Advertisment

ପ୍ରିନ୍ସପାଲ୍‌ଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ପୂର୍ବତନ ଛାତ୍ର

ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ଅଧ୍ୟକ୍ଷ ବିମୁକ୍ତା ଶର୍ମା କଲେଜରୁ ଘରକୁ ଫେରିବା ପାଇଁ କାରରେ ବସିବା ସମୟରେ ଏହି ଘଟଣା ଘଟିଥିଲା।

author-image
Jitendra Garnayak
Fire

Fire

ମଧ୍ୟ ପ୍ରଦେଶର ଇନ୍ଦୋର ସ୍ଥିତ ବିଏମ୍ ଫାର୍ମାସୀ କଲେଜର ଅଧ୍ୟକ୍ଷ ବିମୁକ୍ତା ଶର୍ମା (୫୪)ଙ୍କ ଦେହରେ ଜଣେ ପୂର୍ବତନ ଛାତ୍ର ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ବିମୁକ୍ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଛି। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଏହି କାଣ୍ଡ ଘଟାଇଥିବା ଯୁବକଙ୍କ ନାଁ ଆଶୁତୋଷ ଶ୍ରୀବାସ୍ତବ (୨୨)। ସେ ବି ପୋଡ଼ି ହୋଇଛନ୍ତି। ତାଙ୍କର ହାତ ଦୁଇଟି ପୋଡ଼ି ଯାଇଛି।

ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଛି। ଅଧ୍ୟକ୍ଷ ବିମୁକ୍ତା ଶର୍ମା କଲେଜରୁ ଘରକୁ ଫେରିବା ପାଇଁ କାରରେ ବସିବା ସମୟରେ ଆଶୁତୋଷ ସେଠାରେ ପହଞ୍ଚି ଥିଲେ। ଉଭୟଙ୍କ ମଧ୍ୟରେ ସେଠାରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଆଶୁତୋଷ ଅଧ୍ୟକ୍ଷଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

Advertisment

ପୁଲିସ୍ କହିଛି, ପୋଡ଼ି ହୋଇଥିବା ଅଧ୍ୟକ୍ଷ ଏବେ କଥା କହିବା ଅବସ୍ଥାରେ ନାହାନ୍ତି। ଅଭିଯୁକ୍ତକୁ ଗିରଫ କରାଯାଇଛି। ପୁଲିସ୍ ହେପାଜତରେ ତା’ର ଚିକିତ୍ସା କରାଯିବା ସହିତ ତାକୁ ପଚରାଉଚରା କରାଯାଉଛି। ଅଭିଯୁକ୍ତ ନିକଟସ୍ଥ ଏକ ଜଳପ୍ରପାତକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ତେବେ ତାକୁ ଠିକଣା ସମୟରେ ଉଦ୍ଧାର କରାଯାଇଥିଲା।

ସୂଚନା ଅନୁଯାୟୀ, ପଚରାଉଚରା ବେଳେ ଆଶୁତୋଷ ପୁଲିସ୍‌କୁ କହିଛନ୍ତି ଯେ ସେ ସପ୍ତମ ଓ ଅଷ୍ଟମ ସେମିଷ୍ଟର ପରୀକ୍ଷା ଦେଇଥିଲେ। ୨୦୨୨ ଜୁଲାଇରେ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। ଅଧ୍ୟକ୍ଷଙ୍କୁ ବହୁବାର ଅନୁରୋଧ କରିବା ସତ୍ତ୍ୱେ ତାଙ୍କୁ ମାର୍କଶିଟ୍ ଦିଆଯାଇ ନଥିଲା। ସେଥିପାଇଁ ସେ ରାଗି ଯାଇଥିଲେ ଓ ଏମିତି କାଣ୍ଡ ଘଟାଇଥିଲେ।

ଅଭିଯୁକ୍ତ ଆଶୁତୋଷ ଶ୍ରୀବାସ୍ତବ ଏହା ପୂର୍ବରୁ ବି ଗିରଫ ହୋଇଥିଲେ। ବିଏମ୍ ଫାର୍ମାସୀ କଲେଜର ଜଣେ ଅଧ୍ୟାପକଙ୍କୁ ଛୁରୀରେ ଆକ୍ରମଣ କରି ସେ ଗିରଫ ହୋଇଥିଲେ। କିଛି ସପ୍ତାହ ତଳେ ସେ ଜାମିନ୍‌ରେ ଜେଲ୍‌ରୁ ବାହାରିଥିଲେ। ଅଧ୍ୟକ୍ଷ ବିମୁକ୍ତା ଶର୍ମାଙ୍କ ସହିତ ପୂର୍ବରୁ ବି ତାଙ୍କର ଝଗଡ଼ା ହୋଇଥିଲା ବୋଲି କୁହାଯାଉଛି।

Crime Madhya Pradesh Fire Mishap