Advertisment

ରାହୁଲ ଗାନ୍ଧିଙ୍କ ପରେ ତାଙ୍କ ନାମଧାରୀ ମଧ୍ୟ ଅଯୋଗ୍ୟ ଘୋଷିତ ହେଲେ

‘ରାହୁଲ ଗାନ୍ଧି କେଏଇ ଏସ୍‌/ଓ ବାଲସାମ୍ମା’ ୨୦୧୯ ଲୋକସଭା ନିର୍ବାଚନ ସ୍ୱାଧୀନ ଭାବେ ଲଢ଼ିଥିଲେ।

author-image
Hemant Lenka
Rahul Gandhi

Rahul Gandhi

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପରେ ସମାନ ନାମଧାରୀ ଆଉ ଜଣଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ‘ରାହୁଲ ଗାନ୍ଧି କେଏଇ ଏସ୍‌/ଓ ବାଲସାମ୍ମା’ ନିର୍ବାଚନ ଲଢ଼ିବା ପାଇଁ ଯୋଗ୍ୟତା ହରାଇଥିବା କମିଶନଙ୍କ ଜାରି କରିଥିବା ତାଲିକାରେ ଉଲ୍ଲେଖ କରାଯାଇଛି। ‘ରାହୁଲ ଗାନ୍ଧି କେଏଇ ଏସ୍‌/ଓ ବାଲସାମ୍ମା’ ତାଙ୍କ ନିର୍ବାଚନୀ ଖର୍ଚ୍ଚର ବିବରଣୀ ଦେଇ ନଥିବାରୁ କମିଶନ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Advertisment

‘ରାହୁଲ ଗାନ୍ଧି କେଏଇ ଏସ୍‌/ଓ ବାଲସାମ୍ମା’ ୨୦୧୯ ଲୋକସଭା ନିର୍ବାଚନ ସ୍ୱାଧୀନ ଭାବେ ଲଢ଼ିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧି ୱାୟନାଡରୁ ପ୍ରାର୍ଥୀ ହୋଇଥିବା ବେଳେ ଏହି ବ୍ୟକ୍ତି ଜଣଙ୍କ ଉକ୍ତ ସ୍ଥାନରେ ନାମାଙ୍କନ ଭରିଥିଲେ। ତାଙ୍କୁ ୨୧୯୬ ଖଣ୍ଡ ଭୋଟ ମିଳିଥିଲା। ରାହୁଲ ଗାନ୍ଧି ଏଠାରେ ୭ ଲକ୍ଷରୁ ଅଧିକ ଭୋଟ ପାଇ ନିର୍ବାଚନ ଜିତିଥିଲେ।

‘ରାହୁଲ ଗାନ୍ଧି କେଏଇ ଏସ୍‌/ଓ ବାଲସାମ୍ମା’ ନିର୍ବାଚନ ଲଢ଼ିଥିଲେ ହେଁ ନିୟମ ଅନୁସାରେ ନିର୍ବାଚନୀ ଖର୍ଚ୍ଚ ସଂକ୍ରାନ୍ତ ରିପୋର୍ଟ ଇସିଙ୍କ ନିକଟରେ ଦାଖଲ କରି ନଥିଲେ। ଏହି କାରଣରୁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣା କରାଯାଇଛି।

Advertisment

କୌତହଳର ବିଷୟ ହେଉଛି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ପଦ ଗତ ସପ୍ତାହରେ ରଦ୍ଦ ହୋଇଥିଲା। ସେ ଗୋଟିଏ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କ ସଦସ୍ୟତା ପଦ ରଦ୍ଦ କରାଯାଇଥିଲା। ଏସବୁ ଭିତରେ ନିର୍ବାଚନ କମିଶନ ମାର୍ଚ୍ଚ ୨୯ରେ ଲୋକପ୍ରତିନିଧି ଆଇନ ୧୯୫୧ର ଧାରା ୧୦ ଏ ଅନୁଯାୟୀ କେଉଁ ସବୁ ବ୍ୟକ୍ତି ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନଙ୍କର ଅପଡେଟ ତାଲିକାର ଜାରି କରିଛନ୍ତି। ଏଥିରେ ‘ରାହୁଲ ଗାନ୍ଧି କେଏଇ ଏସ୍‌/ଓ ବାଲସାମ୍ମା’ଙ୍କ ନାଁ ରହିଛି। ସେ ୨୦୨୧ ସେପ୍ଟେମ୍ବର ୧୩ରୁ ୨୦୨୪ ସେପ୍ଟେମ୍ବର ୧୩ ଯାଏ କୌଣସି ପ୍ରକାରର ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କୁହାଯାଇଛି।

ଧାରା ୧୦ ଏ ଅନୁଯାୟୀ, ଯଦି କୌଣସି ପ୍ରାର୍ଥୀ ନିର୍ବାଚନ କମିଶନ ପାଖରେ ଧାର୍ଯ୍ୟ ସମୟ ଅନୁସାରେ ତାଙ୍କ ଖର୍ଚ୍ଚ ବିବରଣୀ ନ ଦେବେ କିମ୍ବା ଉପଯୁକ୍ତ ଜବାବ ନ ରଖିପାରିବେ, ତା’ହେଲେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପାରିବ। ଅଯୋଗ୍ୟ ଘୋଷିତ ହେଉଥିବା ବ୍ୟକ୍ତି ୩ ବର୍ଷ ଯାଏ ନିର୍ବାଚନ ଲଢ଼ିବାରରୁ ବଞ୍ଚିତ ହେବେ। ଏବେ ‘ରାହୁଲ ଗାନ୍ଧି କେଏଇ ଏସ୍‌/ଓ ବାଲସାମ୍ମା’ଙ୍କ କ୍ଷେତ୍ରରେ ସମାନ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Congress Rahul Gandhi