Delhi
କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଶ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ନ୍ୟାୟ ପାଇଁ ବିକ୍ଷୋଭ କରି ପୁଲିସ୍ ଦ୍ୱାରା ଅଟକ ରହିବା ପରେ ଦେଶର ଷ୍ଟାର ରେସଲରମାନେ ନିଜର ଆଭିମୁଖ୍ୟକୁ କଡ଼ା କରିଛନ୍ତି। ସେମାନେ ଦେଶ ପାଇଁ ଜିତିଥିବା ବିଭନ୍ନ ପଦକୁ ଆଜି ସନ୍ଧ୍ୟା ୬ଟାରେ ହରିଦ୍ୱାର ସ୍ଥିତ ଗଙ୍ଗା ନଦୀରେ ବିସର୍ଜନ କରିବେ। ସେହିପରି ନିଜର ହକ ପାଇଁ ଇଣ୍ଡିଆ ଗେଟ୍ ନିକଟରେ ଆମରଣ ଅନଶନ କରିବେ ବୋଲି ଘୋଷଣା କରିଛନ୍ତି।
୨୦୧୬ ରିଓ ଅଲିମ୍ପିକ୍ସରେ ଦେଶ ପାଇଁ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିବା ସାକ୍ଷୀ ମଲିକ ଗୋଟିଏ ବିବୃତିରେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ “ରେସଲରମାନେ ମଙ୍ଗଳବାର ହରିଦ୍ୱାର ଯିବେ ଓ ସେଠାରେ ପଦଗୁଡ଼ିକ ପବିତ୍ର ନଦୀରେ ବିସର୍ଜନ କରିବେ।
ଏହି ମେଡାଲଗୁଡ଼ିକ ଆମ ଜୀବନ ଓ ଆତ୍ମା। ଆମେ ଏଗୁଡ଼ିକୁ ଗଙ୍ଗାରେ ବିସର୍ଜନ କରିବାକୁ ଯାଉଛୁ। କାରଣ ସେ ହେଉଛନ୍ତି ମା’ ଗଙ୍ଗା। ଏହାପରେ ବଞ୍ଚିବାର କୌଣସି କାରଣ ନାହିଁ। ତେଣୁ ମୃତ୍ୟୁ ଯାଏ ଆମେ ଇଣ୍ଡିଆ ଗେଟ୍ରେ ଆମେ ଆମରଣ ଅନଶନରେ ବସିବୁ।”
ଏହି ବିବୃତିକୁ ଅନ୍ୟତମ ଷ୍ଟାର ରେସଲର ଭିନେଶ ଫୋଗଟ ମଧ୍ୟ ଟ୍ୱିଟରେ ଶେୟାର କରିଛନ୍ତି। ସାକ୍ଷୀ ମଲିକ ଆହୁରି କହିଛନ୍ତି, ହରିଦ୍ୱାରରେ ଗଙ୍ଗା ଦଶହରା ମଙ୍ଗଳବାର ପାଳନ ହେବ। ଏଠାରେ ଅନେକ ଲୋକ ଆଜି ପ୍ରାର୍ଥନା କରିବେ। ଗଙ୍ଗା ଯେଉଁଭଳି ପିବତ୍ର, ଆମେ ମଧ୍ୟ ସେତକି ପବିତ୍ରତାର ସହ ପଦକ ଗୁଡ଼ିକ ଜିତିଥିଲୁ।
