Advertisment

କୋର୍ଟରେ ପୁରୁଣା କଥା ଦୋହରାଇଲା ଇଡି, ୧ ଯାଏ ରିମାଣ୍ଡରେ ଗଲେ କେଜ୍ରିୱାଲ

ଆସନ୍ତା ୧ ତାରିଖ ଯାଏ ସେ ଇଡି ରିମାଣ୍ତରେ ରହିବେ। ମାର୍ଚ୍ଚ୨୧ ତାରିଖରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ୨୨ ତାରିଖରୁ ୭ ଦିନ ଅର୍ଥାତ ୨୮ ତାରିଖ ଯାଏ ରିମାଣ୍ଡରେ ନେଇଥିଲା।

ଅଦ୍ୟତନ ହୋଇଛି
Kejriwal

Kejriwal

Advertisment

ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳି ନାହିଁ। ପୁରୁଣା କଥା ଦୋହରାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପୁଣି ରିମାଣ୍ଡରେ ନେଇଛି।

Advertisment

ଆସନ୍ତା ୧ ତାରିଖ ଯାଏ ସେ ଇଡି ରିମାଣ୍ତରେ ରହିବେ। ମାର୍ଚ୍ଚ୨୧ ତାରିଖରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ୨୨ ତାରିଖରୁ ୭ ଦିନ ଅର୍ଥାତ ୨୮ ତାରିଖ ଯାଏ ରିମାଣ୍ଡରେ ନେଇଥିଲା।

ଆଜି ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଇଡି ରାଉଜ ଆଭିନ୍ୟୁ କୋର୍ଟରେ ତାଙ୍କୁ ହାଜର କରିଥିଲା। ଏହି ସମୟରେ ଇଡି ତାଙ୍କୁ ଆଉ ୭ ଦିନର ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। କିନ୍ତୁ କୋର୍ଟ ତାଙ୍କୁ ୪ ଦିନର ରିମାଣ୍ଡରେ ପଠାଇ ଦେଇଛନ୍ତି।

Advertisment

ଆଡିସିନାଲ ସଲିସିଟର ଜେନେରାଲ ଏସ୍‌ଭି ରାଜୁ ଓ ସ୍ପେଶାଲ କାଉନସିଲ ଜୋହେବ ହୁସେନ ଇଡି ପାଇଁ ଯୁକ୍ତି ରଖିଥିଲେ। ସେମାନେ କହିଛନ୍ତି ଯେ ତଦନ୍ତ ବେଳେ ଠାବ ହୋଇଥିବା ଡିଜିଟାଲ ତଥ୍ୟର ଯାଞ୍ଚ ଆବଶ୍ୟକ। କେଜ୍ରିୱାଲ ଡିଜିଟାଲ ତଥ୍ୟ ପାଇବା ପାଇଁ ଆବଶ୍ୟକ ପାସୱାର୍ଡ ଦେଉ ନାହାନ୍ତି। ସେ କୌଣସି ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି। ତାଙ୍କୁ କିଛି ଲୋକଙ୍କ ସାମ୍ନାସାମ୍ନି ଜେରା କରିବାର ଆବଶ୍ୟକତା ରହିଛି।

ତେବେ ଇଡି ରିମାଣ୍ଡ ଆବେଦନ କରିଥିବା ବେଳେ କେଜ୍ରିୱାଲ ବେଶ ବେଧଡ଼କ ଅନ୍ଦାଜରେ ନିଜର ପକ୍ଷ କୋର୍ଟରେ ରଖିଥିଲେ। ସେ କହିଛନ୍ତି, “ଏହି ମାମଲା ଦୁଇ ବର୍ଷ ହେଲା ଚାଲିଛି। ଅଗଷ୍ଟ ୧୭ରେ ମାମଲା ହୋଇଥିଲା। କୌଣସି କୋର୍ଟ ମୋତେ ଦୋଷୀ ବିବେଚନା କରି ନାହାନ୍ତି। ମୋ ବିରୋଧରେ କୌଣସି ଚାର୍ଜ ନାହିଁ କିମ୍ବା ମୋ ନାଁରେ କୌଣସି ମାମଲା ହୋଇ ନାହିଁ।

