ପଶ୍ଚିମ ବଙ୍ଗର ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ଜଣେ ଅତିଥି ଅଧ୍ୟାପକ ତିନି ଜଣ ଛାତ୍ରୀଙ୍କୁ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ପ୍ରସ୍ତାବ ଦେଇଥିବା ନେଇ ଶାନ୍ତିନିକେତନ ଥାନାରେ ଅଭିଯୋଗ ହୋଇଛି। କୋର୍ଟରେ ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ସେମିଷ୍ଟର ପରୀକ୍ଷାଗୁଡ଼ିକରେ ସାହାଯ୍ୟ କରିବା ପାଇଁ କହି ଅତିଥି ଅଧ୍ୟାପକ ଜଣଙ୍କ ଏଭଳି ପ୍ରସ୍ତାବ ରଖିଥିଲେ ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି।
ଏହି ତିନି ଜଣ ଛାତ୍ରୀ ବିଶ୍ୱବିଦ୍ୟାଳୟର ପାର୍ସୀ, ଉର୍ଦ୍ଦୁ ଓ ଇସ୍ଲାମିକ୍ ଷ୍ଟଡିଜ୍ ବିଭାଗର। ଅଭିଯୁକ୍ତ ଅତିଥି ଅଧ୍ୟାପକ ଜଣଙ୍କ ହ୍ୱାଟ୍ସ ଆପ୍ରେ ସେମାନଙ୍କ ପାଖକୁ ଅଶ୍ଲୀଳ ମେସେଜ ପଠାଉଥିଲେ। ଏହା ସହିତ ବେଳେ ବେଳେ ବିଭିନ୍ନ ବାହାନା କରି ସେମାନଙ୍କ ଶରୀରକୁ ସ୍ପର୍ଶ କରୁଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି।
ଶାନ୍ତିନିକେତନ ପୁଲିସ୍ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଅଧ୍ୟାପକ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଛ ବୋଲି କହିଛନ୍ତି। ତାଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ସେ କହିଛନ୍ତି।
ବିଶ୍ୱ ଭାରତୀ ଅଧ୍ୟାପକ ସଂଘ ପକ୍ଷରୁ ତୁରନ୍ତ ଘଟଣାର ତଦନ୍ତ କରାଯିବାକୁ ଦାବି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।