/odisha-reporter/media/media_files/2025/12/04/pm-modi-2025-12-04-19-22-32.jpg)
ପୁଟିନଙ୍କୁ ମୋଦିଙ୍କ ସ୍ୱାଗତ
ଦୀର୍ଘ ୪ ବର୍ଷ ପରେ ପ୍ରାୟ ୨୭ ଘଣ୍ଟା ପାଇଁ ଭାରତ ଗସ୍ତରେ ଆସିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଆଜି ସନ୍ଧ୍ୟା ପ୍ରାୟ ୬.୫୦ରେ ପୁଟିନଙ୍କ ସ୍ୱତନ୍ତ୍ର ବିମାନ ଦିଲ୍ଲୀର ପାଲାମ ଏୟାରପୋର୍ଟରେ ପହଞ୍ଚିଥିଲା। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସ୍ୱାଗତ କାର୍ଯ୍ୟକ୍ରମରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଛନ୍ତି। ଏହା ଗୋଟିଏ ବିରଳ କୂଟନୀତିକ ପଦକ୍ଷେପ।
ଏୟାରପୋର୍ଟରେ ପୁଟିନ(Vladimir Putin)ଙ୍କୁ ମୋଦି ସ୍ୱାଗତ କରିବା ଅର୍ଥ ତାଙ୍କ ଗସ୍ତ ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତା’କୁ ଦର୍ଶାଉଛି। କୌଣସି ବିଶ୍ୱସ୍ତରୀୟ ନେତାଙ୍କୁ ମୋଦି ନିଜେ ଏୟାରପୋର୍ଟକୁ ଯାଇ ସ୍ୱାଗତ କରିବା ସାଧାରଣତଃ ଦେଖିବାକୁ ମିଳି ନଥାଏ। ହେଲେ ପୁଟିନଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।
ଏହାପୂର୍ବରୁ ୨୦୧୫ରେ ମୋଦି ଏୟାରପୋର୍ଟକୁ ଯାଇ ବାରାକ ଓବାମା, ୨୦୧୭ରେ ଶେଖ ହସିନା, ୨୦୧୭ରେ ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ୨୦୨୦ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଳ ୨୦୨୪ରେ ୟୁଏଇର ମହମ୍ମଦ ବିଜୟ ଜାୟେଦ ଅଲ ନହୟାନ ଓ ୨୦୨୫ରେ କତାରର ତାମିମ ବିନ ହାମାଦ ଅଲ ଥାନିଙ୍କୁ ସ୍ୱାଗତ କରିବା ପାଇଁ ଏୟାର ପୋର୍ଟରେ ପହଞ୍ଚିଥିଲେ।
ଏବେ ସେ ପୁଟିନଙ୍କୁ ଏୟାରପୋର୍ଟରେ ସ୍ୱାଗତ କରିଛନ୍ତି। ଏୟାରପୋର୍ଟରେ ମୋଦି ସ୍ୱାଗତ କରିବା ପରେ ପୁଟିନଙ୍କୁ ନିଜ କାରରେ ବସାଇଥିଲେ। ସେଠାରୁ ଉଭୟ ଗୋଟିଏ କାରରେ ଲୋକ କଲ୍ୟାଣ ମାର୍ଗ ସ୍ଥିତି ପ୍ରଧାନମନ୍ତ୍ରୀ ବାସଭବନକୁ ଯାଇଛନ୍ତି। ଏହାପୂର୍ବରୁ ଚାଇନାର ତିଆନଜିନରେ ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବନ୍ଧୁତା ପୂରା ବିଶ୍ୱ ଦେଖିଥିଲା।
