Advertisment

ପିଏମଓରେ ପ୍ରିନସପାଲ ସେକ୍ରେଟାରୀ

୧୬ ଜଣ ପ୍ରଧାନମନ୍ତ୍ରୀଙ୍କ ସମୟରେ ପ୍ରମୁଖ ସଚିବ ଭାବେ ସ୍ଥାନ ପାଇଛନ୍ତି ୧୪ ଜଣ।

author-image
Ordigital Desk
PMO

PMO

ସ୍ୱାଧୀନ ଭାରତରେ ଦାୟିତ୍ବରେ ରହିଥିବା 16ଜଣ ପ୍ରଧାନମନ୍ତ୍ରୀଙ୍କ ଭିତରେ ପ୍ରଥମେ 1971ରେ ଇନ୍ଦିରା ଗାନ୍ଧୀଙ୍କ ସମୟରେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ପ୍ରମୁଖ ସଚିବ ପଦ ସୃଷ୍ଟି ହେଲା। ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ପ୍ରମୁଖ ସଚିବ ଭାବେ ସ୍ଥାନ ପାଇଥିଲେ ଆଇଏଫ୍ଏସ୍ ଅଫିସର ପି ଏନ୍ ହକ୍ସର। କାଶ୍ମୀରୀ ପଣ୍ଡିତ ପରିବାରରେ ଜନ୍ମିତ ହକ୍ସର ଇନ୍ଦିରା ଗାନ୍ଧୀଙ୍କୁ ବାଂଲାଦେଶ ମୁକ୍ତି ଯୁଦ୍ଧଠାରୁ ଆରମ୍ଭ କରି ବ୍ୟାଙ୍କ ଜାତୀୟକରଣ ପର୍ଯ୍ୟନ୍ତ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ପରାମର୍ଶ ଦେଇଥିଲେ। ଇନ୍ଦିରା ଗାନ୍ଧୀଙ୍କ ସହ ହକ୍ସରଙ୍କ ବିତିଥିବା ସମୟକୁ ନେଇ ଅନେକ ପୁସ୍ତକ ଲେଖାଯାଇଥିବାବେଳେ ତାଙ୍କୁ 1973ରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ `ପଦ୍ମ ବିଭୂଷଣ’ ଦିଆଯାଇଥିଲା। ମାତ୍ର ନିଜର ସରକାରୀ କାର୍ଯ୍ୟ ପାଇଁ ପୁରସ୍କାର ଗ୍ରହଣ କରିବା ଅସ୍ବସ୍ତିକର ହେବ ଦର୍ଶାଇ ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

Advertisment

16ଜଣ ପ୍ରଧାନମନ୍ତ୍ରୀଙ୍କ ସମୟରେ ପ୍ରମୁଖ ସଚିବ ଭାବେ ସ୍ଥାନ ପାଇଛନ୍ତି 14ଜଣ ପ୍ରମୁଖ ସଚିବ। 1981ରୁ 1985 ପର୍ଯ୍ୟନ୍ତ ଉଭୟ ଇନ୍ଦିରା ଗାନ୍ଧୀ ଓ ତାଙ୍କ ପୁତ୍ର ରାଜୀବ ଗାନ୍ଧୀଙ୍କ ସମୟରେ ପ୍ରମୁଖ ସଚିବ ଥିବା ଅଫିସର କେରଳର ପି ସି ଆଲେକଜାଣ୍ଡରଙ୍କ କ୍ଷମତା ସେତେବେଳେ କ୍ୟାବିନେଟ ସଚିବଙ୍କଠାରୁ ବି ଟପିଯାଉଥିଲା ବୋଲି କୁହାଯାଏ। 1997ରେ ପ୍ରଧାନମନ୍ତ୍ରୀ ଆଇ କେ ଗୁଜରାଲଙ୍କ ବେଳେ ଆସିଥିଲେ ପଂଜାବ କ୍ୟାଡର ଆଇଏଏସ୍ ଅଫିସର ଏନ ଏନ ଭୋରା। ପରେ 2008ରେ ସେ ଜମ୍ମୁ ଓ କାଶ୍ମୀରର ରାଜ୍ୟପାଳ ବି ହୋଇଥିଲେ। ସେହିଭଳି 1998ରୁ 2004 ପର୍ଯ୍ୟନ୍ତ ଆଇଏଫ୍ଏସ ଅଫିସର ବ୍ରଜେଶ ମିଶ୍ର ଥିଲେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରମୁଖ ସଚିବ। 2004ରୁ 2011 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରମୁଖ ସଚିବ ରହିଥିଲେ ପଂଜାବ କ୍ୟାଡରର ଆଇଏଏସ୍ ଅଫିସର ଟି କେ ଏ ନାୟାର। 2014ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲା ପରେ ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ୍ ଅଫିସର ନୃପେନ୍ଦ୍ର ମିଶ୍ରଙ୍କୁ ପ୍ରମୁଖ ସଚିବ ଭାବେ ବାଛିଥିଲେ। ତାର 5 ବର୍ଷ ପରେ 2019ରେ ନିଯୁକ୍ତି ଦେଇଥିଲେ ଗୁଜରାଟ କ୍ୟାଡରର ଓଡ଼ିଆ ଆଇଏଏସ୍ ଅଫିସର ପି କେ ମିଶ୍ରଙ୍କୁ। ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ପ୍ରମୁଖ ସଚିବ ଥିଲେ ପି କେ ମିଶ୍ର। ପି କେ ମିଶ୍ର ଏବେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିବାବେଳେ ତାମିଲନାଡୁ କ୍ୟାଡରର ଆଉ ଜଣେ ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ଶକ୍ତିକାନ୍ତ ଦାସଙ୍କୁ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ନିଯୁକ୍ତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଶକ୍ତିକାନ୍ତ ଦାସ ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଅବସର ନେଇଥିଲେ। ମୋଦି ସରକାରରେ ଓଡ଼ିଶାର ଅଫିସରମାନେ କେନ୍ଦ୍ରରେ ଗୁରୁତ୍ବପୂର୍ଣ୍ଣ ପଦବିରେ ରହିଥିବା ବେଳେ ଏହା ଓଡ଼ିଶା ପାଇଁ ଗର୍ବ ଆଣିଛି।

ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ

PMO