Advertisment

ଅଜିତ ପାୱାରଙ୍କ ଏଣ୍ଟ୍ରୀକୁ ନେଇ ସିନ୍ଦେ ଗୋଷ୍ଠୀରେ ଫାଟ, ତାଳି ପକାଇବାକୁ ଉଦ୍ୟମ

ବିଧାୟକଙ୍କ ଏପରି ଆଭିମୁଖ୍ୟ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଅଡ଼ୁଆରେ ପକାଇଛି। ଏଥିପାଇଁ ସେ ବୁଧବାର ନିଜର ସବୁ କାର୍ଯ୍ୟକ୍ରମକୁ ବାତିଲ କରି ଦଳୀୟ ବିଧାୟକ ଓ ସାଂସଦଙ୍କ ସହ ଜରୁରୀ ବୈଠକ କରିଛନ୍ତି।

author-image
Hemant Lenka
ajit Pawar

ajit Pawar

ମହାରାଷ୍ଟ୍ରରେ ରାଜନୀତିକ ସମୀକରଣ ପ୍ରତିଦିନ ବଦଳିବାରେ ଲାଗିଛି। ପ୍ରଥମେ ଶିବସେନା ଓ ଏବେ ଏନସିପି ଦି’ ଫାଳ ହୋଇ ବିଜେପି ସହ ହାତ ମିଳାଇଛନ୍ତି। ରବିବାର ଏନସିପିର ବିଦ୍ରୋହୀ ନେତା ଅଜିତ ପାୱାର ଓ କିଛି ବିଧାୟକ ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି ଓ ଏକନାଥ ସିନ୍ଦେ ସରକାରରେ ସାମିଲ ହୋଇଥିଲେ।

Advertisment

ଏହାକୁ ନେଇ ଏନସିପିରେ ବିବାଦ ଚାଲିଥିବା ବେଳେ ସିନ୍ଦେ ଗୋଷ୍ଠୀରେ ମଧ୍ୟ ଫାଟ ଦେଖାଯାଇଛି। ସରକାରରେ ଅଜିତ ପାୱାରଙ୍କ ଏଣ୍ଟ୍ରୀକୁ ସିନ୍ଦେ ଗୋଷ୍ଠୀରେ ଥିବା କିଛି ବିଧାୟକ ଓ ନେତା ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେମାନେ ଅଜିତ ପାୱାର ଆଣ୍ଡ କୋଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବିଧାୟକଙ୍କ ଏପରି ଆଭିମୁଖ୍ୟ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଅଡ଼ୁଆରେ ପକାଇଛି। ଏଥିପାଇଁ ସେ ବୁଧବାର ନିଜର ସବୁ କାର୍ଯ୍ୟକ୍ରମକୁ ବାତିଲ କରି ଦଳୀୟ ବିଧାୟକ ଓ ସାଂସଦଙ୍କ ସହ ଜରୁରୀ ବୈଠକ କରିଛନ୍ତି। ଏଥିସହ ପୂରା ବିବାଦରେ ତାଳି ପକାଇବାକୁ ଉଦ୍ୟମ କରି ସବୁ କିଛି ଠିକଠାକ ରହିଥିବା ଜଣାଇବା ପାଇଁ ଚେଷ୍ଟା କରିଛନ୍ତି।

Advertisment

ବୈଠକରେ ଏହି ପ୍ରସଙ୍ଗ ଉଠିଥିବା ବେଳେ ଶିବସେନାର କିଛି ବିଧାୟକ ପୂର୍ବଭଳି ଅଜିତ ପାୱାରଙ୍କୁ ବିରୋଧ କରିଥିଲେ। ବାଲାସାହେବ ଠାକରେଙ୍କ ଶିବସେନା କେବେ ହେଲେ ଏନସିପିର ସହ ମେଣ୍ଟ କରି ନଥିଲା। ଖାସ ଏହି କାରଣ ପାଇଁ ଉଦ୍ଧବ ଠାକରେଙ୍କୁ ବିଧାୟକମାନେ ସିନ୍ଦେଙ୍କ କଥାରେ ଧୋକା ଦେଇଥିଲେ।

ଏବେ ସିନ୍ଦେ ମଧ୍ୟ ଏନସିପି ସହ ହାତ ମିଳାଇଥିବାରୁ ବିଧାୟକମାନେ ଏହାକୁ ବୈଠକରେ ବିରୋଧ କରିଥିଲେ। ବିଧାୟକଙ୍କ ଏପରି କଥା ସିନ୍ଦେଙ୍କୁ ଅଡ଼ୁଆରେ ପକାଇଛି। ସେହିପରି ଅଜିତ ପାୱାରଙ୍କ ଏଣ୍ଟ୍ରୀ ପରେ ଏନସିପି ନେତାଙ୍କୁ ସରକାରରେ ଗୁରୁତ୍ୱ ଦିଆଯାଇ ମନ୍ତ୍ରୀ କରାଯାଇଛି। ଏହାକୁ ମଧ୍ୟ ସିନ୍ଦେଙ୍କ ସମର୍ଥିତ ବିଧାୟକମାନେ ବିରୋଧ କରିଛନ୍ତି।

ଶିବସେନା ସାଂସଦ ଗଜାନନ କିରତିକର କହିଛନ୍ତି,“ଏନସିପି ସରକାରରେ ସାମିଲ ହେବା ପରେ ମନ୍ତ୍ରୀ ପଦ ପାଇଁ ଆଶା ରଖିଥିବା ବିଜେପି ଓ ଶିବସେନା ବିଧାୟକ ନିରାଶ ହୋଇଛନ୍ତି। ଏହା କିଛି ବିଧାୟକଙ୍କୁ ମର୍ମାହତ କରିଛି। ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଅବଗତ ରହିଛନ୍ତି।”

ଶିବସେନା ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିଥିବାରୁ ମୁଖ୍ୟମନ୍ତ୍ରୀ ସିନ୍ଦେ ବୁଧବାର ସମସ୍ତଙ୍କ ସହ ବୈଠକରେ ଆଲୋଚନା କରିଥିଲେ। ସେ ସମସ୍ତଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଛନ୍ତି। ବୈଠକ ପରେ ବରିଷ୍ଠ ନେତା ଉଦୟ ସାମନ୍ତ ଶିବସେନାରେ କୌଣସି ପ୍ରକାରର ମତପାର୍ଥକ୍ୟ ନଥିବା କହିଛନ୍ତି।

ସେ କହିଛନ୍ତି, “୩ ଦଳର ନେତା ଏକାଠି ସରକାର ଚଳାଇବେ। ଆମ ଭିତରେ କୌଣସି ପ୍ରକାରର ମତପାର୍ଥକ୍ୟ ନାହିଁ। ବୈଠକରେ ଦଳକୁ ସାଂଗଠନିକ ସ୍ତରରେ ମଜବୁତ କରିବାକୁ ଆଲୋଚନା ହୋଇଛି। ୨୦୨୪ ନିର୍ବାଚନ ଦଳ ସିନ୍ଦେଜୀଙ୍କ ନେତୃତ୍ୱରେ ଲଢ଼ିବ।”

ଦୁଇ ମାସ ତଳେ ସିନ୍ଦେଙ୍କ ଦଳ କହିଥିଲା ଯେ ଏନସିପି କୌଣସି ବି ପରିସ୍ଥିତିରେ ସରକାରରେ ସାମିଲ ହେବାର ନାହିଁ। ଏନସିପି ସହ ମିଶି କେବେ ହେଲେ କ୍ଷମତା ଭାଗବଣ୍ଟା ହୋଇପାରିବ ନାହିଁ। ଏନସିପି ଧୋକା ଦେବାରେ ମାହିର। ଯଦି ବିଜେପି ମହାରାଷ୍ଟ୍ରରେ ଏନସିପିକୁ ନିଜ ସହ ସାମିଲ କରିବ, ତା’ହେଲେ ଏହାକୁ ଆମେ ଆଦୌ ପସନ୍ଦ କରିବୁ ନାହିଁ।

ଆମେ ଏନସିପି ଓ କଂଗ୍ରେସ ସହ ମେଣ୍ଟ କରିଥିବାରୁ ଲୋକ ଏହାକୁ ପସନ୍ଦ କରି ନଥିଲେ। ଏଥିପାଇଁ ଆମେ ଅଲଗା ହୋଇଥିଲୁ। ଏବେ ଏନସିପି କେମିତି ସରକାରରେ ସାମିଲ ହେବ ବୋଲି ୨ ମାସ ତଳେ ସିନ୍ଦେ ଗୋଷ୍ଠୀ କହିଥିଲା।

ହେଲେ ଏବେ ସବୁ କିଛି ବଦଳି ଯାଇଛି। ମୁଖ୍ୟମନ୍ତ୍ରୀ ସିନ୍ଦେ ବେଶ ଆନନ୍ଦ ଓ ଉଲ୍ଲାସର ସହ ଏନସିପିର ବିଦ୍ରୋହୀ ନେତା ଅଜିତ ପାୱାରଙ୍କୁ ନିଜ ସରକାରକୁ ଆଣିଥିବାରୁ ଏହାକୁ ଶିବସେନାର କିଛି ବିଧାୟକ ସହ୍ୟ କରିପାରି ନାହନ୍ତି। ତେଣୁ ସେମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

Shiv Sena Maharashtra Politics NCP