Advertisment

୫୦ ଲକ୍ଷ ଟଙ୍କା ଦେଲେ ପୁଷ୍ପା-୨ ନିର୍ମାତା; ଅଲ୍ଲୁ ଅର୍ଜୁନ ଦାୟୀ ନୁହନ୍ତି କହିଲେ ମୃତକଙ୍କ ସ୍ୱାମୀ

ଥାନାରେ କରିଥିବା ଅଭିଯୋଗ ମଧ୍ୟ ଉଠାଇନେବାକୁ ପ୍ରସ୍ତୁତ ଥିବା କହିଛନ୍ତି ମୃତ ମହିଳାଙ୍କ ସ୍ୱାମୀ। ପୁଅ ୨୦ ଦିନ ହେଲା କୋମାରେ, କିଛି ଜାଣିପାରୁନି।

author-image
Debadatta Aryashrestha
Pushpa-2 production company provides help to victim's family

Pushpa-2 production company provides help to victim's family

ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ଜଣେ ମହିଳା ପ୍ରାଣ ହରାଇବା ଘଟଣା ଏବେ ସାରା ଦେଶରେ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ପୁଷ୍ପା-୨ ଚଳଚ୍ଚିତ୍ର ନିର୍ମାତା କମ୍ପାନୀ ଆଜି ପୀଡ଼ିତ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ଦେଇଛନ୍ତି। ସେପଟେ ଏହି ଘଟଣା ପାଇଁ ଅଭିନେତା ଅଲ୍ଲୁ ଅର୍ଜୁନ ଦାୟୀ ନୁହନ୍ତି ବୋଲି କହିଛନ୍ତି ମୃତକଙ୍କ ସ୍ୱାମୀ। ଏପରିକି ଥାନାରେ କରିଥିବା ଅଭିଯୋଗ ମଧ୍ୟ ଉଠାଇନେବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି।

Advertisment

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୃତ ମହିଳାଙ୍କ ସ୍ୱାମୀ ଭାସ୍କର କହିଛନ୍ତି ଯେ ଏହି ଦୁର୍ଘଟଣା ପାଇଁ ଆମେ କାହାକୁ ଦୋଷ ଦେଉନାହୁଁ। ଆମ ଭାଗ୍ୟ ଖରାପ ଥିବାରୁ ଏଭଳି ଘଟଣା ଆମ ସହ ଘଟିଲା। ଅଲ୍ଲୁ ଅର୍ଜୁନଙ୍କ ଗିରଫ ପାଇଁ ଆମକୁ ଦାୟୀ କରାଯାଉଛି। କିନ୍ତୁ ତାଙ୍କ ବିରୋଧରେ ଲଢ଼ିବା ପାଇଁ ଆମର ଶକ୍ତି ନାହିଁ। ଦୁର୍ଘଟଣା ପରଦିନଠାରୁ ଆମକୁ ଅଭିନେତା ସହଯୋଗ କରୁଛନ୍ତି। ତେବେ ତାଙ୍କ ପୁଅ ଶ୍ରୀ ତେଜ ଅଲ୍ଲୁ ଅର୍ଜୁନଙ୍କର ଜଣେ ବହୁତ ବଡ଼ ପ୍ରଶଂସକ ହୋଇଥିବାରୁ ପୁଅର ଇଛାରେ ସେ ପରିବାରକୁ ନେଇ ସେଠାକୁ ଯାଇଥିଲେ ବୋଲି କହିଛନ୍ତି ମୃତ ମହିଳାଙ୍କ ସ୍ୱାମୀ। ଘଟଣାକୁ ୨୦ ଦିନ ପୂରିଥିବାବେଳେ ତାଙ୍କର ୮ ବର୍ଷର ପୁଅ ଏବେ ମଧ୍ୟ କୋମାରେ ଅଛି। ବେଳେବେଳେ ଆଖି ଖୋଲୁଥିଲେ ମଧ୍ୟ ସେ କିଛି ଜାଣିପାରୁନଥିବା ଭାସ୍କର କହିଛନ୍ତି। ପୁଅ ଠିକ ହେବାକୁ ଆଉ କେତେଦିନ ଲାଗିବ କିଛି ଜଣାନାହିଁ ବୋଲି କୋହଭରା କଣ୍ଠରେ ସେ କହିଛନ୍ତି।

ପ୍ରକାଶ ଯୋଗ୍ୟ, ପୁଷ୍ପା-୨ ଚଳଚ୍ଚିତ୍ର ନିର୍ମାତା କମ୍ପାନୀ ଆଜି ହାଇଦ୍ରାବାଦ କିମ୍ସ ହସ୍ପିଟାଲରେ ପହଞ୍ଚି ମୃତ ମହିଳାଙ୍କ ସ୍ୱାମୀ ଭାସ୍କରଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତାମୂଳକ ଚେକ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ନିଜେ ଅଲ୍ଲୁ ଅର୍ଜୁନ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦେଇଥିଲେ। ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁକୁମାର ଓ ତାଙ୍କ ପତ୍ନୀ ତବିତା ଭାସ୍କରଙ୍କୁ ଭେଟି ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିଲେ। ଡିସେମ୍ବର ୪ ତାରିଖରେ ପୁଷ୍ପା-୨ ପ୍ରିମିୟର ଶୋ ସମୟରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଘଟିଥିଲା ଏହି ଦଳାଚକଟା ଘଟଣା। ଥିଏଟରକୁ ଅଲ୍ଲୁ ଅର୍ଜୁନ ଆସିବେ ବୋଲି ପୂର୍ବରୁ କୌଣସି ସୂଚନା ଦିଆଯାଇନଥିଲା ବୋଲି ପୁଲିସ ଅଭିଯୋଗ କରିବା ପରେ ଏହି ଘଟଣା ପାଇଁ ଅନେକ ଅଭିନେତାଙ୍କୁ ଦାୟୀ କରୁଛନ୍ତି। ଘଟଣାରେ ଅଲ୍ଲୁଙ୍କୁ ହାଇଦ୍ରାବାଦ ପୁଲିସ ଗିରଫ କରିଥିବାବେଳେ ସେ ୪ ସପ୍ତାହ ପାଇଁ ବେଲ ପାଇ ବାହାରକୁ ଆସିଛନ୍ତି।

Advertisment
Allu Arjun Hyderabad Stampede Pushpa 2 Sandhya Theater