Advertisment

ସାଙ୍ଗ ସାଜିଲା ସଇତାନ; ୪ କୋଟିର ଇନସୁରାନ୍ସ ହାତେଇବାକୁ ଟ୍ରକ୍‌ ଆଗକୁ ଠେଲି ଦେଲା

ସାଙ୍ଗ ସାଜିଲା ସଇତାନ । ଅର୍ଥ ଲୋଭ ଆଗରେ ତୁଚ୍ଛ ହେଲା ଦୀର୍ଘ ଦିନର ସମ୍ପର୍କ। ନିଜକୁ ମୃତ ଦର୍ଶାଇ ୪ କୋଟିର ଇନସୁରାନ୍ସ ଟଙ୍କା ହାତେଇବାକୁ ସାଙ୍ଗକୁ ଟ୍ରକ୍‌ ଚକା ତଳକୁ ଠେଲି ଦେବାକୁ ପଛାଇଲା ନାହିଁ ଅଭିଯୁକ୍ତ।

author-image
Niharika Rout
Murder

Murder

ସାଙ୍ଗ ସାଜିଲା ସଇତାନ । ଅର୍ଥ ଲୋଭ ଆଗରେ ତୁଚ୍ଛ ହେଲା ଦୀର୍ଘ ଦିନର ସମ୍ପର୍କ। ନିଜକୁ ମୃତ ଦର୍ଶାଇ ୪ କୋଟିର ଇନସୁରାନ୍ସ ଟଙ୍କା ହାତେଇବାକୁ ସାଙ୍ଗକୁ ଟ୍ରକ୍‌ ଚକା ତଳକୁ ଠେଲି ଦେବାକୁ ପଛାଇଲା ନାହିଁ ଅଭିଯୁକ୍ତ। ଏପରି ଏକ ଅମାନବୀୟ କାଣ୍ଡ ପଞ୍ଜାବରେ ଘଟିଛି। ଏହି ଘଟଣାର ଅଭିଯୁକ୍ତ ଗୁରପ୍ରୀତ ସିଂଙ୍କୁ ପୁଲିସ୍‌ ବାନ୍ଧିବା ପରେ ସେ ବଖାଣିଛନ୍ତି ସାଂଘାତିକ ସତ ।

Advertisment

ରାମଦାସ ନଗର ଅଞ୍ଚଳର ଗୁରୁପ୍ରୀତ ସିଂ ବିଜନେସ୍‌ କରୁଥିବା ବେଳେ ସେଥିରେ କ୍ଷତି ହେବାରୁ ତାଙ୍କ ଆର୍ଥିକ ସ୍ଥିତି ଖରାପ ହୋଇ ଯାଇଥିଲା। ଏହି ସମୟରେ ଇନୁରାନ୍ସର ୪ କୋଟି ଟଙ୍କା ହାତେଇବାକୁ ଯୋଜନା କରିଥିଲେ। ମାତ୍ର ଏଥିନିମନ୍ତେ ତାଙ୍କୁ ନିଜକୁ ମୃତ ଦର୍ଶାଇବାକୁ ପଡ଼ିବ ଜାଣି ରଚିଲେ ସାଂଘାତିକ ଷଡଯନ୍ତ୍ର । ଏଥିରେ ସେ ନିଜ ପତ୍ନୀ ଖୁସଦୀପ କୌର ଓ ଅନ୍ୟ ୪ ଜଣଙ୍କୁ ସାମିଲ କଲେ। ଏଥିରେ ଫସାଇବାକୁ ସେ ନିଜ ସାଙ୍ଗ ସୁଖବିନ୍ଦର ସିଂଙ୍କୁ ଟାର୍ଗେଟ କଲେ।

ସୁଖବିନ୍ଦର ନିଖୋଜ ଥିବା ନେଇ ତାଙ୍କ ପତ୍ନୀ ଗତ ୧୯ ତାରିଖରେ ଅଭିଯୋଗ କରିଥିଲେ। ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିବା ପରେ ସୁଖବିନ୍ଦରଙ୍କ ବାଇକ୍‌ ଓ ଚପଲ କେନାଲ ନିକଟରୁ ଉଦ୍ଧାର କରିଥିଲା। ଏହା ଏକ ଅତ୍ମହତ୍ୟାଜନିତ ଘଟଣା ବୋଲି ପୁଲିସ୍‌ ପ୍ରଥମେ ସନ୍ଦେହ କରିଥିଲା। ମାତ୍ର ଗୁରୁପ୍ରୀତ ସିଂ କିଛି ଦିନ ଧରି ସୁଖବିନ୍ଦରଙ୍କୁ ମାଗଣାରେ ମଦ ଦେଉଥିବା ବେଳେ ଏହାପରେ ସେ ନିଖୋଜ ହୋଇଥିବା ନେଇ ତାଙ୍କ ପତ୍ନୀ ପୁଲିସ୍‌କୁ କହିଥିଲେ।

Advertisment

ଏହାପରେ ପୁଲିସ୍‌ ଗୁରପ୍ରୀତଙ୍କୁ ପଚରାଉଚରା କରିବାକୁ ଯିବାରୁ ଏକ ରାସ୍ତା ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇ ସାରିଥିବା ତାଙ୍କ ପରିବାର ଲୋକେ କହିଥିଲେ। ଏହାକୁ ନେଇ ସନ୍ଦେହ ହେବାରୁ ପୁଲିସ୍‌ ଗୁରପ୍ରୀତଙ୍କ ପରିବାର ସଦସ୍ୟଙ୍କୁ ଗୁଡ଼ାଇତୁଡ଼ାଇ ପଚରାଉଚରା କରିଥିଲା। ଏହାପରେ ଗୁରପ୍ରୀତ ଜୀବିତ ଥିବା ଜଣାପଡ଼ିଲା। ଏଥିସହ ୪କୋଟି ଟଙ୍କା ହାତେଇବାକୁ ସେ ଷଡଯନ୍ତ୍ର ରଚିଥିବା ପୁଲିସ୍‌ ଜାଣିବାକୁ ପାଇଥିଲା।

ତଦନ୍ତରୁ ଜଣାପଡ଼ିଲା, ଗତ ୧୯ ତାରିଖରେ ଗୁରପ୍ରୀତ ନିଜ ସାଙ୍ଗ ସୁଖବିନ୍ଦରଙ୍କୁ ଡାକି କିଛି ପାନୀୟ ପିଇବାକୁ ଦେଇଥିଲେ। ସେଥିରେ ସେ ନିଶା ମିଶାଇ ଦେଇଥିଲେ। ଫଳରେ ସୁଖବିନ୍ଦର ଅଚେତ ହୋଇଯିବାରୁ ଗୁରପ୍ରୀତ ତାଙ୍କୁ ନିଜ ଡ୍ରେସ୍‌ ପିନ୍ଧାଇ ଦେଇଥିଲେ। ଏହାପରେ ଯେପରି କେହି ମୃତଦେହ ଚିହ୍ନଟ କରି ନ ପାରିବେ ସେଥି ନିମନ୍ତେ ରାତି ଅଧରେ ଟ୍ରକ୍‌ ଚକା ତଳକୁ ନିଜ ସାଙ୍ଗଙ୍କୁ ଠେଲି ଦେଇଥିଲେ। ଏହାପରେ ଗୁରପ୍ରୀତଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ।

ଟ୍ରକ୍‌ ଚକା ତଳେ ଚାପି ହୋଇଥିବା ସୁଖବିନ୍ଦରଙ୍କ ମୃତଦେହ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ତାହା ଗୁରପ୍ରୀତଙ୍କ ମୃତଦେହ ବୋଲି ତାଙ୍କ ପତ୍ନୀ ଚିହ୍ନଟ କରିଥିଲେ।

ଗୁରପ୍ରୀତଙ୍କୁ ମୃତ ଦର୍ଶାଇ ତାଙ୍କ ପରିବାର ଲୋକେ ଇନସୁରାନ୍ସ ଟଙ୍କା ହାତେଇବା ପୂର୍ବରୁ ପୁଲିସ୍‌ ଏହି ଘଟଣାର ପର୍ଦ୍ଦାଫାସ କରି ପାରିଛି। ଏହି ଘଟଣାରେ ପୁଲିସ୍‌ ଗୁରପ୍ରୀତ, ତାଙ୍କ ପତ୍ନୀ ଓ ଆଉ ୪ ଜଣଙ୍କୁ ଗିରଫ କରିଛି।

Murder Punjab