Advertisment

ବର୍ଷିଲେ ଅମିତ ଶାହ, କହିଲେ - ‘ମାନ ପଞ୍ଚାବ ମୁଖ୍ୟମନ୍ତ୍ରୀ ନା କେଜ୍ରିୱାଲଙ୍କ ପାଇଲଟ’

ଏଥିସହ ଲୋକଙ୍କ ପାଇଁ ସମୟ ନଦେଇ ମାନ ଏବେ ‘ପରିବ୍ରାଜକ’ ସାଜିଛନ୍ତି ବୋଲି ମଧ୍ୟ ସେ ମତ ରଖିଛନ୍ତି।

author-image
Niranjan Mishra
Union Home Minister Amit Shah

Union Home Minister Amit Shah

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ତାଚ୍ଛଲ୍ୟ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ‘ମାନ ଜଣେ ମୁଖ୍ୟମନ୍ତ୍ରୀ ନା କେଜ୍ରିୱାଲଙ୍କ ପାଇଲଟ’ ବୋଲି ସେ ଆଶ୍ଚର୍ଯ୍ୟ ପ୍ରକାଶ କରି କହିଛନ୍ତି। ଏଥିସହ ଲୋକଙ୍କ ପାଇଁ ସମୟ ନଦେଇ ମାନ ଏବେ ‘ପରିବ୍ରାଜକ’ ସାଜିଛନ୍ତି ବୋଲି ମଧ୍ୟ ସେ ମତ ରଖିଛନ୍ତି। କେଜ୍ରିୱାଲଙ୍କୁ ବିଭିନ୍ନ ସ୍ଥାନକୁ ନେଇଯିବା ମାନଙ୍କ ମୁଖ୍ୟ କାମ ହୋଇଥିବା, ସୀମାରେ ଦେଖାଦେଇଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ଠିକ୍‌ କରିବା ପାଇଁ ଏବଂ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ମାନଙ୍କ ପାଖରେ ସମୟ ନଥିବା ମଧ୍ୟ ସେ ମତ ରଖିଛନ୍ତି।

Advertisment

ପଞ୍ଜାବର ଗୁରୁଦାସପୁର ଠାରେ ଏକ ଦଳୀୟ ରାଲିକୁ ସମ୍ୱୋଧନ କରି ଶାହ କହିଛନ୍ତି, ମାନ’ଙ୍କର ଏବେ ଗୋଟିଏ କାମ ହୋଇଛି। ତାହା ହେଲା ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଚେନ୍ନାଇ, କୋଲକାତା ଓ ଦିଲ୍ଲୀ ଯିବା ଆସିବା କରିବା। ଅରବିନ୍ଦ କେଜ୍ରିୱାଲ କିପରି ବିଭିନ୍ନ ଦେଶକୁ ବୁଲିଯିବେ ସେଥିନିମନ୍ତେ ମାନ ବ୍ୟବସ୍ଥା କରୁଛନ୍ତି। ତେଣୁ ମାନ ଜଣେ ‘ମୁଖ୍ୟମନ୍ତ୍ରୀ ନା ପାଇଲଟ୍’ ବୋଲି ଶାହ ପ୍ରଶ୍ନ କରିଛନ୍ତି।

ଶାହ କହିଛନ୍ତି, ପଞ୍ଚାବରେ ଲୋକେ ସୁରକ୍ଷିତ ନୁହଁନ୍ତି। ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ି ପଡ଼ିଛି। ନିଶା କାରବାର ବଢ଼ିବାରେ ଲାଗିଛି। ଚାଷୀଙ୍କ ସମସ୍ୟା ବଢ଼ି ଚାଲିଛି। ଦଳିତଙ୍କ ଉପରେ ଆକ୍ରମଣ ହେଉଛି। ପଞ୍ଜାବର ଜଣେ କ୍ୟାବିନେଟ୍ ମନ୍ତ୍ରୀ ଦଳିତ ମହିଳାଙ୍କୁ ଶୋଷଣ କରିବାରେ ସମ୍ପୃକ୍ତ ଅଛନ୍ତି। ମାତ୍ର ଏସବୁ ବୁଝିବାକୁ ମାନଙ୍କ ପାଖରେ ସମୟ ନାହିଁ। ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ଆପ୍‌ ଭଳି ଅନ୍ୟ କୌଣସି ଦଳ ଦେଖି ନାହିଁ।

