Advertisment

ଟ୍ରମ୍ପଙ୍କ ସହ ବିବାଦ: ଭାରତ ଆସିବେ ରୁଷ ରାଷ୍ଟ୍ରପତି ପୁଟିନ୍‌

ଭାରତ ଗସ୍ତରେ ଆସିବା ପୂର୍ବରୁ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଟ୍ରମ୍ପ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

author-image
Hemant Lenka
Putin

Putin

ଖୁବଶୀଘ୍ର ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏ ସମ୍ପର୍କରେ ଗୁରୁବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୂଚନା ଦେଇଛନ୍ତି। ଆମେରିକା ସହ ଟାରିଫ ଯୁଦ୍ଧ ଚାଲିଥିବା ବେଳେ ହଠାତ୍‌ ମସ୍କୋର ଯାଇଥିଲେ ଡୋଭାଲ। ଆଜି ସେଠାରୁ ସେ ପୁଟିନଙ୍କ ଭାରତ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ପୁଟିନ କେବେ ଭାରତ ଆସିବେ ତା’ର ନିର୍ଦ୍ଦିଷ୍ଟ ତାରିଖ ଡୋଭାଲ କହି ନାହାନ୍ତି। କିନ୍ତୁ ଚଳିତ ବର୍ଷ ସେ ଭାରତ ଆସିବେ ବୋଲି ସ୍ପଷ୍ଟ ହୋଇଛି।

Advertisment

ଏନଏସ୍‌ଏ ଡୋଭାଲ କହିଛନ୍ତି, “ଆମ ଭିତରେ ଗୋଟିଏ ସ୍ୱତନ୍ତ୍ର ଓ ଦୀର୍ଘ ସମୟର ସମ୍ପର୍କ ରହିଛି। ଆମେ ଏହି ସମ୍ପର୍କକୁ ସମ୍ମାନ କରୁ। ଆମେ ଗୋଟିଏ ଉଚ୍ଚସ୍ତରୀୟ ଆଲୋଚନା କରିଥିଲୁ। ଏହି ସବୁ ଉଚ୍ଚସ୍ତରୀୟ ଆଲୋଚନା ଦ୍ୱାରା ଭଲ ଫଳ ମିଳିଥାଏ। ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତକୁ ନେଇ ଆମେ ବେଶ ଉତ୍ସାହିତ। ମୁଁ ଭାବୁଛି ଗସ୍ତର ତାରିଖ ଏବେ ଠାରୁ ପ୍ରାୟ ସ୍ଥିର ହୋଇଯିବ।” ପୁଟିନଙ୍କ ଭାରତ ଗସ୍ତ ସମ୍ପର୍କରେ ଡୋଭାଲ ସୂଚନା ଦେଇଥିଲେ ହେଁ ମସ୍କୋ ପକ୍ଷରୁ ଏଯାଏ କିଛି ବି ପ୍ରତିକ୍ରିୟା ଆସି ନାହିଁ।

ଗୋଟିଏ ପଟେ ଭାରତ ଓ ଆମେରିକା ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି। ରୁଷ ଠାରୁ ଭାରତ ତେଲ କିଣୁଥିବାରୁ ରାଷ୍ଟ୍ରପତି ଟ୍ରମ୍ପ ନୂଆଦିଲ୍ଲୀ ଉପରେ ୫୦% ଟାରିଫ ଲଗାଇ ସାରିଛନ୍ତି। ରୁଷ ସହ ବ୍ୟବସାୟ ସମ୍ପର୍କଚ୍ଛିନ୍ନ କରିବାକୁ ସେ ଭାରତକୁ ଧମକ ଦେଉଛନ୍ତି। ଏସବୁ ଭିତରେ ଭାରତ ଓ ରୁଷର ନିବିଡ଼ତା ବଢ଼ିଛି। ଏପରି ଏକ ସମୟରେ ପୁଟିନଙ୍କ ଭାରତ ଗସ୍ତର ଗୁରୁତ୍ୱ ବେଶ ଅଧିକ ରହିଛି।

Advertisment

ଟ୍ରମ୍ପଙ୍କୁ ଭେଟି ପାରନ୍ତି ପୁଟିନ

ଭାରତ ଗସ୍ତରେ ଆସିବା ପୂର୍ବରୁ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଟ୍ରମ୍ପ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ରୁଷ ରାଷ୍ଟ୍ରପତିଙ୍କ ବୈଦେଶିକ ବ୍ୟାପାର ପରାମର୍ଶଦାତା ୟୁରି ଉଶାକୋଭ କହିଛନ୍ତି, ଦୁଇ ରାଷ୍ଟ୍ର ଗୋଟିଏ ବୈଠକ ଆୟୋଜନ କରିବାକୁ ଚେଷ୍ଟା କରୁଛନ୍ତି। ବୈଠକ ଭେନ୍ୟୁ ମିଳିତ ଭାବେ ସ୍ଥିର କରାଯାଇଛି ଓ ଖୁବଶୀଘ୍ର ଏହାର ଘୋଷଣା କରାଯିବ। ବୈଠକ ପାଇଁ ଆସନ୍ତା ସପ୍ତାହରେ ଦିନ ଧାର୍ଯ୍ୟ କରାଯାଇ ପାରେ ବୋଲି ସେ କହିଛନ୍ତି।

Narendra Modi Donald Trump Vladimir Putin