ଏହି ମେଡାଲ ଗୁଡ଼ିକ ପୂରା ଦେଶ ପାଇଁ ପବିତ୍ର। ଗଙ୍ଗାଠାରୁ ପବିତ୍ର ଠାରୁ ଭଲ ସ୍ଥାନରେ ମେଡାଲ ଗୁଡ଼ିକ ରଖାଯାଇ ପାରିବ ନାହିଁ। ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଥିବା ଅପବିତ୍ର ବ୍ୟବସ୍ଥା ପାଖରେ ମେଡାଲ ରଖିବା ପରିବର୍ତ୍ତେ ଏହାକୁ ପବିତ୍ର ଗଙ୍ଗାରେ ବିସର୍ଜନ କରିଦେବା ଭଲ।
ଦେଶ ପାଇଁ ବଳିଦାନ ଦେଉଥିବା ସହିଦଙ୍କ ସ୍ଥାନ ହେଉଛି ଇଣ୍ଡିଆ ଗେଟ। ଆମେ ତାଙ୍କ ଭଳି ପବିତ୍ର ହୋଇ ନ ପାରୁ। କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ଖେଳିବା ବେଳେ ଆମେ ଦେଶର ସୈନିକ ଭାବେ ନିଜକୁ ପରିଗଣିତ କରୁ। ନିର୍ଯାତନା ଦେଉଥିବା ଲୋକଙ୍କୁ ଧରିବା ବଦଳରେ ବ୍ୟବସ୍ଥା ପୀଡ଼ିତାଙ୍କୁ ହରାଇବାକୁ ଚେଷ୍ଟା କରୁଛି ଓ ଆନ୍ଦୋଳନକୁ ବନ୍ଦ କରିଛି।
ଆମେ ଏହି ସବୁ ମେଡାଲକୁ ଆଉ ଚାହୁଁନାହୁଁ। କାରଣ ଆମକୁ ଏହା ପିନ୍ଧାଇ ଏହି ବ୍ୟବସ୍ଥା ଆମକୁ ନିର୍ଯାତନା ଦେଇ ନିଜର ପ୍ରଚାର କରୁଛି। ଯଦି ଆମେ ନିର୍ଯାତନା ବିରୋଧରେ ସ୍ୱର ଉଠାଉଛୁ, ତା’ହେଲେ ଆମକୁ ଜେଲ ପଠାଇବାକୁ ବ୍ୟବସ୍ଥା କରାଯାଉଛି। ମହିଳା ରେସଲରମାନେ ଏବେ ଅନୁଭବ କଲେଣି ଯେ ସେମାନଙ୍କ ପାଇଁ ଦେଶରେ ଆଉ କିଛି ନାହିଁ।
ଏହି ବ୍ୟବସ୍ଥା ଆମକୁ ଶସ୍ତା ଭାବେ ବ୍ୟବହାର କରୁଛି। ଅଲିମ୍ପିକ୍ସ ଓ ବିଶ୍ୱ ଚାମ୍ପିୟନଶିପରେ ମେଡାଲ ଜିତିବା ବେଳର ମୁହୂର୍ତ୍ତ ଆମର ମନେ ଅଛି। ଆମେ ଏବେ ଭାବୁଛୁ ଯେ କାହିଁକି ଆମେ ସେଗୁଡ଼ିକ ଜିତୁ ଥିଲୁ? ବ୍ୟବସ୍ଥା ଆମକୁ ତଳେ ପକାଇ ଘୋଷାଡ଼ିବା ସହ ଆମକୁ ଅପରାଧୀ ସଜାଇଛି। ପୁଲିସ୍ ଆମ ସହ ଅମାନୁଷିକ ବ୍ୟବହାର କରିଛି।
ଆମେ ଆମର ଆନ୍ଦୋଳନ ବେଶ ଶାନ୍ତିଶୃଙ୍ଖଳାର ସହ କରୁଥିଲୁ। ତଥାପି ଆମକୁ ଗିରଫ କରାଗଲା। ଆମ ଆନ୍ଦୋଳନ ସ୍ଥଳକୁ ନଷ୍ଟ କରାଯିବା ଆମ ଠାରୁ ଏହାକୁ ଛଡ଼ାଇ ନିଆଗଲା। ଦିନକ ପରେ ଆମ ନାଁରେ ଏଫଆଆର ମଧ୍ୟ ରୁଜୁ କରାଯାଇଛି। କ’ଣ ମହିଳା ରେସଲରମାନେ ନ୍ୟାୟ ମାଗି ଅପରାଧ କରିଛନ୍ତି? ପୁଲିସ ଓ ବ୍ୟବସ୍ଥା ଆମକ ସହ ଅପରାଧୀ ଭଳି ବ୍ୟବହାର କରିଛି। ହେଲେ ପ୍ରକୃତ ଅପରାଧୀ ଆମକୁ ତାଚ୍ଛଲ୍ୟ କରୁଛନ୍ତି।
