ମହାମାରୀ ସ୍ପାଇନିଶ ଫ୍ଲୁ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟଙ୍କର ଦୃଶ୍ୟକୁ ନିଜ ଆଖିରେ ଦେଖିଥିବା ମହିଳା ଆଉ ନାହାନ୍ତି। ୧୨୧ ବର୍ଷୟ ବୟସରେ ନାଗାଲାଣ୍ଡରେ ରହୁଥିବା ଏହି ମହିଳାଙ୍କ ଦେହାନ୍ତ ହୋଇଛି। ପୁପିରେଇ ଫୁଖା ଏତେ ଦିନ ବଞ୍ଚିଥିଲେ ମଧ୍ୟ କେବେ ହେଲେ କୌଣସି ରୋଗରେ ଆକ୍ରାନ୍ତ ହେଉନଥିଲେ। ଏହି ଆଶ୍ଚର୍ଯ୍ୟକର ମହିଳାଙ୍କୁ ଭେଟିବା ପାଇଁ ପର୍ଯ୍ୟଟକମାନେ ଅନେକ ସମୟରେ କୋହିମାର କିଗୱେମା ସହର ସ୍ଥିତ ତାଙ୍କ ଘରକୁ ଆସନ୍ତି। ହେଲେ ବୁଧବାର ରାତିରେ ପୁପିରେଇ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।
ନିକଟରେ ଶେଷ ହୋଇଥିବା ନାଗାଲାଣ୍ଡ ବିଧାନସଭା ନିର୍ବାଚନ ବେଳେ ପୁପିରେଇ ପୋଷ୍ଟାଲ ବାଲାଟରେ ଭୋଟ ଦେଇଥିଲେ। ତାଙ୍କ ଭୋଟର କାର୍ଡରେ ଥିବା ଜନ୍ମ ତାରିଖକୁ ଦେଖିଲେ ମୃତ୍ୟୁ ବେଳକୁ ତାଙ୍କୁ ୧୨୧ ବର୍ଷ ବୟସ ହୋଇଥିଲା ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ତେବେ ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ କହିବା କଥା ଯେ ପୁପିରେଇଙ୍କ ବୟସ ୧୨୧ରୁ ମଧ୍ୟ ଅଧିକ ହେବ। ତାଙ୍କ ପ୍ରକୃତ ବୟସ ଜାଣିବା ପାଇଁ ଡିଏନଏ ଟେଷ୍ଟ କରାଯିବା ଦରକାର।
ବୁଧବାର ରାତିରେ ତାଙ୍କ ଦେହାନ୍ତ ହୋଇଥିବା ବେଳେ ଗୁରୁବାର ଅପରାହ୍ନରେ ଶେଷକୃତ୍ୟ ସମାପନ ହୋଇଛି। ତାଙ୍କ ଶେଷ ଦର୍ଶନ ପାଇଁ ଅନେକ ସଂଗଠନ, ରାଜନେତା ଓ ବ୍ୟକ୍ତବିଶେଷ ଆସିଥିଲେ। ପୁପିରେଇଙ୍କ ମୃତ୍ୟୁ ଖବର ତାଙ୍କ ଅଣ ନାତୁଣୀ ଆରହେନୋ ସମସ୍ତଙ୍କୁ ଦେଇଛନ୍ତି। ଗାଁରେ ତାଙ୍କୁ ସମସ୍ତେ ତାଙ୍କୁ ଜେଜେ ମା’ ବୋଲି ସମ୍ବୋଧନ କରନ୍ତି। ଗାଁରେ ପ୍ରାୟ ୬ ହଜାର ଲୋକ ରହୁଥିବା ବେଳେ ସମସ୍ତେ ପୁପିରେଇଙ୍କୁ ସମ୍ମାନ କରନ୍ତି। ଗାଁର କେହି ବି କେବେ ହେଲେ ଅସୁସ୍ଥତା କାରଣରୁ ପୁପିରେଇ ହସ୍ପିଟାଲ ଯିବା ଆଦୌ ଦେଖି ନଥିବା କହିଛନ୍ତି।
