Advertisment

ଅସନ୍ତୋଷ ଝାଡ଼ିଲେ , ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ପ୍ରଫେସର ଅଲୀ ଖାନଙ୍କ ଜାମିନ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ମାମଲା ଏବେ ବିଚାରାଧୀନ ଥିବାରୁ ପ୍ରଫେସର ଅଲୀ ଖାନ ଏ ସମ୍ପର୍କରେ କୌଣସି ଅନଲାଇନ ପୋଷ୍ଟ କିମ୍ବା ଅନଲାଇନ ଭାଷଣ ଦେଇପାରିବେ ନାହିଁ।

author-image
Hemant Lenka
Ali Khan

Ali Khan

ହରିୟାଣାରେ ଥିବା ଅଶୋକା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଓ ରାଜନୀତିକ ବିଜ୍ଞାନ ବିଭାଗର ମୁଖ୍ୟ ଅଲୀ ଖାନ ମହମୁଦାବାଦଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି। ଅପରେସନ ସିନ୍ଦୂରକୁ ନେଇ ସେ ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରିଥିଲେ। ଏହାକୁ ନେଇ ବିବାଦ ହୋଇଥିଲା ଓ ସ୍ଥାନୀୟ ବିଜେପି ନେତାଙ୍କ ଅଭିଯୋଗକ୍ରମେ ତାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଆଜି ସୁପ୍ରିମକୋର୍ଟ ପ୍ରଫେସର ଅଲୀ ଖାନଙ୍କୁ ଜେଲରୁ ଖସାଲ କରିବାକୁ କହିଛନ୍ତି। ସୋନିପତ ସିଜେଏମଙ୍କ ନିକଟରେ ବଣ୍ଡ ଦାଖଲ କରି ସେ ଜାମିନରେ ଯାଇ ପାରିବେ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ପ୍ରଫେସର ଅଲୀ ଖାନଙ୍କ ଜାମିନ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ମାମଲା ଏବେ ବିଚାରାଧୀନ ଥିବାରୁ ପ୍ରଫେସର ଅଲୀ ଖାନ ଏ ସମ୍ପର୍କରେ କୌଣସି ଅନଲାଇନ ପୋଷ୍ଟ କିମ୍ବା ଅନଲାଇନ ଭାଷଣ ଦେଇପାରିବେ ନାହିଁ। ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଏନ କୋଟିସର ସିଂହଙ୍କ ଖଣ୍ଡପୀଠ ପ୍ରଫେସରଙ୍କୁ ସମାଲୋଚନା କରିଛନ୍ତି ଓ ପଚାରିଛନ୍ତି ଯେ “କାହିଁକି ଶସ୍ତା ଲୋକପ୍ରିୟତା ହାସଲ କରିବାକୁ ଚେଷ୍ଟା କରୁଛନ୍ତି?” ପ୍ରଫେସର ଅଲୀ ଖାନ ନିଜର ମତାମତ ଉପସ୍ଥାପନ କରିବା ପାଇଁ ବ୍ୟବହାର କରିଥିବା ଶବ୍ଦ ଉପରେ ମଧ୍ୟ ଖଣ୍ଡପୀଠ ପ୍ରଶ୍ନ ଉଠାଇଛନ୍ତି।

ଖଣ୍ଡପୀଠ କହିଛନ୍ତି, “ସମସ୍ତଙ୍କର ବାକ ସ୍ୱାଧୀନତାର ଅଧିକାର ରହିଛି। ହେଲେ ପ୍ରଫେସର ଅଲୀ ଖାନ ବ୍ୟବହାର କରିଥିବା ଶବ୍ଦ ଆଇନ ଅଧୀନରେ ଡଗ୍‌ ହ୍ୱିସଲିଂ। ବର୍ତ୍ତମାନ ସମୟରେ ଦେଶରେ ଅନେକ କିଛି ଘଟିବାରେ ଲାଗିଛି। ଏଭଳି ସମୟରେ ସେ ଏପରି ଶବ୍ଦ ଚୟନ କଲେ ଯାହା ନିରାଶାଜନ, ଅପମାନିତ ଓ ଅନ୍ୟ ପାଇଁ ଅସୁବିଧା ସୃଷ୍ଟି କରୁଛି। ସେ ଜଣେ ଶିଖିତ ବ୍ୟକ୍ତି। ସେ ଏପରି ଶବ୍ଦ ଆଦୌ ବ୍ୟବହାର କରିବାର ନଥିଲା।”

Advertisment

ସୁପ୍ରିମକୋର୍ଟ ହରିୟାଣା ଡିଜିପିଙ୍କୁ ୨୪ ଘଣ୍ଟା ମଧ୍ୟରେ ଏସ୍‌ଆଇଟି ଗଠନ କରିବାକୁ କହିବା ସହ ପ୍ରଫେସରଙ୍କୁ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସଆଇଟିରେ ୩ ଜଣ ଆଇପିଏସ ଅଫିସର ରହିବେ। ୩ ଜଣଙ୍କ ମଧ୍ୟରେ ରହିବାକୁ ଥିବା ମହିଳା ଆଇପିଏସ ଜଣଙ୍କ ରାଜ୍ୟ ବାହାରର ଅଧିକାରୀ ହୋଇଥିବା ଜରୁରୀ। ତଦନ୍ତ ନ ସରିବା ଯାଏ ପ୍ରଫେସର ଅଲୀ ଖାନ ଆତଙ୍କବାଦୀ ହମଲା ସମ୍ପର୍କ କିମ୍ବା ଏହାର କାଉଣ୍ଟର ଆଟାକ ସମ୍ପର୍କରେ କୌଣସି ପ୍ରକାରର ବୟାନ ଦେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ପ୍ରଫେସରଙ୍କୁ ନିଜ ପାସପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି।

ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲୀ ଖାନଙ୍କୁ ମେ’ ୧୮ରେ ଗିରଫ କରାଯାଇଥିଲା। ଅପରେସନ ସିନ୍ଦୂର ସମ୍ପର୍କରେ ସେ ସୋଶାଲ ମିଡିଆରେ କରିଥିବା ଦେଶର ଅଖଣ୍ଡତା ଓ ଏକତାକୁ କ୍ଷୁଣ୍ଣ କରୁଥିବା ଅଭିଯୋଗ ହେବା ପରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ସୋନିପତର ଗୋଟିଏ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ପ୍ରଥମେ ଦୁଇ ପାଇଁ ପୁଲିସ୍‌ ତାଙ୍କୁ ରିମାଣ୍ଡରେ ନେଇଥିଲା। ମଙ୍ଗଳବାର ତାଙ୍କୁ କୋର୍ଟ ୨୭ ତାରିଖ ଯାଏ ବିର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

Supreme Court Operation Sindoor