Advertisment

IAS ଅଫିସର ପୂଜା ଖେଡକରଙ୍କ ଅଡ଼ି କାର୍ ବିରୁଦ୍ଧରେ ରହିଛି ୨୧ ମାମଲା

୨୭,୦୦୦ ଟଙ୍କା ଜରିମାନା ପକାଇଲା ପୁଲିସ।

author-image
Debibandita Barick
Puja Khedkar & her Audi

Puja Khedkar & her Audi

IAS ଅଫିସର ପୂଜା ଖେଡକର କିଛି ଦିନ ହେବ ହେଡଲାଇନରେ ରହି ଆସିଛନ୍ତି। ତାଙ୍କ କାର୍ଯ୍ୟ ଦକ୍ଷତା କିମ୍ବା ଜୁଗାନ୍ତକାରୀ ପଦକ୍ଷେପ ପାଇଁ ନୁହେଁ, ବରଂ ପଦ ପଦବୀର ଦୂରୁପୋଯୋଗ ଏବଂ ଟ୍ରେନି(ପ୍ରଶିକ୍ଷାର୍ଥୀ) ଅବଧିରେ ଥିବାବେଳେ ଭିଆଇପି ଷ୍ଟାଟସ୍ ମାଗି ଚର୍ଚ୍ଚାରେ ଅଛନ୍ତି।

Advertisment

ଏହି କାରଣରୁ ନିକଟରେ ତାଙ୍କୁ ବଦଳି କରାଯାଇ ଥିଲା, ଏବେ ତାଙ୍କ ବ୍ୟକ୍ତିଗତ ଅଡ଼ି କାରକୁ ନେଇ ବିବାଦ ସାମ୍ନାକୁ ଆସିଛି। ପୁଣେ ପୁଲିସ ଅଭିଯୋଗ କରିଛି ଯେ, ପୂଜା ଖେଡକର ବ୍ୟବହାର କରୁଥିବା ଅଡ଼ି କାର୍ ବିରୁଦ୍ଧରେ ୨୧ଟି ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗ ରହିଛି।

ଏଥିରେ ବେପରୁଆ ଡ୍ରାଇଭିଂ ଏବଂ ଟ୍ରାଫିକ୍ ନିୟମ ପାଳନ ନକରିବାର ଅଭିଯୋଗ ଅନ୍ତର୍ଭୁକ୍ତ। ଏହାକୁ ନେଇ ତାଙ୍କୁ ୨୭,୦୦୦ ଟଙ୍କା ଜରିମାନା ଦେବାକୁ ନୋଟିସ ଜାରି କରାଯାଇଛି। ତେବେ ଏକାଧିକ ଟ୍ରାଫିକ ନିୟମ ଉଲ୍ଲଂଘନ ସତ୍ତ୍ୱେ ପୁଣେ ପୁଲିସ କାହିଁକି ଆଜି ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ପୂଜା ଖେଡକର ୨୦୨୩-ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ UPSC ପରୀକ୍ଷାରେ ଅଲ୍ ଇଣ୍ଡିଆ ରାଙ୍କ (AIR) ୮୪୧ ପାଇ ପୁଣେରେ ଟ୍ରେନି(ପ୍ରଶିକ୍ଷାର୍ଥୀ) ଭାବେ ନିଯୁକ୍ତ ହୋଇଥିଲେ। କିନ୍ତୁ ନିକଟରେ ତାଙ୍କୁ ୱାଶିମକୁ ବଦଳି କରାଯାଇଛି।

ସେ କାର୍ଯ୍ୟରେ ଯୋଗଦାନ କରିବା ପୂର୍ବରୁ ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ସୁବିଧା ଦାବି କରିଥିଲେ, ଯାହା ପ୍ରୋବେସନ ଅବଧି ସମୟରେ ମିଳିନଥାଏ। ଭିଆଇପି ନମ୍ବର ପ୍ଲେଟ୍ ସହ ଏକ ସରକାରୀ କାର୍, ଆବାସ, ପର୍ଯ୍ୟାପ୍ତ କର୍ମଚାରୀ ଥିବା ଏକ ସରକାରୀ କୋଠରୀ ଏବଂ ଜଣେ କନଷ୍ଟେବଳ ନିଯୁକ୍ତ କରିବାକୁ ଦାବି କରିଥିଲେ ପୂଜା ଖେଡକର।  

କେବଳ ଏତିକି ନୁହେଁ, ସେ ନିଜର ବ୍ୟକ୍ତିଗତ ଅଡ଼ି କାରରେ ମଧ୍ୟ ନାଲି-ନୀଳ ବତୀ ଲଗାଇବା ସହ ଭିଆଇପି ନମ୍ବର ପ୍ଲେଟ ଏବଂ 'ମହାରାଷ୍ଟ୍ର ସରକାର' ବୋର୍ଡ ଲଗାଇଥିଲେ। 

ଏପରିକି ତାଙ୍କ ବିରୁଦ୍ଧରେ ପଦବୀକୁ ସୁରକ୍ଷିତ ରଖିବା ପାଇଁ ଶାରୀରିକ ଅକ୍ଷମତା ବର୍ଗ ଏବଂ ଓବିସି କୋଟା ଅଧୀନରେ ଲାଭକୁ ବ୍ୟବହାର କରୁଥିବା ଅଭିଯୋଗ ଆସିଛି। ଏ ଉପରେ ତଦନ୍ତ ପାଇଁ ନୋଟିସ୍ ଜାରି କରାଯାଇଛି। 

ଏସବୁ ମଧ୍ୟରୁ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଯେତେବେଳେ ପଚାରିଥିଲେ, ସେ କହିଛନ୍ତି, "ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବାକୁ ମୋତେ ଅନୁମତି ମିଳି ନାହିଁ। ସରକାରୀ ନିୟମ ଏ ପ୍ରସଙ୍ଗରେ କହିବାକୁ ଅନୁମତି ଦିଏ ନାହିଁ।"

ପ୍ରକାଶ ଥାଉକି, ପୂଜା ଖେଡକର ହେଉଛନ୍ତି ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କ ଝିଅ। ପୂର୍ବତନ ଆଇଏଏସ ଅଫିସର ଦିଲିପ ଖେଡକରଙ୍କ ଝିଅ ହେଉଛନ୍ତି ପୂଜା। 

Puja Khedkar Audi IAS Puja