କିନ୍ତୁ ମୋତେ ଗିରଫ କରାଯାଇଛି। ମନୀଷ ସିସୋଦିଆଙ୍କ ସଚିବ ସି ଅରବିନ୍ଦ କହିଛନ୍ତି ଯେ ମୋ ଉପସ୍ଥିତିରେ ସିସୋଦିଆ ତାଙ୍କୁ କିଛି ଫାଇଲ ଦେଇଛନ୍ତି। ଅନେକ ମନ୍ତ୍ରୀ ମୋ ଘରକୁ ଆସନ୍ତି ଓ ଦସ୍ତାବିଜ ଦିଅନ୍ତି। କ’ଣ ଜଣେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ଏହା ଯଥେଷ୍ଟ?

୨୦୨୨ ଅଗଷ୍ଟ ୨୨ରେ ଇଡି ପକ୍ଷରୁ ଇସିଆଇଆର ଦାଖଲ କରାଯାଇଥିଲା। ଇଡି ଏଯାଏ ୩୧ ହଜାର ଦସ୍ତାବିଜ ଠାବ କରିଛି। ମୋ ନାଁ କେବଳ ୪ଟି ବୟାନରେ ରହିଛି। ରାଘବ ମାଗୁଣ୍ଟା ୫ଟି ବୟାନ ଦେଇଛନ୍ତି। ତାଙ୍କୁ ଯାହା କୁହାଯାଇଥିଲା, ସେ ସେହି ଅନୁସାରେ ବୟାନ ଦେଇଛନ୍ତି। କୌଣସି ବିବୃତିରେ ସେ ମୋ ବିଷୟରେ କିଛି ବି କହି ନାହାନ୍ତି।

ଘଟଣାରେ ଗିରଫ ହୋଇଥିବା ଶରତ ରେଡ୍ଡୀ ଜେଲରୁ ଆସିବା ପରେ ବିଜେପିକୁ ୫୫ କୋଟି ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ ଦେଇଛନ୍ତି। ଏଥିରୁ ମନି ଟ୍ରାଏଲ ପ୍ରମାଣିତ ହେଉଛି। ତଥାପି କିଛି ବି ହେଉନି। ସେମାନେ କେବଳ ଆପ୍‌କୁ ଦଳି ଦେବାକୁ ଚାହାନ୍ତି। ସେମାନେ ଲୁଟ କରିବାକୁ ଚାହୁଁଛନ୍ତି।

ଶରତ ରେଡ୍ଡୀଙ୍କ ୭ଟି ବୟାନ ରହିଛି। ଏହା ମଧ୍ୟରୁ ୬ଟିରେ ମୋ ନାଁ ନଥିଲା। ୭ମ ବିବୃତିରେ ସେ ମୋ ନାଁ ନେବା ପରେ ତାଙ୍କୁ ଜାମିନ ମିଳି ଯାଇଥିଲା। କେବଳ ୪ଟି ବିବୃତିରେ ଇଡି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଛି। ହେଲେ ଇଡି ପାଖରେ ମୁଁ ନିର୍ଦ୍ଦୋଷ ନେଇ ରହିଥିବା ହଜାର ହଜାର ଦସ୍ତାବିଜର ଅର୍ଥ କ’ଣ?

