Advertisment

ପୁଣେରେ ସ୍ଥିତି ବେହାଲ; ଶିକ୍ଷାନୁଷ୍ଠାନ ବନ୍ଦ, ଉଦ୍ଧାର କାର୍ଯ୍ୟରେ ସେନା ନିୟୋଜିତ

ଲଗାଣ ବର୍ଷାକୁ ଦେଖି ପୁଣେ ସମେତ ଆଖପାଖ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ମୁମ୍ବାଇର ଅଧିକାଂଶ ସ୍ଥାନରେ ଶହେ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Heavy Rain

Heavy Rain

ପଶ୍ଚିମ ଭାରତରେ ଲାଗି ରହିଛି ବର୍ଷା ବିତ୍ପାତ। ମହାରାଷ୍ଟ୍ରର ମୁମ୍ବାଇ, ପୁଣେ, ଥାନେ, ପାଲଘର ଓ ଅନ୍ୟ ସହରରେ ବିଗିଡ଼ିବାରେ ଲାଗିଛି ସ୍ଥିତି। ଲଗାଣ ବର୍ଷାରେ ବେହାଲ ହେଲାଣି ମାୟାନଗରୀ ମୁମ୍ବାଇର ଅବସ୍ଥା। ପ୍ରବଳ ବର୍ଷାରେ ବହୁ ସ୍ଥାନରେ ରାସ୍ତାଘାଟ ବୁଡିଛି, ଲୋକଙ୍କ ଘରେ ପାଣି ପଶିଛି।

Advertisment

ମୁମ୍ବାଇର ଅନ୍ଧେରୀ ଓ ଚେମ୍ବୁର ଆଦି ଅଞ୍ଚଳ ଉବୁଟୁବୁ ହେଉଛି। ପୁଣେ ଅବସ୍ଥା ସଂଘାତିକ ହେଲାଣି। ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। କେତେକ ସ୍ଥାନରେ ଅଣ୍ଟାଏ ପାଣି ଚାଲୁଛି। ଫଳରେ ବହୁ ଅଞ୍ଚଳ ଏବେ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି।

ଲଗାଣ ବର୍ଷାକୁ ଦେଖି ପୁଣେ ସମେତ ଆଖପାଖ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ମୁମ୍ବାଇର ଅଧିକାଂଶ ସ୍ଥାନରେ ଶହେ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ପୁଣେରେ ଲଗାଣ ବର୍ଷା ଯୋଗୁ ୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ସ୍ଥିତି ଅଧିକ ଖରାପ ହେବାକୁ ଲାଗିଥିବାରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରଶାସନର ସହାୟତା ନେଇଛି ସେନା।

Advertisment

ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଏଯାବତ ୪ଶହ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି। ଉଦ୍ଧାର କାର୍ଯ୍ୟରେ NDRF, ଅଗ୍ନିଶମ ବାହିନୀ, ସ୍ଥାନୀୟ ପ୍ରଶାସନିକ ଟିମ୍‌ ବି ନିୟୋଜିତ ଅଛନ୍ତି।

ଆବଶ୍ୟକ ପଡ଼ିଲେ ବନ୍ୟା ଜଳରେ ଫସି ରହିଥିବା ଲୋକଙ୍କୁ ଏୟାରଲିଫ୍ଟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି। ଏଥିସହ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ ବି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବା ସହ ତା’ ଉପରେ ନଜର ରଖିଛନ୍ତି।

ଲଗାଣ ବର୍ଷା ହେତୁ ମହାରାଷ୍ଟ୍ରର ସ୍ଥିତି ବେହାଲ ହେବାରୁ ବହୁ ବିମାନ ସେବାକୁ ବାତିଲ କରି ଦିଆଯାଇଛି। ଏଥିସହ ବହୁ ବିମାନ ବିଳମ୍ବରେ ଉଡ଼ୁଥିବା ଜଣାଯାଇଛି। ଏପରିକି ବିମାନ ବନ୍ଦର ଅଭିମୁଖେ ବାହାରିବା ପୂର୍ବରୁ ନିଜ ଫ୍ଲାଇଟର ଟାଇମିଂ ଚେକ୍‌ କରିଦେବାକୁ ସ୍ପାଇସ୍‌ ଜେଟ, ଇଣ୍ଡିଗୋ, ଏୟାର ଇଣ୍ଡିଆ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହ ଫ୍ଲାଇଟ ଉଡ଼ାଣ ସମୟ କନଫର୍ମ ହେବା ପରେ ହିଁ ଘରୁ ବାହାରିବାକୁ କୁହାଯାଇଛି।

ଗତକାଲି ଦିନ ତମାମ ଲଗାଣ ବର୍ଷା ମୁମ୍ବାଇବାସୀଙ୍କ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏସବୁ ଭିତରେ ମୁମ୍ବାଇ ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଥିବା ବେଳେ ସହରବାସୀଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଅତି ଜରୁରୀ ନଥିଲେ, ଘରୁ ନ ବାହାରିବାକୁ ମୁମ୍ବାଇବାସୀଙ୍କୁ ପରାମର୍ଶ ଦିଆଯାଇଛି। 

Heavy Rain Mumbai Flood Situation