Advertisment

ଓଡ଼ିଆ ଆଇପିଏସ୍‌ ହେବେ ଜମ୍ମୁ-କଶ୍ମୀର ପୁଲିସ୍‌ ମୁଖ୍ୟ

ଅକ୍ଟୋବର ୩୧ରେ ଜମ୍ମୁ-କଶ୍ମରୀ ପୁଲିସ୍‌ ମହାନିର୍ଦ୍ଦେଶ ଭାବେ କାର୍ଯ୍ୟ କରୁଥିବା ଦିଲବାଗ ସିଂହ ଅବସର ନେବେ। ତାଙ୍କ ସ୍ଥାନରେ ଶ୍ରୀ ସ୍ୱାଇଁ କାମ ଆରମ୍ଭ କରିବେ।

RR swain

RR swain

Advertisment

ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇପିଏସ୍‌ ଅଫସିର ରଶ୍ମି ରଞ୍ଜନ ସ୍ୱାଇଁ ଜମ୍ମୁ-କଶ୍ମୀର ପୁଲିସ୍‌ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନ ଜମ୍ମୁ-କଶ୍ମୀର ସିଆଇଡିର ସ୍ୱତନ୍ତ୍ର ଡିଜି ଭାବେ କାମ କରୁଥିବା ଶ୍ରୀ ସ୍ୱାଇଁ ନଭେମ୍ବର ୧ରୁ ନୂଆ ଦାୟିତ୍ୱ ଗ୍ରହଣ କରିବେ।

Advertisment

ଅକ୍ଟୋବର ୩୧ରେ ଜମ୍ମୁ-କଶ୍ମରୀ ପୁଲିସ୍‌ ମହାନିର୍ଦ୍ଦେଶ ଭାବେ କାର୍ଯ୍ୟ କରୁଥିବା ଦିଲବାଗ ସିଂହ ଅବସର ନେବେ। ତାଙ୍କ ସ୍ଥାନରେ ଶ୍ରୀ ସ୍ୱାଇଁ କାମ ଆରମ୍ଭ କରିବେ।

ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିବୃତିରେ କୁହାଯାଇଛି ଯେ ୧୯୯୧ ବ୍ୟାଚ୍‌ର ଆଇପିଏସ୍‌ ରଶ୍ମି ରଞ୍ଜନ ସ୍ୱାଇଁ ଜମ୍ମୁ-କଶ୍ମୀର ପୁଲିସ୍‌ର ମହାନିର୍ଦ୍ଦେଶ ପଦର ଇନଚାର୍ଜ ଭାବେ କାମ କରିବେ। ବର୍ତ୍ତମାନ ସେ ଜମ୍ମୁ-କଶ୍ମୀର ସିଆଇଡିର ସ୍ୱତନ୍ତ୍ର ଡିଜି ଭାବେ କାମ କରୁଛନ୍ତି। ଅତିରିକ୍ତ ଭାବେ ସେ ପୁଲିସ୍‌ ମୁଖ୍ୟ ଦାୟିତ୍ୱରେ ମଧ୍ୟ ରହିବେ। ତାଙ୍କ କାର୍ଯ୍ୟକାଳ ୧ ତାରିଖରୁ ଆରମ୍ଭ ହେବ। ସେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଦୁଇଟି ଯାକ ପଦରେ କାର୍ଯ୍ୟ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Advertisment

ଓଡ଼ିଶାର ରାଉରକେଲାରେ ଜନ୍ମିତ ଶ୍ରୀ ସ୍ୱାଇଁ ଜମ୍ମୁ-କଶ୍ମୀର ସହ ବେଶ ଜଡ଼ିତ। ସେ ଉଭୟ ଶ୍ରୀନଗର ଓ ଜମ୍ମୁରେ ଏସଏସ୍‌ପି ଭାବେ କାର୍ଯ୍ୟ କରିଥିଲେ। କେନ୍ଦ୍ରୀୟ ଡେପୁଟେସନରେ ୧୫ ବର୍ଷ କାଳ କାମ କରିଥିବା ଶ୍ରୀ ସ୍ୱାଇଁ ବିଦେଶରେ ମଧ୍ୟ ପୋଷ୍ଟିଂ ପାଇଥିଲେ। ବିଦେଶରେ ସାଧାରଣତଃ ସବୁଠାରୁ ଦକ୍ଷ ଅଫିସରଙ୍କୁ ହିଁ ଭାରତ ସରକାର ନିଯୁକ୍ତି ଦିଅନ୍ତି।

ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଯେତେବେଳେ ସର୍ବୋଚ୍ଚ ସ୍ତରରେ ଥିଲା ସେତେବେଳେ ଅର୍ଥାତ ୨୦୦୧ରୁ ୨୦୦୩ ଯାଏ ଶ୍ରୀ ସ୍ୱାଇଁ ଶ୍ରୀନଗରର ଏସ୍‌ଏସ୍‌ପି ଭାବେ କାମ କରୁଥିଲେ। ସେହିପରି ୨୦୦୩ରୁ ୨୦୦୪ ଯାଏ ସେ ଜମ୍ମୁର ଏସଏସପି ଥିଲେ। ଏହାବାଦ ରାମବନ, ପୁଞ୍ଚ ଓ ଲେହରେ ମଧ୍ୟ ସେ ଏଏସ୍‌ପି ଭାବେ କାମ କରିବାର ଅଭିଜ୍ଞତା ରଖିଛନ୍ତି।

୨୦୦୪ରୁ ୨୦୦୬ ଯାଏ ସେ ଜମ୍ମୁ-କଶ୍ମୀର ଭିଜିଲାନ୍ସ ଅର୍ଗାନାଇଜେସନର ଆସିସଷ୍ଟାଣ୍ଟ ଇନସପେକ୍ଟର ଜେନେରାଲ ଓ ଡେପୁଟି ଇନସପେକ୍ଟର ଜେନେରାଲ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏହାପରେ ଶ୍ରୀ ସ୍ୱାଇଁ ୧୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ପୁଣି ୨୦୨୦ ଜୁନ ମାସରେ ତାଙ୍କୁ ଜମ୍ମୁ-କଶ୍ମୀରରେ ନିଯୁକ୍ତି ମିଳିଥିଲା।

କେନ୍ଦ୍ର ସରକାର ଜୁନ ୧୫ରେ ଶ୍ରୀ ସ୍ୱାଇଁଙ୍କୁ ଜମ୍ମୁ-କଶ୍ମୀରର ଗୁଇନ୍ଦା ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ। ସେ ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଶ୍ରୀନିବାସଙ୍କ ସ୍ଥାନରେ ଏପରି ନିଯୁକ୍ତି ପାଇଥିଲେ। ଏବେ ତାଙ୍କୁ ପୁଲିସ୍‌ ମହାନିର୍ଦ୍ଦେଶ ଭାବେ ଦାୟିତ୍ୱ ଦିଆଯିବାକୁ ନିଷ୍ପତ୍ତି ହୋଇଛି।

Police Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe