Himanshika with Radhika
ହରିୟାଣାର ଗୁରୁଗ୍ରାମରେ ଟେନିସ ଖେଳାଳି ରାଧିକ ଯାଦବଙ୍କୁ ତାଙ୍କ ବାପା ଗୁଳି କରି ହତ୍ୟା କରିବା ଘଟଣାରେ ମୁହଁ ଖୋଲିଛନ୍ତି ତାଙ୍କ ସାଙ୍ଗ ହିମାଂଶିକା ସିଂହ ରାଜପୁତ। ସେ ସୋଶାଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସାଂଘାତିକ କଥା କହିଛନ୍ତି।
ସେ ଦାବି କରିଛନ୍ତି, ମୋର ସବୁଠାରୁ ଭଲ ସାଙ୍ଗ ରାଧିକାଙ୍କୁ ତାଙ୍କ ବାପା ହତ୍ୟା କରିଛନ୍ତି। ସେ ତାଙ୍କୁ ୫ଟି ଗୁଳି ମାରିଥିଲେ। ସେଥିରୁ ୪ଟି ତାଙ୍କ ଦେହରେ ବାଜିଥିଲା। କିଛି ବର୍ଷ ହେଲାଣି ସେ ତାଙ୍କ ଜୀବନକୁ ନର୍କ କରି ଦେଇଥିଲେ। ସେ ତାଙ୍କୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ। ବରାବର ତାଙ୍କୁ ସମାଲୋଚନା କରୁଥିଲେ। ଆଉ ଶେଷରେ ସେ (ରାଧିକାଙ୍କ ବାପା) ତାଙ୍କ ବନ୍ଧୁମାନଙ୍କ କଥାରେ ପଡ଼ିଯାଇଥିଲେ, ଯେଉଁମାନେ ରାଧିକାଙ୍କ ସଫଳତାକୁ ସହି ପାରୁ ନଥିଲେ।
ହିମାଂଶିକା ଆହୁରି ଦାବି କରିଛନ୍ତି ଯେ ରାଧିକାଙ୍କୁ ତାଙ୍କ ଘରେ ବହୁତ କଟକଣା ମଧ୍ୟରେ ରଖିବାକୁ ପ୍ରୟାସ କରାଯାଉଥିଲା। ସେ ଛୋଟ ପୋଷାକ ପିନ୍ଧିଲେ, ତାଙ୍କ ବାପାମା’ ସହ୍ୟ କରୁ ନଥିଲେ।
Radhika Yadavହିମାଂଶିକା କହିଛନ୍ତି, ରାଧିକ ଟେନିସକୁ ନେଇ ବହୁତ ପରିଶ୍ରମ କରିଥିଲେ। ନିଜ ଏକାଡେମୀ ଖୋଲିଥିଲେ। ସେ ନିଜ ପାଇଁ ବହୁତ ଭଲ କାମ କରୁଥିଲେ। କିନ୍ତୁ ସେ ସ୍ୱାଧୀନ ହୁଅନ୍ତୁ ବୋଲି ତାଙ୍କ ବାପାମା’ ଚାହୁଁନଥିଲେ। ଛୋଟ ପୋଷାକ ପାଇଁ ହେଉ ଅବା ପୁଅମାନଙ୍କ ସହିତ କଥାବାର୍ତ୍ତା ହେଲେ ରାଧିକାଙ୍କୁ ତାଙ୍କ ବାପାମା’ ଅପମାନିତ କରୁଥିଲେ। ଏମିତିକି ସେମାନେ ଚାହୁଁନଥିଲେ ଯେ ରାଧିକା ନିଜ ଇଚ୍ଛାରେ ଜୀବନ ବଞ୍ଚନ୍ତୁ।
ସେ କହିଛନ୍ତି, ରାଧିକା ଓ ମୁଁ ୨୦୧୨ କିମ୍ବା ୨୦୧୩ରୁ ସାଙ୍ଗ ହୋଇ ଖେଳିବା ଆରମ୍ଭ କରିଥିଲୁ। ଆମେ ଏକାଠି ଯାତ୍ରା କରିଛୁ। ବିଭିନ୍ନ ସ୍ଥାନରେ ମ୍ୟାଚ୍ ଖେଳିଛୁ। ମୁଁ କେବେ ଦେଖିନି ପରିବାରର ସଦସ୍ୟଙ୍କ ବ୍ୟତୀତ ସେ ଅନ୍ୟ କାହା ସହିତ କଥା ହେବାର। ପରିବାରର କଟକଣା ଯୋଗୁ ସେ ସବୁ କାମ ମାପିଚୁପି କରୁଥିଲେ। ପ୍ରତିଟି କାମ ପାଇଁ ତାକୁ ଘରେ କୈଫିୟତ ଦେବାକୁ ପଡୁଥିଲା। ଏମିତିକି ଭିଡିଓ କଲ୍ କଲେ ସେ କାହା ସହିତ କଥା ହୁଅନ୍ତି, ବାପାମା’ଙ୍କୁ ଦେଖାନ୍ତି। ଟେନିସ୍ ଏକାଡେମୀ ତାଙ୍କ ଘରଠାରୁ ୫୦ ମିଟର ଦୂରରେ ଥିଲେ ହେଁ ସେ ଘରକୁ ଫେରିବାରେ ବିଳମ୍ବ କରନ୍ତି ନାହିଁ।
ସାଂପ୍ରଦାୟିକ ପ୍ରସଙ୍ଗ ଯୋଗୁ ରାଧିକାଙ୍କୁ ହତ୍ୟା କରାଯାଇଥିବା କଥାକୁ ହିମାଂଶିକା ଆଦୌ ଗ୍ରହଣ କରିନାହାନ୍ତି। ସେ କହିଛନ୍ତି, ଲୋକେ ଲଭ୍ ଜିହାଦ କଥା କହୁଛନ୍ତି। କିନ୍ତୁ ତା’ ପଛରେ ପ୍ରମାଣ କାହିଁ? ସେ ବହୁତ ଲୋକଙ୍କ ସହିତ କଥା ହେଉ ନଥିଲେ। ସେ ଏକୁଟିଆ ରହୁଥିଲେ। ତାଙ୍କ ଘରେ ତାଙ୍କୁ ସ୍ୱାଧୀନତା ମିଳୁ ନଥିଲା।
ପୁଲିସ ମଧ୍ୟ କହିଛି ଯେ ତଦନ୍ତ ବେଳେ ସାଂପ୍ରଦାୟିକ ପ୍ରସଙ୍ଗ ହେତୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ।
ରାଧିକାଙ୍କ ବାପାଙ୍କୁ ପୁଲିସ ଗିରଫ କରିଛି। ସେ ଜେଲ୍ରେ ଅଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ପୁଲିସ ଜବତ କରିଛି।
ଏକ ସାକ୍ଷାତକାରରେ ରାଧିକାଙ୍କ ବଡ଼ ବାପା ତଥା ଦୀପକ ଯାଦବଙ୍କ ବଡ଼ ଭାଇ ବିଜୟ ଯାଦବ କହିଛନ୍ତି, ତାଙ୍କୁ ଫାଶୀ ଦିଆଯିବା ଉଚିତ୍ ବୋଲି ସେ ନିଜେ କହିଛନ୍ତି। ସେ ତାଙ୍କ ଭୁଲ ବୁଝିସାରିଛନ୍ତି। ଏହି ଘଟଣା ପୂରା ପରିବାରକୁ ବିସ୍ମିତ କରିଛି।
ରାଧିକା ଓ ତାଙ୍କ ବାପା ଦୀପକ ଯାଦବସେହିଭଳି ରାଧିକା ଓ ତାଙ୍କ କୋଚ୍ ଅଜୟ ଯାଦବଙ୍କ ମଧ୍ୟରେ ହ୍ୱାଟ୍ସ ଆପ୍ରେ ବାର୍ତ୍ତାଳପ ହୋଇଥିବା କଥାକୁ ସ୍ପଷ୍ଟ କରିଛି। ସେଥିରେ ରାଧିକା ଘର ଛାଡ଼ିବା କଥା ଉଲ୍ଲେଖ କରିଥିଲେ। ସେ ବିଦେଶ ଯିବାକୁ ଯୋଜନା କରୁଥିଲେ। କାନ୍ଧରେ ଆଘାତ ଲାଗିବା ପରେ ସେ ନୂଆ କ୍ୟାରିୟର ବାଛିବାକୁ ଭାବୁଥିଲେ। ସେ ପ୍ରଥମେ ସୋଶାଲ ମିଡିଆ ଇନ୍ଫ୍ଲ୍ୟୁଏନ୍ସର ହେବାକୁ ଚାହିଁଥିଲେ। କିନ୍ତୁ ପରେ କୋଚିଂ ଦେବା ଆରମ୍ଭ କରିଥିଲେ ବୋଲି ପୁଲିସ କହିଛି।
ସେହିପରି ପୁଲିସ କହିଛି ଯେ ରାଧିକା ତାଙ୍କ ବାପାଙ୍କୁ ଆଶ୍ୱାସନା ଦେଇଥିଲେ ଯେ ତାଙ୍କ ପରିବାରର ସମ୍ମାନ ନଷ୍ଟ ହେଲା ଭଳି କୌଣସି କାର୍ଯ୍ୟ ସେ କରିବେ ନାହିଁ। ତଥାପି ତାଙ୍କ ବାପା ତାଙ୍କ ଉପରେ ଗଭୀର ଅସନ୍ତୁଷ୍ଟ ଥିଲେ।
ରାଧିକାଙ୍କୁ ତାଙ୍କ ବାପା ଦୀପକ ଯାଦବ ଗୁରୁଗ୍ରାମର ସେକ୍ଟର ୫୭ରେ ଥିବା ଘରେ ଗୁଳି କରି ହତ୍ୟା କରିଥିଲେ। ସେ ୫ଟି ଗୁଳି ମାରିଥିଲେ। ସେଥିରୁ ୪ଟି ରାଧିକାଙ୍କ ଦେହରେ ବାଜିଥିଲା। ୩ଟି ତାଙ୍କ ପିଠିରେ ଓ ଗୋଟିଏ କାନ୍ଧରେ ବାଜିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଶୁକ୍ରବାର ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1752413848.jpg)