ଯଦି ୧୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି, ତା’ହେଲେ ସେସବୁ ଟଙ୍କା କୁଆଡ଼େ ଗଲା? ପ୍ରକୃତରେ ଇଡି ତଦନ୍ତ କରିବା ପରେ ଦୁର୍ନୀତି ଆରମ୍ଭ ହୋଇଛି। ଏସବୁ ସତ୍ତ୍ୱେ ଇଡି ଯଦି ମୋତେ ରିମାଣ୍ଡରେ ରଖିବାକୁ ଚାହୁଁଛି, ତା’ହେଲେ ଏଥିରେ ମୁଁ ରାଜି। ଇଡିର ଦୁଇଟି ଲକ୍ଷ୍ୟ, ଗୋଟିଏ ହେଲା ଆପ୍‌କୁ ଧ୍ୱଂସ କରିବା ଓ ଅନ୍ୟଟି ହେଲା ବିଭିନ୍ନ ଆଳରେ ଟଙ୍କା ଲୁଟ ବା ବଟି ଆଦାୟ କରିବା। ”

ତେବେ ଇଡି ପକ୍ଷରୁ ଏସବୁ ଅଭିଯୋଗକୁ ଖଣ୍ଡନ କରାଯାଇଛି। ଇଡି ପୁଣିଥରେ କୋର୍ଟରେ ପୁରୁଣା କଥା କହିଛନ୍ତି। ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଅରବିନ୍ଦ କେଜ୍ରିୱାଲ ବଡ଼ବଡ଼ ଓକିଲଙ୍କୁ ପ୍ରଚୁର ଟଙ୍କା ଦେଇ ଆଣିଛନ୍ତି।

ସାଧାରଣ ଲୋକଙ୍କୁ ଏପରି ସୁବିଧା ମିଳେ ନାହିଁ। ଯଦି ଜଣେ ବ୍ୟକ୍ତିଙ୍କର ବୟାନକୁ ଚାପ ପକାଇ ରେକର୍ଡ କରାଯାଇଛି। ତା’ହେଲେ ଏହାର ଟ୍ରାଏଲ ହେବା ଜରୁରୀ। କେଜ୍ରିୱାଲ ୧୦୦ କୋଟି ଟଙ୍କାର ଲାଞ୍ଚ ମାଗିଥିବା ଆମ ପାଖରେ ବଳିଷ୍ଠ ପ୍ରମାଣ ରହିଛି।

ଗୋଆ ନିର୍ବାଚନରେ ଲାଞ୍ଚ ଟଙ୍କାକୁ ଆପ୍‌ ବ୍ୟବହାର କରିଥିଲା। ଯେଉଁମାନେ ବିଳମ୍ବରରେ ତାଙ୍କ ନାଁ ନେଇଛନ୍ତି, ସେମାନେ ଏହା ପଛର କାରଣ ମଧ୍ୟ କହିଛନ୍ତି। ଏହା ଦସ୍ତାବିଜରେ ରହିଛି। ଦିଲ୍ଲୀ ହାଇକୋର୍ଟଙ୍କ ଆଗରେ ସବୁ କିଛି ଉପସ୍ଥାପନ କରାଯାଇଛି। ଆପ ଲାଞ୍ଚ ନେଇଛି ଓ ଏହାକୁ ଗୋଆ ନିର୍ବାଚନରେ ଖର୍ଚ୍ଚ କରିଛି। ହାୱାଲା ରାକେଟ ଦ୍ୱାରା ଟଙ୍କା କାରବାର ହୋଇଥିବା ପ୍ରମାଣ ରହିଥିବା ଇଡି କହିଛି।

ଏହା ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିବା ସହ କେଜ୍ରିୱାଲଙ୍କୁ ଏପ୍ରିଲ ୧ ଯାଏ ଇଡି ରିମାଣ୍ଡରେ ପଠାଇ ଦେଇଥିଲେ। କୋର୍ଟରେ ହାଜର ହେବା ବେଳେ କେଜ୍ରିୱାଲ ତାଙ୍କ ଗିରଫଦାରୀଙ୍କୁ ରାଜନୀତିକ ଷଡ଼ଯନ୍ତ୍ର ବୋଲି କହିଥିଲେ।

ED Raid Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe