Punjab CM on PM Modi security breach
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ଆକ୍ସନ ମୁଡ୍କୁ ଆସିଛନ୍ତି ପଞ୍ଜାବ ସରକାର। ପଞ୍ଜାବ ପୁଲିସ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମାନ୍ ସରକାର। ସୁପ୍ରିମକୋର୍ଟଙ୍କ ଯାଞ୍ଚ ରିପୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଧିକାରୀଙ୍କ ବିରୋଧରେ ବଡ ଧରଣର ଆକ୍ସନ ନେବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିର୍ଦ୍ଦେଶ ଦେଇଛନ୍ତି।
ତତ୍କାଳୀନ ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ, ଫିରୋଜପୁରର ତତ୍କାଳୀନ ଡିଆଇଜି ଇନ୍ଦ୍ରବୀର ସିଂ, ଏସଏସପି ହରମନଦୀପ ହଂସଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପଞ୍ଜାବର କେତେଜଣ ଆଇପିଏସଙ୍କ ବିରୋଧରେ ବି ଏହି ମାମଲାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି।
ଏହି ଅଧିକାରୀମାନଙ୍କ ମଧ୍ୟରୁ କେତେକଙ୍କୁ ପଦରୁ ହଟାଇ ଦିଆଯାଇପାରେ, ଯେଉଁମାନେ ଅବସର ନେଇଛନ୍ତି, ସେମାନଙ୍କ ପେନସନ୍ କଟ୍ ଅଫ୍ ଏବଂ ଅନ୍ୟାନ୍ୟ ଅବସରକାଳୀନ ସୁବିଧା କଟାଯାଇପାରେ। ସେହିପରି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତ ଡ୍ୟୁଟି ଅଧିକାରୀଙ୍କଠାରୁ ମଧ୍ୟ ଲିଖିତ ରିପୋର୍ଟ ମାଗାଯାଇଛି।
ଯାଞ୍ଚ ସମିତିର ସୁପାରିଶ ଅନୁଯାୟୀ ତତ୍କାଳୀନ ଏଡିଜିପି ନରେଶ ଅରୋଡା, ଏଡିଜିପି ସାଇବର କ୍ରାଇମ ଜି ନାଗେଶ୍ୱର ରାଓ, ଆଇଜିପି ପଟିଆଲା ରେଞ୍ଜ ମୁଖବିନ୍ଦର ସିଂ, ଆଇଜି କାଉଣ୍ଟର ଇଣ୍ଟେଲିଜେନ୍ସ ରାକେଶ ଅଗ୍ରୱାଲ, ଡିଆଇଜି ଫରିଦକୋଟ ସୁରଜିତ ସିଂ ଓ ମୋଗାର ତତ୍କାଳୀନ ଏସଏସପି ଚରଣଜିତ ସିଂଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ କାହିଁକି କରାଯାଇ ନାହିଁ ବୋଲି ମଧ୍ୟ ପ୍ରଶ୍ନ କରାଯାଇଛି।
ସୂଚନାଯୋଗ୍ୟ, ୨୦୨୨ ଜାନୁୟାରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଗସ୍ତ କରିଥିଲେ। ଏହି ସମୟରେ ଫିରୋଜପୁରରେ ମୋଦିଙ୍କ କାର୍କେଡ୍କୁ ଓଭରବ୍ରିଜ ଉପରେ ଏକ ଗାଁରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କିଛି କୃଷକଙ୍କ ପକ୍ଷରୁ ଅଟକାଇ ଦିଆଯାଇଥିଲା। ଏହାପରେ ମୋଦି ତାଙ୍କ କାର୍ଯ୍ୟକ୍ରମକୁ ରଦ୍ଦ କରି ଦିଲ୍ଲୀ ଫେରିଯାଇଥିଲେ। ଏହି ମାମଲାକୁ ନେଇ ସେବେଠାରୁ ହଲ୍ଚଲ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1679378823.jpg)