ନିର୍ବାଚନ ସରୁ ସରୁ ପୁଣି ଉଠିଲା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ତଥା ଇଭିଏମ୍ ପ୍ରସଙ୍ଗ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ଇଭିଏମକୁ ନେଇ ପୁଣି ଉଠାଇଛନ୍ତି ପ୍ରଶ୍ନ। ସେ ଏହାକୁ 'ବ୍ଲାକ୍ ବକ୍ସ' ବୋଲି କହିଛନ୍ତି।
ରବିବାର ରାହୁଲ ଗାନ୍ଧି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ସ୍ପେଶ୍ ଏକ୍ସ ସିଇଓ ଏଲନ୍ ମସ୍କଙ୍କ ଏକ୍ସ ପୋଷ୍ଟକୁ ରି-ପୋଷ୍ଟ କରିବା ସହ ଏକ ସ୍ୱତନ୍ତ୍ର ଖବର କାଗଜରେ ଛପି ଥିବା ଖବରର ଏକ ଖଣ୍ଡକୁ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, 'ଭାରତରେ ଇଭିଏମ୍ ହେଉଛି ଏକ ବ୍ଲାକ୍ ବକ୍ସ। ଏହାକୁ ଯାଞ୍ଚ କରିବାକୁ କାହାର ବି ଅନୁମତି ନାହିଁ।'
ସେ ଆହୁରି କହିଛନ୍ତି, 'ଆମର ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ଚିନ୍ତା ବଢ଼ୁଛି। ଯେତେବେଳେ ଅନୁଷ୍ଠାନଗୁଡ଼ିକର ଉତ୍ତରଦାୟିତ୍ୱ ଅଭାବ ହୁଏ, ସେତେବେଳେ ଗଣତନ୍ତ୍ର ଦେଖାଣିଆ ପାଲଟିଯାଏ ଏବଂ ଠକାମିର ସମ୍ଭାବନା ବଢ଼ିଯାଏ।'
EVMs in India are a "black box," and nobody is allowed to scrutinize them.
— Rahul Gandhi (@RahulGandhi) June 16, 2024
Serious concerns are being raised about transparency in our electoral process.
Democracy ends up becoming a sham and prone to fraud when institutions lack accountability. https://t.co/nysn5S8DCF pic.twitter.com/7sdTWJXOAb
ରାହୁଲ ଗାନ୍ଧି ନିଜର ଏହି ପୋଷ୍ଟରେ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନ ସହ ଜଡିତ ଏକ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ମାମଲାରେ ଇଭିଏମ୍କୁ ନେଇ ପ୍ରଶ୍ନ ଉଠିଛି। ଶିବସେନା ସିନ୍ଧେ ଗୋଷ୍ଠୀର ସାଂସଦ ରବିନ୍ଦ୍ର ବାୟକରଙ୍କ ଶାଳା ମଙ୍ଗେଶ ପାଣ୍ଡିଲକରଙ୍କ ବିରୋଧରେ ମୁମ୍ବାଇ ପୁଲିସ ମାମଲା ରୁଜୁ କରିଛି। ମୁମ୍ବାଇର ଗୋରେଗାଓଁ ନିର୍ବାଚନ କେନ୍ଦ୍ର ଭିତରେ ବ୍ୟାନ୍ ସତ୍ତ୍ୱେ ବି ମଙ୍ଗେଶ ପାଣ୍ଡିଲକର ମୋବାଇଲ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
କହିରଖୁ ଯେ, ଏଲନ୍ ମସ୍କ ଶନିବାର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଇଭିଏମ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, 'ଇଭିଏମକୁ ରଦ୍ଦ କରିଦେବା ଉଚିତ୍। ଏହାକୁ ସାଧାରଣ ଲୋକ କିମ୍ବା ଏଆଇ ଦ୍ୱାରା ହ୍ୟାକ୍ କରିବା ଅଶଙ୍କା ରହିଛି।' ଏଲନ ମସ୍କଙ୍କ ଏହି ବୟାନ ପରେ ରାହୁଲ ଗାନ୍ଧି ମଧ୍ୟ ଏହି କଥା ଆଳରେ ଇଭିଏମକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।