ଆମର ପ୍ରଧାନମନ୍ତ୍ରୀ ଆମକୁ ଘରର ଝିଅ ବୋଲି କହୁଥିଲେ। ହେଲେ ସେ ଗୋଟିଏ ଥର ଆମର ସୁବିଧା ଅସୁବିଧା କଥା ବୁଝିଲେ ନାହିଁ। ସେ ଆମକୁ ନିର୍ଯାତନା ଦେଇଥିବା ବ୍ୟକ୍ତିଙ୍କୁ ସଂସଦର ଉଦଘାଟନୀ ଉତ୍ସବକୁ ଡାକିଥିଲେ। ସେ ମଧ୍ୟ ଧୋବଫରଫର ପୋଷାକ ପିନ୍ଧି ଆସିବା ସହ ଫଟୋ ଉଠାଇଥିଲେ। ସେ ନିଜକୁ ନିଜେ ପୂରା ବ୍ୟବସ୍ଥା ଭାବେ ବିବେଚନା କରିଛନ୍ତି।
ଚମକୁଥିବା ତଥାକଥିତ ବ୍ୟବସ୍ଥାରେ ଆମର ସ୍ଥାନ କେଉଁଠି? ଭାରତର ଝିଅମାନଙ୍କ ସ୍ଥାନ କେଉଁଠି? କ’ଣ ଆମେ କେବଳ ନାରାବାଜୀ ଓ କ୍ଷମତାକୁ ଆସିବାର ଏଜେଣ୍ତା ହୋଇ ରହି ଯାଇଛୁ?
ଆମେ ଆମର ମେଡାଲକୁ ଗଙ୍ଗାରେ ବିସର୍ଜନ କରିବାକୁ ଯାଉଛୁ। ଆମେ ଗଙ୍ଗାକୁ ଯେତିକି ପବିତ୍ର ଭାବୁଛି, ସେତିକି ପବିତ୍ର ଓ କଠିନ ପରିଶ୍ରମ କରି ଆମେ ଦେଶ ପାଇଁ ଏଗୁଡ଼ିକ ଜିତିଥିଲୁ। ଅପବିତ୍ର ବ୍ୟବସ୍ଥା ତା’ର କାମ କରୁଛି ଓ ଆମେ ଆମର କାମ କରିବୁ।
ଏବେ ଲୋକମାନେ ଦେଶର ଝିଅମାନଙ୍କ ସହ ରହିବେ ନା ଚମକୁଥିବା ତଥାକଥିତ ବ୍ୟବସ୍ଥା ସହ, ସେକଥା ସେମାନେ ସ୍ଥିର କରିବେ। ଆଜି ସନ୍ଧ୍ୟା ୬ଟାରେ ହରିଦ୍ୱାରରେ ଆମେ ମେଡାକଲ ବିସର୍ଜନ କରିବୁ। ଏହି ମହାନ ଦେଶ ପ୍ରତି ଆମେ ସବୁବେଳେ ଋଣୀ ହୋଇ ରହିବୁ ବୋଲି ସାକ୍ଷୀ ଶେୟାର କରିଥିବା ବିବୃତିରେ କହିଛନ୍ତି।
ସାକ୍ଷୀଙ୍କ ବ୍ୟତୀତ ଅଲିମ୍ପିକ୍ସ ବଜରଙ୍ଗ ପୁନିଆ ମଧ୍ୟ ମେଡାଲ ଜିତିଥିଲେ। ଭିନେଶ ଫୋଗଟ ବିଶ୍ୱ ରେସଲିଂ ଚାମ୍ପିୟନଶିପରେ ପଦକ ହାତେଇ ଥିଲେ। ଏମାନେ ମଧ୍ୟ ନିଜ ନିଜର ପଦକ ବିସର୍ଜନ କରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Delhi_1685443057.jpg)