ଆରହେନୋ କହିଛନ୍ତି, “ପୁପିରେଇ କେବେ ହେଲେ କୌଣସି ବଡ଼ ରୋଗରେ ପୀଡ଼ିତ ହୋଇ ନଥିଲେ। ହଠାତ୍ ତାଙ୍କ ବିୟୋଗରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ସେ କେବେ ହେଲେ ଅସୁସ୍ଥ ହେଉ ନଥିଲେ ହେଁ ବୟସ ବଢ଼ିବା ଯୋଗୁ ତାଙ୍କର ଦୃଷ୍ଟି ଶକ୍ତି ଓ ଶ୍ରବଶ ଶକ୍ତି ହ୍ରାସ ପାଇଥିଲା। ସେହିପରି ସେ ଠିକ ଭାବେ କଥା କହିବାକୁ ମଧ୍ୟ ସକ୍ଷମ ହେଉ ନଥିଲେ। କିନ୍ତୁ ସେ ବେଶ ଆକ୍ଟିଭ ଥିଲେ ଓ ଚଳପ୍ରଚଳ ମଧ୍ୟ କରୁଥିଲେ।”
ପୁପିରେଇ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏହି ସ୍ଥାନରେ ହିଁ ଉପସ୍ଥିତ ଥିଲେ। ସେତେବେ ଜାପାନିଜ ଅନୁପ୍ରବେଶକାରୀମାନେ କିଗୱେମା ଗାଁକୁ ନିଜର କ୍ୟାମ୍ପରେ ପରିଣତ କରିଥିଲେ। ଏତିକି ବେଳେ ସେ ନିଜ ପିଲାଙ୍କ ସୁରକ୍ଷା ପାଇଁ ଅସ୍ଥାୟୀ ଭାବେ ସ୍ଥାନୀୟ ନିରାପଦକୁ ସ୍ଥାନକୁ ମଧ୍ୟ ଚାଲି ଯାଇଥିଲେ। ଲୋକଙ୍କ ମଧ୍ୟରେ ଶିକ୍ଷାର ଗୁରୁତ୍ୱ କଥା ପହଞ୍ଚାଇବାକୁ ମଧ୍ୟ ପୁପିରେଇ ବେଶ ଉଦ୍ୟମ କରିଥିଲେ। ତାଙ୍କ ବଡ଼ ପୁଅ କିଗୱେମାରୁ ପ୍ରଥମ ଗ୍ରାଜ୍ୟୁଏଟ ହେବାର ରେକର୍ଡ କରିଥିଲେ।
ପୁପିରେଇ ପଡ଼ୋଶୀ କହିଛନ୍ତି, “୧୦୦ ବର୍ଷ ବୟସରେ ପାଦ ଦେବା ପରେ ସେ ବେଶ ଭଲ ଭାବେ ପୁରୁଣା କଥା ସବୁ ମନେ ପକାଇବାକୁ ସକ୍ଷମ ହେଉଥିଲେ। ମହାମାରୀ ସ୍ପାଇନିଶ ଫ୍ଲୁ ବେଳେ ଗାଁରେ କେମିତି ହାହାକାର ସ୍ଥିତି ଦେଖାଯାଇଥିଲା, ସେବିଷୟରେ ପୁପିରେଇ ସବୁ ବେଳେ କହୁଥିଲେ। ୧୯୧୮ରେ ସେତେବେଳେ ଉକ୍ତ ଅଞ୍ଚଳ ଆସାମ ମଧ୍ୟରେ ରହିଥିଲା। ପରବର୍ତ୍ତୀ ଅବସ୍ଥାରେ ନାଗାଲାଣ୍ଡ ଗଠନ ହୋଇଥିଲା।”
୧୦୦ ବର୍ଷ ପରେ ସେ କିଛି ଜାଣି ପାରୁ ନଥିଲେ। ତଥାପି ପରିବାର ଓ ପଡ଼ୋଶୀଙ୍କ ସ୍ୱର ଚିହ୍ନ ସେମାନଙ୍କୁ ଚିହ୍ନଟ କରୁଥିଲେ। ୫ ବର୍ଷ ତଳେ ପୁପିରେଇ ତାଙ୍କ ଶ୍ରବଣ ଶକ୍ତି ହରାଇଥିଲେ। କିନ୍ତୁ ସ୍ପର୍ଶ କରି ସେ ଲୋକଙ୍କୁ ଚିହ୍ନ ପାରୁ ଥିଲେ। ପୁପିରେଇଙ୍କ ସ୍ୱାମୀ ୧୮୬୯ ମସିହାରେ ଆଖି ବୁଜିଥିଲେ। ତାଙ୍କ ୧୯ ଜଣ ନାତିନାତୁଣୀ, ୬୩ ଜଣ ଅଣ ନାତି ନାତୁଣୀ ଓ ୧୫ ଜଣ ପଣ ନାତି ନାତୁଣୀ ଅଛନ୍ତି।