ମହିଳାଙ୍କ ସେଲଫି
ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଭୋଟ ଚୋରି ଅଭିଯୋଗକୁ ନେଇ ପୁଣି ବିବାଦ ତୀବ୍ର ହୋଇଛି। ପୁଣେ ଜଣେ ମହିଳା ସୋଶାଲ ମିଡିଆରେ କରିଥିବା ପୋଷ୍ଟ ଭୋଟ ଚୋରି ବିବାଦକୁ ଆହୁରି ବଳ ଦେଇଛି। ବିହାର ନିର୍ବାଚନ(Bihar Election)ର ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ପୁଣେର ଏହି ମହିଳା ଗୋଟିଏ ସେଲଫି ପୋଷ୍ଟ କରିଥିଲେ। ତାଙ୍କ ଅଙ୍ଗୁଳିରେ ମତଦାନ ବେଳେ ଲଗା ଯାଉଥିବା କାଳି ମଧ୍ୟ ଲାଗି ରହିଥିଲା।
ମହିଳା ପୁଣେର ହୋଇଥିବା ବେଳେ ସେ ଏପରି ଭୋଟ ଦେବା ଭଳି ସେଲଫି ପୋଷ୍ଟ କରିବା ଓ ବିଜେପି ପାଇଁ ବିହାରବାସୀଙ୍କୁ ଭୋଟିଂ କରିବାକୁ ନିବେଦନ କରିବା ଘଟଣାକୁ ସହଜରେ ଗ୍ରହଣ କରିନି କଂଗ୍ରେସ। ଦେଶରେ ନିର୍ବାଚନ ଜିତିବାକୁ ବିଜେପି ଭୋଟ ଚୋରି କରୁଥିବା କଂଗ୍ରେସ ଏହି ସେଲଫିକୁ ଆଧାର କରି ଅଭିଯୋଗ କରିଛି।
ଏହାପୂର୍ବରୁ ହରିୟାଣା ଭୋଟର ତାଲିକାରେ ଜଣେ ବ୍ରାଜିଲ ମଡେଲଙ୍କ ଫଟୋ ଥିବା କାଗଜପତ୍ର ସହ ଦେଖାଇ ରାହୁଲ ଗାନ୍ଧି ଭୋଟ ଚୋରି(vote-chori)ର ଅଭିଯୋଗ ଆଣିଥିଲେ। ଏବେ ପୁଣେ ମହିଳାଙ୍କ ଭୋଟ ଦେବାର ସେଲଫି କଂଗ୍ରେସର ଭୋଟି ଚୋରି ଦାବିକୁ ଆହୁରି ଇନ୍ଧନ ଯୋଗାଇଛି।
ଉର୍ମି ନାମକ ପୁଣେର ଜଣେ ଆଇନଜୀବୀ ଗୁରୁବାର ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରିଥିଲେ। ତାଙ୍କ ଅଙ୍ଗୁଳିରେ ଭୋଟିଂ ବେଳର କାଳି ଦାଗ ରହିଥିଲା। ସେ ଏହାକୁ ପୋଷ୍ଟ କରି କହିଥିଲେ ଯେ “ମୋଦି-ଫାଏଡ ଭାରତ ପାଇଁ ଭୋଟ କରିଛି। ଯାଇକି ଭୋଟ ଦେଇଥିଲି, ବିହାର।”
କଂଗ୍ରେସ କର୍ମୀମାନେ ତୁରନ୍ତ ଉର୍ମି ପୁଣେରେ ଭୋଟ ଦେବା ପରେ ପୋଷ୍ଟ କରିଥିବା ଫଟୋକୁ ସୋଶାଲ ମିଡିଆରୁ ବାହାର କରିଥିଲେ। ଏଥିସହ କେମିତି ଭୋଟ ଚୋରି ହୁଏ, ଏହା ତା’ର ଜ୍ୱଳନ୍ତ ଉଦାହରଣ ବୋଲି ସେମାନେ କହିଛନ୍ତି। ରାହୁଲ ଗାନ୍ଧି ମଧ୍ୟ ଗୁରୁବାର ହରିୟାଣା ନିର୍ବାଚନକୁ ନେଇ ସମାନ ଅଭିଯୋଗ ଆଣିଥିଲେ।
ଜଣେ ମହିଳା ବିଭିନ୍ନ ନାଁରେ ହରିୟାଣର ୧୦ଟି ବୁଥରେ ଭୋଟ ଦେଇଥିବା ସେ କହିଥିଲେ। ଏବେ କଂଗ୍ରେସ କର୍ମୀମାନେ ପୁଣେର ଆଇନଜୀବୀ ଉର୍ମିଙ୍କ ଫଟୋ ଶେୟାର କରି ଭୋଟ ଚୋରି ଅଭିଯୋଗରେ ସତ୍ୟତା ଥିବା ଦର୍ଶାଇଛନ୍ତି।
