ପ୍ରିୟଙ୍କା ଗାନ୍ଧି ଭଦ୍ରା
ଲୋକସଭାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା(Priyanka Gandhi Vadra)ଙ୍କ ଦମଦାର ଭାଷଣ। ବନ୍ଦେ ମାତରମକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି( PM Modi) କରିଥିବା ଦାବିର ଗୋଟି ଗୋଟି କରି ଜବାବ ଦେଇଛନ୍ତି ପ୍ରିୟଙ୍କା। ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମକୁ ନେଇ ବିତର୍କ ଚାଲିଥିବା ବେଳେ ପ୍ରିୟଙ୍କା ଇତିହାସର ଗୁମର ଖୋଲିଛନ୍ତି। ସେ ତଥ୍ୟ ପ୍ରମାଣ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାଉଣ୍ଟର କରିଛନ୍ତି। ତାଙ୍କ ତଥ୍ୟଗତ ଉପସ୍ଥାପନକୁ ଦେଖି ଶାସକ ଦଳର ସାଂସଦମାନେ ମଧ୍ୟ ଚୁପ ହୋଇଯାଇଥିଲେ।
ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁ ୧୯୩୭ରେ ସୁଭାଷ ଚନ୍ଦ୍ର ବୋଷଙ୍କୁ ଚିଠି ଲେଖି ବନ୍ଦେ ମାତରମ ମୁସଲିମମାନଙ୍କୁ ଉତ୍ତେଜିତ କରିପାରେ ବୋଲି କହିଥିବା ବନ୍ଦେ ମାତରମ ବିତର୍କକୁ ଆରମ୍ଭ କରି ମୋଦି ଦାବି କରିଥିଲେ। ଏହା ଅର୍ଦ୍ଧ ସତ୍ୟ ବୋଲି ପ୍ରିୟଙ୍କା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଜାଣିଶୁଣି ଚିଠିର କିଛି ଅଂଶକୁ ଚୟନ କରିଥିବା ପ୍ରିୟଙ୍କା ଗୃହକୁ ଜଣାଇଛନ୍ତି।
୧୯୩୭ରେ ନେତାଜୀ ସୁଭାଷ ବୋଷଙ୍କୁ ନେହରୁ ଲେଖିଥିବା ଚିଠିକୁ ଗୃହରେ ଉପସ୍ଥାପନ କରି ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, “ସାଂପ୍ରଦାୟିକ ଭେଦଭାବ ସୃଷ୍ଟି କରୁଥିବା ଲୋକମାନେ ହିଁ ବନ୍ଦେ ମାତରମର ବାକି ଷ୍ଟାଞ୍ଜାକୁ ନେଇ ତଥାକଥିତ ଆପତ୍ତି ଉଠାଉଥିବା ନେହରୁ ଚିଠିରେ ନେତାଜୀଙ୍କୁ କହିଥିଲେ। ଏକଥା କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣରେ ଉଲ୍ଲେଖ କରି ନାହାନ୍ତି।
ଏହାର ୩ ଦିନ ପୂର୍ବରୁ ନେତାଜୀ ଗୋଟିଏ ଚିଠି ନେହରୁଙ୍କୁ ଲେଖିଥିଲେ। ଆମେ ବନ୍ଦେ ମାତରମକୁ ନେଇ ଉଠିଥିବା ପ୍ରସଙ୍ଗରେ କୋଲକାତାରେ ଆଲୋଚନା କରିବା। ଯଦି ଆପଣ ୱାର୍କିଂ କମିଟିରେ ଏ ସମ୍ପର୍କରେ ଉଠାବେ, ତା’ହେଲେ ଆଲୋଚନା ହେବ। ସେହିପରି ଆପଣ ଯେତେବେଳେ ବି ଶାନ୍ତି ନିକେତନକୁ ଯିବେ ସେତେବେଳେ ଡକ୍ଟର ରବୀନ୍ଦ୍ର ନାଥ ଟାଗୋରଙ୍କ ସହ ପୂରା ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ନେତାଜୀ କହିଥିଲେ।
ଏହାର ୩ ଦିନ ପରେ ନେହରୁ ଏହାର ଜବାବ ଦେଇଥିଲେ। ଏହି ଚିଠିର କିଛି ଅଂଶକୁ ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣରେ ଉପସ୍ଥାପନ କରିଥିଲେ। ବାକି ଅଂଶକୁ ଜାଣିଶୁଣି ଅଣଦେଖା କରିଥିଲେ।