ଏହି ସମୟରେ ପୁଟିନ ନିଜର କାରରେ ମୋଦି(PM Modi)ଙ୍କୁ ଧରି ବୈଠକ ସ୍ଥଳକୁ ଯାଇଥିଲେ। ଏହି ସମୟରେ ଦୁଇ ନେତା ପରସ୍ପର ସହ ହସିହସି କଥା ହେଉଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଏବେ ମୋଦି ସମାନ ଢଙ୍ଗରେ ପୁଟିନଙ୍କୁ କାରରେ ଧରି ପ୍ରଧାନମନ୍ତ୍ରୀ ବାସଭନକୁ ଯାଇଛନ୍ତି।
ସେଠାରେ ପୁଟିନଙ୍କ ପାଇଁ ରାତ୍ର ଭୋଜନର ଆୟୋଜନ କରିଛନ୍ତି ମୋଦି। ରାତ୍ର ଭୋଜନ ପରେ ପୁଟିନ ସିଧା ଆଇଟି ମୌର୍ଯ୍ୟକୁ ଯାଇଛନ୍ତି। ସେଠାକାର ଚାଣକ୍ୟ ପ୍ରେସିଡେଣ୍ଟାଲ ସୁଟରେ ସେ ରାତି କାଟିବେ। ପୁଟିନ ଆଇଟିସି ମୌର୍ଯ୍ୟରେ ରହୁଥିବାରୁ ହୋଟେଲର ସମସ୍ତ ରୁମକୁ ବୁକ କରି ଦିଆଯାଇଛି। ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଶୁକ୍ରବାର ଦିନ ୧୧ଟାରେ ରାଷ୍ଟ୍ରପତି ଭବନରେ ପୁଟିନଙ୍କ ପାଇଁ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ୧୧.୩୦ରେ ସେ ରାଜଘାଟ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିବେ। ଦିନ ପ୍ରାୟ ୧୧.୩୦ରେ ହାଇଦ୍ରାବାଦ ହାଉସରେ ମୋଦିଙ୍କୁ ଭେଟିବେ ପୁଟିନ। ସେଠାରେ ଦୁଇ ନେତାଙ୍କ ମଧ୍ୟ ଦୁଇ ପାକ୍ଷିକ ଆଲୋଚନା ହେବ।
ଦିନ ପ୍ରାୟ ୧.୫୦ର ଉଭୟ ନେତା ହାଇଦ୍ରାବାଦ ହାଉସରେ ପ୍ରେସକୁ ସମ୍ବୋଧନ କରିବେ କିମ୍ବା ମିଳିତ ବିବୃତି ଜାରି କରିବେ। ୩.୪୦ରେ ଆୟୋଜିତ ଗୋଟିଏ ବ୍ୟବସାୟିକ କାର୍ଯ୍ୟକ୍ରମରେ ପୁଟିନ ସାମିଲ ହେବେ। ତେବେ ବ୍ୟବସାୟିକ କାର୍ଯ୍ୟକ୍ରମ କେଉଁଠି ହେବ, ସେକଥା ଜଣାପଡ଼ିନି।
୨୩ ତମ ଭାରତ-ରୁଷ ସମ୍ମିଳନୀ ପରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଠାରୁ ଆରମ୍ଭ କରି ବାଣିଜ୍ୟକୁ ନେଇ ଏକାଧିକ ବୁଝାମଣା ସ୍ୱାକ୍ଷରିତ ହେବ। ସନ୍ଧ୍ୟା ୭ଟା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ପୁଟିନ। ସେହିପରି ରାତି ୯ଟା ବେଳେ ସେ ଭାରତ ଛାଡ଼ିବେ।
ପୁଟିନ ଶେଷ ଥର ପାଇଁ ୨୦୨୧ରେ ଭାରତ ଗସ୍ତରେ ଆସିଥିଲେ। ୨୧ତମ ଭାରତ-ରୁଷ ସମ୍ମିଳନୀରେ ଯୋଗଦେବାକୁ ଆସି ସେ ମୋଦିଙ୍କୁ ଭେଟିଥିଲେ। ଏବେ ୨୩ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀ ପାଇଁ ସେ ଭାରତ ଆସିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
