Advertisment

ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଓ ଭଙ୍ଗାରୁଜା, ୮ ଗିରଫ

ବିକ୍ଷୋଭକାରୀ ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Protest Outside Allu Arjun's Residence

Protest Outside Allu Arjun's Residence

ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ଦଳାଚକଟା ଘଟଣାରେ ପୁଷ୍ପାରାଜ ଓରଫ୍ ଅଲ୍ଲୁ ଅର୍ଜୁନଙ୍କ ପିଛା ଛାଡ଼ୁନି ବିବାଦ। ଜେଲକୁ ଯାଇ ବେଲରେ ବାହାରକୁ ଆସିବା ପରେ ମଧ୍ୟ ସାଉଥ ସୁପରଷ୍ଟାରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହାରି ଭିତରେ ଆଜି ଓସମାନିଆ ୟୁନିଭର୍ସିଟିର କିଛି ସଦସ୍ୟ ଅଲ୍ଲୁ ଅର୍ଜୁନଙ୍କ ହାଇଦ୍ରାବାଦ ଜୁବଲି ହିଲ୍ସସ୍ଥିତ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିନେତାଙ୍କ ଘର ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଆନ୍ଦୋଳନକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି।

Advertisment

ଓସମାନିଆ ୟୁନିଭର୍ସିଟିର ଏହି ଦଳ ଅଲ୍ଲୁଙ୍କ ଘର ବାହାରେ ଥିବା ଫୁଲକୁଣ୍ଡ ଓ ଅନ୍ୟାନ୍ୟ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ। ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ମୃତ୍ୟୁ ହୋଇଥିବା ମହିଳାଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରି ସେମାନେ ଏହି ବିକ୍ଷୋଭ କରିଥିଲେ। ବିକ୍ଷୋଭକାରୀମାନେ ଅଭିନେତାଙ୍କ ଘର ଭିତରକୁ ଧସେଇ ପସିବାକୁ ମଧ୍ୟ ଉଦ୍ୟମ କରିଥିଲେ। ତେବେ ଠିକଣା ସମୟରେ ସେଠାରେ ଜୁବଲି ହିଲ୍ସ ପୁଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ ଅଟକାଇବା ସହ ସେମାନଙ୍କମଧ୍ୟରୁ ୮ଜଣଙ୍କୁ ଗିରଫ କରିଛି।

ଉଲ୍ଲେଖ ଯୋଗ୍ୟ, ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା-୨:  ଦି ରୁଲ୍ସ’ର ପ୍ରିମିୟର ସ୍କ୍ରିନିଂ କରାଯାଇଥିଲା। ଏଠାରେ ନିଜେ ଅଲ୍ଲୁ ଅର୍ଜୁନ ମଧ୍ୟ ପହଞ୍ଚିଥିଲେ। ଯେଉଁଠାରେ ଅଲ୍ଲୁଙ୍କୁ ଦେଖିବାକୁ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଦଳାଚକଟା ସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ଜଣେ ୩୫ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କର ନାବାଳକ ପୁଅ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲା।

Advertisment

ପୁଲିସର ଅଭିଯୋଗ ଅନୁଯାୟୀ ଅଲ୍ଲୁ ଅର୍ଜୁନ ସେଠାକୁ ଯିବେ ବୋଲି ପୂର୍ବରୁ ପୁଲିସକୁ କୌଣସି ସୂଚନା ଦିଆଯାଇନଥିଲା। ସେଠାରେ ଦଳାଚକଟା ସ୍ଥିତି ଉପୁଜିବା ପରେ ମଧ୍ୟ ଅଲ୍ଲୁ ଅର୍ଜୁନ ସେଠାରୁ ଯିବାକୁ ରାଜି ହୋଇନଥିଲେ। ପୁଲିସ ଗିରଫ କରିବାକୁ ଚେତାବନୀ ଦେବା ପରେ ସେ ସେଠାରୁ ଯାଇଥିଲେ। ଏପରିକି ସେଠାରେ ନିଜ କାରର ସନରୁଫରେ ଛିଡ଼ା ହୋଇ ସେ ରୋଡ ଶୋ’ କରିଥିଲେ ବୋଲି ବିଧାନସଭାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି। ତେବେ ଏହି ମାମଲାରେ ଅଭିନେତାଙ୍କୁ ଗିରଫ କରାଯାଇଥିଲେ ହେଁ ସେ ବେଲରେ ବାହାରକୁ ଆସିଛନ୍ତି।

Allu Arjun Hyderabad Stampede Pushpa 2 Pushpa 2 Stampede