Advertisment

ଆନ୍ଦୋଳନ କରୁଥିବା ରେସଲରଙ୍କୁ ଭେଟିଲେ ପିଟି ଉଷା, ଦେଲେ ଏମିତି ଆଶ୍ୱସନା

ଆଜି ସେ ଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚି ଆନ୍ଦୋଳନ କରୁଥିବା ରେସଲରମାନଙ୍କ ସହ ବେଶ କିଛି ସମୟ ଆଲୋଚନା କରିଛନ୍ତି। ଏଥିସହ ସେମାନଙ୍କୁ ନ୍ୟାୟ ଦେବାକୁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

PT Usha

PT Usha

Advertisment

ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଆଣି ଦୀର୍ଘ ୧୧ ଦିନ ହେଲା ଆନ୍ଦୋଳନ କରୁଥିବା ଷ୍ଟାର ରେସଲରମାନଙ୍କୁ ଭେଟିଛନ୍ତି ଭାରତୀୟ ଅଲିମ୍ପିକ ଆସୋସିଏସନ ସଭାପତି ପିଟି ଉଷା। ଆଜି ସେ ଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚି ଆନ୍ଦୋଳନ କରୁଥିବା ରେସଲରମାନଙ୍କ ସହ ବେଶ କିଛି ସମୟ ଆଲୋଚନା କରିଛନ୍ତି। ଏଥିସହ ସେମାନଙ୍କୁ ନ୍ୟାୟ ଦେବାକୁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

Advertisment

ଏପ୍ରିଲ ୨୭ରେ ପିଟି ଉଷା ଆନ୍ଦୋଳନ କରୁଥିବା ରେସଲରମାନଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏପରି ଆନ୍ଦୋଳନ ଦ୍ୱାରା ଦେଶ ତଥା ରେସଲିଂର ଅପମାନ ହେଉଛି। ଆନ୍ଦୋଳନ କରିବା ପୂର୍ବରୁ ରେସଲରମାନେ ଅଲିମ୍ପିକ ଆସୋସିଏସନକୁ ନିଜର ସମସ୍ୟା ସମ୍ପର୍କରେ କହିବାର ଥିଲା ବୋଲି ସେ କହିଥିଲେ। ତେବେ ପିଟି ଉଷା ଜଣେ ଆଥଲେଟ ହୋଇ ଅନ୍ୟ ଖେଳାଳିଙ୍କ କଷ୍ଟ ବୁଝି ପାରୁ ନଥିବାରୁ ତାଙ୍କୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା।

ଏସବୁ ଭିତରେ ଆଜି ସେ ଯନ୍ତରମନ୍ତରରେ ପହଞ୍ଚି ରେସଲମାନଙ୍କ ସହ ଆଲୋଚନା କରିଛନ୍ତି। ସେ ପଦକ ବିଜେତା ଭିନେଶ ଫୋଗଟ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ସହ କଥା ହେଉଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ପିଟି ଉଷାଙ୍କ ସହ ଆଲୋଚନା କରିବା ପରେ ବଜଙ୍ଗର ପୁନିଆ କହିଛନ୍ତି ଯେ “ପୂର୍ବରୁ ସେ ଯେତେବେଳେ ଆମ ବିଷୟରେ ଟିପ୍ପଣୀ କରିଥିଲେ, ଆମେ ବହୁତ କଷ୍ଟ ଅନୁଭବ କରିଥିଲୁ। କିନ୍ତୁ ଆଜି ସେ କହିଛନ୍ତି ଯେ ତାଙ୍କ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିଲା। ସେ ଆମକୁ କହିଛନ୍ତି ଯେ ପ୍ରଥମେ ସେ ଜଣେ ଆଥଲେଟ ପରେ ଜଣେ ପ୍ରଶାସକ।

ଆମେ ନ୍ୟାୟ ଦେବାକୁ ତାଙ୍କୁ କହିଛୁ। ସେ ମଧ୍ୟ ଆମକୁ ସମର୍ଥନ କରିବା ସହ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଆମର ଅଭିଯୋଗକୁ ଦେଖିବେ ଓ ଯଥାଶୀଘ୍ର ଏହାକୁ ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ଆମର ଲଢ଼େଇ ସରକାର, ବିରୋଧୀ କିମ୍ବା ଅନ୍ୟ କାହା ସହ ନୁହେଁ। ଆମେ ରେସଲିଂ ବିକାଶ ପାଇଁ ଏଠାରେ ବସିଛୁ। ବ୍ରିଜ ଭୂଷଣ ସିଂହ ଜେଲ ନ ଯିବା ଯାଏ ଆମର ଆନ୍ଦୋଳନ ବନ୍ଦ ହେବନି।”

ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଏକାଧିକ ରେସଲର ଯୌନ ନିର୍ଯାତନା ଆଣିଛନ୍ତି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୁଲିସ ତାଙ୍କ ନାଁରେ ଦୁଇଟି ମାମଲା କରିଛି। ହେଲେ ସେ କୁସ୍ତି ମହାସଂଘର ସଭାପତି ପଦ ଛାଡ଼ି ନାହାନ୍ତି କିମ୍ବା ପୁଲିସ୍‌ ତାଙ୍କୁ ଗିରଫ କରିନାହିଁ।

ଭିନେଶ ଫୋଗଟ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ଭଳି ପଦକ ବିଜେତା ରେସଲରମାନେ ଦିଲ୍ଲୀର ଯନ୍ତରମନ୍ତରେ ଆନ୍ଦୋଳନ କରୁଛନ୍ତି। ସେମାନେ ପ୍ରଥମେ ଜାନୁଆରୀ ମାସରେ ଆନ୍ଦୋଳନ କରିଥିଲେ। ସେତେବେଳେ ସେମାନଙ୍କୁ ଶ୍ରୀ ସିଂହଙ୍କ ବିରୋଧରେ ତଦନ୍ତ ହେବ ବୋଲି କୁହାଯାଇଥିଲା। ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

ହେଲେ ପ୍ରତିଶ୍ରୁତିକୁ ୩ ମାସ ବିତିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସେମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ଯୋଗୁ ଚାମ୍ପିୟନଶିପ ଓ କ୍ୟାମ୍ପ ସମେତ ସମସ୍ତ ରେସଲିଂ କାର୍ଯ୍ୟକ୍ରମ ବନ୍ଦ ରହିଛି। ଅନେକ ରେସଲର ଯନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି।

Protest Indian Wrestler IOA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe