ ସୁମିତ ସଭରୱାଲ ଓ ୩୨ ବର୍ଷୀୟ ଯୁବ କୋ-ପାଇଲଟ କ୍ଲାଇବ କୁନ୍ଦେର। ସୁମିତଙ୍କର ୧୫ ହଜାର ୬୩୮ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିବା ବେଳେ କୁନ୍ଦେରଙ୍କର ୩ ହଜାର ୪୦୩ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଥିଲା।
ଏହି ଦୁର୍ଘଟଣାରେ ୨୬୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ୨୪୧ ଜଣ ଯାତ୍ରୀ ଓ କ୍ର୍ୟୁ ମେମ୍ବର ହୋଇଥିବା ବେଳେ ଅନ୍ୟ ୧୯ ଜଣ (୬ ଜଣ ଡାକ୍ତରୀ ଛାତ୍ରଙ୍କ ସମେତ) ସାଧାରଣ ଲୋକ ଥିଲେ। ବିମାନଟି ବିଜେ ମେଡିକାଲ କଲେଜର ଏକ ହଷ୍ଟେଲ କୋଠାରେ କ୍ରାଶ କରିଥିବା ବେଳେ ଏହି ୧୯ ଜଣ ସେଠାରେ ବା ତା’ ଆଖପାଖ ଅଞ୍ଚଳରେ ଉପସ୍ଥିତ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