Advertisment

କେଜ୍ରିୱାଲ ଓ ମାନଙ୍କୁ ଶାହ ପ୍ରଶ୍ନ କରିଛନ୍ତି, ଏହି ରାଜ୍ୟର ପ୍ରତ୍ୟେକ ମହିଳାଙ୍କ ଆକାଉଣ୍ଟରେ ମାସିକ ୧ ହଜାର ଟଙ୍କା ସହାୟତା ଦେବାକୁ ଏହି ଦୁଇ ନେତା କହିଥିଲେ। ସମସ୍ତ ମା’ ଓ ଭଉଣୀ ଏହାକୁ ଅପେକ୍ଷା କରିଛନ୍ତି। ମାତ୍ର ୧ ହଜାର ଟଙ୍କା ଦୂର କଥା, ଏପର୍ଯ୍ୟନ୍ତ ୧ ହଜାର ପଇସା ମଧ୍ୟ ସେମାନଙ୍କୁ ମିଳିଲାନି। ସେହିପରି ମାଇନିଂ ମାଫିଆଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆପ୍‌ କହିଥିଲା। ୨୦ ହଜାର କୋଟି ଟଙ୍କା ରାଜସ୍ୱ ଆୟ କରାଯିବ ବୋଲି କହିଥିଲା। ହେଲେ ମାତ୍ର ୧୨୫ କୋଟି ଟଙ୍କା ମିଳିପାରିଛି। ଯାହା ଗତ ସରକାର ରାଜସ୍ୱ ଆୟ ତୁଳନାରେ ବହୁତ କମ୍। ଆପ୍‌ କହିଥିଲା ଗରିବ ଘର ଝିଅମାନଙ୍କୁ ୫୧ ହଜାର ଟଙ୍କା ବିବାହକାଳୀନ ଆର୍ଥିକ ସହାୟତା ଦିଆଯିବ। ହଜାର ହଜାର ଦରଖାସ୍ତ ଆସିଥିଲେ ହେଁ, କୌଣସି ଗୋଟାଏ ହେଲେ ଝିଅକୁ ଏହି ସହାୟତା ମିଳିପାରିନି।

ଏହି ରାଲିରେ ଶାହା କେନ୍ଦ୍ରରେ ମୋଦି ସରକାରଙ୍କ ୯ ବର୍ଷ କ୍ଷମତାରେ ରହିବା ଭିତରେ ହାସଲ କରିଥିବା ବିଭିନ୍ନ ଲକ୍ଷ୍ୟ ସମ୍ପର୍କରେ କହିଥିଲେ। ଏହି ଅବସରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ଅର୍ଜୁନ ରାମ ମେଘାୱଲ ପ୍ରମୁଖ ଉପସ୍ଥିତ ଥିଲେ।

ଶାହଙ୍କ ଏଭଳି କଡ଼ା ଭାଷଣକୁ ସମାଲୋଚନା କରି କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, ନିଶା ବଢ଼ୁଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରୀ କେମିତି ଜାଣିଲେ। ସେ କ’ଣ ଅମୃତସର ବିଜେପି ଅଫିସ୍‌ରେ ଏନ୍‌ସିବି ଅଫିସ୍‌ ଖୋଲିଛନ୍ତି କି ? ଏନ୍‌ସିବି ନାଁ ନେଇ ବିଜେପି ବିଜ୍ଞାପନ କରୁଛି। ଅସଲରେ ଶାହଙ୍କ ଅକାଳି ଦଳର ଦଶନ୍ଧି ଧରି କ୍ଷମତାରେ ରହିବା ବେଳେ ନିଶା କାରବାର ବଢ଼ିଥିଲା।

Bhagwant Mann Amit Shah Political Chicken