ଏଥିରେ ନେହରୁ କହିଥିଲେ ଯେ ‘ବନ୍ଦେ ମାତରମକୁ ନେଇ ଦେଖାଯାଇଥିବା ବଡ଼ ବିବାଦକୁ ଅଣଦେଖା କରାଯାଇ ନପାରେ। କିନ୍ତୁ ଏହା ପଛରେ କିଛି ସାଂପ୍ରଦାୟିକ ଶକ୍ତି ରହିଛନ୍ତି। ସେମାନେ ନିଜ ଯୋଜନାରେ ଯେମିତି ସଫଳ ନ ହୁଅନ୍ତି, ତା’କୁ ନିଶ୍ଚିତ କରିବାକୁ ପଡ଼ିବ। ଏବେ ମୁଁ ନିଷ୍ପତ୍ତି ନେଇଛି ଯେ ୨୫ ଅକ୍ଟୋବରରେ କୋଲାକତା ଯିବି। ଏହାଦ୍ୱାରା ମୁଁ ଡକ୍ଟର ଟାଗୋର ଓ ଅନ୍ୟମାନଙ୍କୁ ଭେଟିବାକୁ ସମୟ ପାଇବି।’
ନିଷ୍ପତ୍ତି ଅନୁସାରେ ପଣ୍ଡିତ ନେହରୁ କୋଲକାତା ଯାଇ ଗୁରୁଦେବ ଟାଗୋରଙ୍କୁ ଭେଟିଥିଲେ। ଏହାର ଦିନକ ପରେ ଟାଗୋର ମଧ୍ୟ ଗୋଟିଏ ଚିଠି ନେହରୁଙ୍କୁ ଲେଖିଥିଲେ। ଏଥିରେ ସେ କହିଥିଲେ ଯେ ପୂର୍ବରୁ ଯେଉଁ ଦୁଇ ଷ୍ଟାଞ୍ଜା ଗାନ କରାଯାଉଥିଲା, ତାହାର ମହତ୍ତ୍ୱ ବେଶ ଅଧିକ। ଗୀତର ବାକି ଅଂଶକୁ ଏଥିରୁ ଅଲଗା କରାଗଲେ ତାଙ୍କର କୌଣସି ଆପତ୍ତି ନାହିଁ। କାରଣ ୧୮୭୫ ମସିହା ନଭେମ୍ବର ୭ରେ ଲେଖାଯାଇଥିବା ମୂଳ ଗୀତ ବା କବିତା ସହ ପରବର୍ତ୍ତୀ ଷ୍ଟାଞ୍ଜାଗୁଡ଼ିକର କୌଣସି ଲିଙ୍କ ନାହିଁ। ପ୍ରଥମେ ୧୮୭୫ ମସିହାରେ ଦୁଇଟି ଷ୍ଟାଞ୍ଜା ଲେଖାଯାଇଥିଲା।
ଏହାର ୭ ବର୍ଷ ପରେ ଅର୍ଥାତ ୧୮୮୨ରେ ବାକି ଅଂଶକୁ ଯୋଡ଼ା ଯାଇଥିଲା। ସ୍ୱାଧୀନତା ସଂଗ୍ରାମ ବେଳେ ସବୁବେଳେ ସେହି ଦୁଇ ଅଂଶକୁ ଗାନ କରାଯାଉଥିଲା। ମୂଳ ଗୀତ ସହ ପରେ ଯୋଡ଼ା ଯାଇଥିବା ଷ୍ଟାଞ୍ଜାରୁ ସାଂପ୍ରଦାୟିକ ଅର୍ଥ ବାହାର କରାଯାଇ ପାରେ। ଏହାର ବ୍ୟବହାର ଅନୁଚିତ ବୋଲି ଶ୍ରୀ ଟାଗୋର ଚିଠିରେ ଉଲ୍ଲେଖ କରିଥିଲେ।
ଅକ୍ଟୋବର ୨୮ କଂଗ୍ରେସ ୱାର୍କିଂ କମିଟି ବୈଠକରେ ବନ୍ଦେ ମାତରମକୁ ରାଷ୍ଟ୍ରୀୟ ଗୀତ ଭାବେ ଘୋଷଣା କରାଯାଇଥିଲା। ମହାତ୍ମା ଗାନ୍ଧି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ନେହରୁ, ଆଚାର୍ଯ୍ୟ ନରେନ୍ଦ୍ର ଦେବ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋର ପ୍ରମୁଖ ମିଳିତ ଭାବେ ବନ୍ଦେ ମାତରମର ପ୍ରଥମ ଦୁଇ ଷ୍ଟାଞ୍ଜାକୁ ରାଷ୍ଟ୍ରୀୟ ଗୀତ ଭାବେ ଗ୍ରହଣ କରିଥିଲେ।
ସ୍ୱାଧୀନତା ପରେ ଅର୍ଥାତ ୧୯୫୦ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ସମିତିରେ ଯେତେବେଳେ ବନ୍ଦେ ମାତରମକୁ ରାଷ୍ଟ୍ରୀୟ ଗୀତ ଘୋଷଣା କରିଥିଲେ ସେତେବେଳେ ଉପରୋକ୍ତ ଅଧିକାଂଶ ମହାପୁରୁଷଙ୍କ ସମେତ ବିଆର ଆମ୍ବେଦକର ଓ ଶାସକ ଦଳର ଆଦର୍ଶ ଶ୍ୟାମା ପ୍ରସାଦ ମୁଖାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।
ସେମାନେ କେହି ବି ବନ୍ଦେ ମାତରମକୁ ନେଇ ଆପତ୍ତି ଉଠାଇ ନଥିଲେ। ସମସ୍ତେ ମିଳିତ ଭାବେ ପ୍ରଥମ ଦୁଇ ଷ୍ଟାଞ୍ଜା ବା ଅନ୍ତରାକୁ ରାଷ୍ଟ୍ରୀୟ ଗୀତର ମାନ୍ୟତା ଦେଇଥିଲେ।
ଆଜି ଆମେ ରାଷ୍ଟ୍ରୀୟ ଗୀତ ଉପରେ ବିତର୍କ କରୁଛେ। ହେଲେ ଆମ ରାଷ୍ଟ୍ରୀୟ ସଂଗୀତ ମଧ୍ୟ ଗୋଟିଏ କବିତାର ଅଂଶବିଶେଷ। ଏହି ରାଷ୍ଟ୍ର ଗୀତ ଓ ରାଷ୍ଟ୍ରୀୟ ସଂଗୀତକୁ ଚୟନ କରିବାରେ ଡକ୍ଟର ଟାଗୋର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/08/priyanka-2025-12-08-17-55-58.jpg)