Advertisment

ସରକାରୀ ବଙ୍ଗଳା ଖାଲି କଲେ ରାହୁଲ ଗାନ୍ଧି, ମା’ ସୋନିଆଙ୍କ ପାଖରେ ରହିବେ

ଟ୍ରକ୍‌ ଯୋଗେ ରାହୁଲ ନିଜ ଜିନିଷପତ୍ରକୁ ୧୦ ଜନପଥରେ ଥିବା ମା’ ସୋନିଆ ଗାନ୍ଧିଙ୍କ ବାସଭବନକୁ ନେଇଛନ୍ତି। ଏବେ ରାହୁଲ ସେଠାରେ ରହିବେ ବୋଲି ଜଣାପଡ଼ିଛି।

author-image
Hemant Lenka
Rahul Gandhi

Rahul Gandhi

ଅପରାଧିକ ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦସ୍ୟତା ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ସରକାରୀ ବଙ୍ଗଳା ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୧୨ ତୋଗଲକ ରୋଡ୍‌ରେ ଥିବା ରାହୁଲ ଗାନ୍ଧିଙ୍କ ବଙ୍ଗଳାରୁ ଆଜି ଜିନିଷପତ୍ର କଢ଼ା ଯାଉଥିବା ଭିଡିଓ ସାମ୍ନାକୁ ଆସିଛି। ଟ୍ରକ୍‌ ଯୋଗେ ରାହୁଲ ନିଜ ଜିନିଷପତ୍ରକୁ ୧୦ ଜନପଥରେ ଥିବା ମା’ ସୋନିଆ ଗାନ୍ଧିଙ୍କ ବାସଭବନକୁ ନେଇଛନ୍ତି। ଏବେ ରାହୁଲ ସେଠାରେ ରହିବେ ବୋଲି ଜଣାପଡ଼ିଛି।

Advertisment

ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇଥିବାରୁ ରାହୁଲ ଗାନ୍ଧିଙ୍କୁ ଏପ୍ରିଲ ୨୨ ସୁଦ୍ଧା ବଙ୍ଗଳା ଖାଲି କରିବାକୁ ନୋଟିସ ଆସିଥିଲା। ଏହି ସମୟସୀମା ମଧ୍ୟ ରାହୁଲ ଘର ଖାଲି କରିଦେବେ ବୋଲି ମଧ୍ୟ କହିଥିଲେ। ଏହିକ୍ରମରେ ଆଜି ଅର୍ଥାତ ଏପ୍ରିଲ ୧୪ରୁ ସେ ଘର ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।

ରାହୁଲ ଗାନ୍ଧିଙ୍କୁ ୨୦୧୯ ମସିହା ମୋଦି ସରନେମ ବୟାନ ପାଇଁ ସୁରତର ଗୋଟିଏ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। କୋର୍ଟଙ୍କ ରାୟର ୨୪ ଘଣ୍ଟା ଭିତରେ ରାହୁଲ ଗାନ୍ଧିଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିଲା। ଏହାକୁ ନେଇ ରାଜନୀତିକ ବୟାନବାଜୀ ଚାଲିଥିବା ବେଳେ ରାହୁଲ ସୁରତ ସେସନ୍ସ କୋର୍ଟରେ ଉକ୍ତ ରାୟକୁ ଚ୍ୟାଲେଞ୍ଜ କରିଛନ୍ତି। ୨୦ ତାରିଖରେ କୋର୍ଟ ଚୂଡ଼ାନ୍ତ ରାୟ ଦେବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି। କିନ୍ତୁ ଏହା ପୂର୍ବରୁ ହିଁ ରାହୁଲ ନିଜର ସରକାରୀ ବଙ୍ଗଳା ଖାଲି କରି ଦେଇଛନ୍ତି।

Advertisment

ରାହୁଲ ଗାନ୍ଧି ସ୍ଥାୟୀ ଭାବେ ମା’ ସୋନିଆ ଗାନ୍ଧିଙ୍କ ବାସଭବନକୁ ସ୍ଥାନାନ୍ତରିତ ହୋଇଛନ୍ତି କି ନାହିଁ, ସେକଥା ସ୍ପଷ୍ଟ ହୋଇନି। ସେହିପରି ରାହୁଲ ଗାନ୍ଧି ଆଉ ଗୋଟିଏ ଘର ଖୋଜୁଥିବା କୁହାଯାଉଛି। କିନ୍ତୁ ସେ ଜେଡ୍‌ ପ୍ଲସ ସୁରକ୍ଷା ବଳୟ ମଧ୍ୟରେ ରହୁଥିବାରୁ ନୂଆ ଘର ପାଇଁ ପ୍ରଥମେ ସୁରକ୍ଷାକର୍ମୀଙ୍କ ସବୁଜ ସଙ୍କେତ ଆବଶ୍ୟକ। ସୁରକ୍ଷାକର୍ମୀମାନେ ଆଖପାଖ ଅଞ୍ଚଳ ଯାଞ୍ଚ କରିବା ପରେ ହିଁ ରାହୁଲ ଗାନ୍ଧି ନୂଆ ଘରେ ରହିପାରିବେ କି ନାହିଁ, ସେକଥା କହିବେ।

Congress Rahul Gandhi