କଂଗ୍ରେସ ସୋଶାଲ ମିଡିଆ ସଂଯୋଜକ କଟାକ୍ଷ କରି ଏକ୍ସରେ ଲେଖିଛନ୍ତି ଯେ “ବହୁ ରାଷ୍ଟ୍ରୀୟ ଭୋଟିଂ ଏବେ ନୂଆ ଷ୍ଟାର୍ଟ ଅପ: ବିଜେପି। ଉତ୍ପାଦ- ନକଲି ଜନାଦେଶ।” ମହାରାଷ୍ଟ୍ର କଂଗ୍ରେସ ମୁଖପାତ୍ର ଅତୁଲ ଲୋନ୍ଧେ ପାଟିଲ ମଧ୍ୟ କଟାକ୍ଷ କରି ଲେଖିଛନ୍ତି ଯେ “ମୁଁ ଲୋକସଭା ବେଳେ ମହାରାଷ୍ଟ୍ରରେ ଭୋଟ ଦେବି। ବିଧାନସଭା ବେଳେ ବିହାରରେ ମତଦାନ କରିବି। ମୁଁ ମୋଦିଙ୍କ ପାଇଁ ଭୋଟ ଚୋରି କରିବି।”
କଂଗ୍ରେସର ବିହାର ସହଯୋଗୀ ଆରଜେଡି ମଧ୍ୟ ଏହାକୁ ସମାଲୋଚନା କରିବାକୁ ପଛାଇ ନାହିଁ। ଆରଜେଡି ମୁଖପାତ୍ର ପ୍ରିୟଙ୍କା ଭାରତୀ କହିଛନ୍ତି, “୨୦୨୪ରେ ମାଡାମ ମହାରାଷ୍ଟ୍ରରେ ଭୋଟ ଦେଇଥିଲେ। ୨୦୨୫ରେ ସେ ବିହାରରେ ଭୋଟ ଦେଇଛନ୍ତି।
ସେ ଖୋଲାଖୋଲି ଭାବେ ମୋଦିଙ୍କ ଭାରତ ଗଠନ କରିବାକୁ ଚାହୁଁଥିବା କହୁଛନ୍ତି। ସେମାନେ ନିଜର ଲଜ୍ଜା ଓ ଇଜ୍ଜତକୁ ବିକ୍ରି କରି ଦେଇଛନ୍ତି। କେବଳ ସେମାନଙ୍କ ଅହଂକାରକୁ ଦେଖନ୍ତୁ। ଯଦି ଆପଣ ମାଡାମଙ୍କୁ କିଛି ପଚାରିବେ, ତା’ହେଲେ ସିଷ୍ଟମ ଆମର ବୋଲି ସେ କହିବେ। ପୂରା ବ୍ୟବସ୍ଥା ବିଜେପି ପାଇଁ କାମ କରୁଛି।”
ବିବାଦ ଘନେଇବାରୁ ଆଇନଜୀବୀ ଉର୍ମି ଘଟଣା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ତାଙ୍କ କହିବା କଥା ଯେ ସେ ବିହାର ଭୋଟରଙ୍କୁ ଅନୁପ୍ରାଣିତ କରିବାକୁ ଏପରି ଫଟୋ ପୋଷ୍ଟ କରିଥିଲେ। ସେ କେବେ ହେଲେ ବି ବିହାରେ ଭୋଟ ଦେଇଥିବା ଦାବି କରି ନଥିବା ସଫେଇ ଦେଇଛନ୍ତି।
ସେ କହିଛନ୍ତି, “ଏହା କେବଳ ଅନୁପ୍ରାଣିତ କରିବା ପାଇଁ ଥିଲା। ମୁଁ କେବେ ହେଲେ କହି ନାହିଁ ଯେ ଆଜି ଭୋଟ ଦେଇଛି। ମୁଁ କହିଛି ଭୋଟ ଦେଇଥିଲି। ଆଉ ସମସ୍ତେ ଜାଣିଛନ୍ତି ଯେ ମହାରାଷ୍ଟ୍ରରେ ମୁଁ ଭୋଟ ଦେଇଥିଲି। ତେଣୁ ଶାନ୍ତ ହୁଅନ୍ତୁ। ଅନୁପ୍ରାଣିତ ଅଧିକ ହେଇଗଲା? ଏବେ ଆପଣଙ୍କ ପାଳି ବିହାର। ଯାଆନ୍ତୁ ଓ ଭୋଟ ଦିଅନ୍ତୁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/07/pune-2025-11-07-17-21-56.jpg)