Advertisment

ଆଦାନୀଙ୍କୁ ନେଇ ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଘେରିଲେ ରାହୁଲ, କାଉଣ୍ଟର କଲା ବିଜେପି

ରାହୁଲ କହିଥିଲେ ଯେ ଗୌତମ ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ବ୍ୟାପକ କରାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗଦାନ ରହିଛି। ସେ ଆଦାନୀ ଗ୍ରୁପକୁ ସାହାଯ୍ୟ କରିଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଦେଶର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ଅକଳରେ ପଡ଼ିଥିବା ବେଳେ ମଙ୍ଗଳବାର ଏହି ପ୍ରସଙ୍ଗରେ ଲୋକସଭାରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ।

Advertisment

ରାହୁଲ କହିଥିଲେ ଯେ ଗୌତମ ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ବ୍ୟାପକ କରାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗଦାନ ରହିଛି। ସେ ଆଦାନୀ ଗ୍ରୁପକୁ ସାହାଯ୍ୟ କରିଛନ୍ତି।

ସେ କହିଥିଲେ, ଗୌତମ ଆଦାନୀ କେବେ କୌଣସି ବ୍ୟବସାୟରେ ବିଫଳ ହୋଇନାହାନ୍ତି। ଭାରତ ଯୋଡ଼ ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଲୋକେ ମୋତେ ପଚାରିଥିଲେ- ଆଦାନୀ କିପରି ବିଭିନ୍ନ କ୍ଷେତ୍ରରେ ବ୍ୟବସାୟ କରି ସଫଳତା ପାଉଛନ୍ତି? ସେହିପରି ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର କି ସଂପର୍କ ରହିଛି ବୋଲି ଲୋକେ ପଚାରିଥିଲେ। ଲୋକେ ଆହୁରି ପଚାରିଥିଲେ ୨୦୧୪ରୁ ୨୦୨୨ ମଧ୍ୟରେ ଆଦାନୀଙ୍କ ମୋଟ ସଂପତ୍ତି ୮ ବିଲିୟନ ଡଲାରରୁ ୧୪୦ ବିଲିୟନ ଡଲାରକୁ କେମିତି ବୃଦ୍ଧି ପାଇଲା?

Advertisment

ରାହୁଲ ଲୋକସଭାରେ କହିଥିଲେ ଯେ ୨୦୧୪ରେ ବିଜେପି କେନ୍ଦ୍ରରେ ସରକାର କରିବା ପରେ ଆଦାନୀ ବିଶ୍ୱର ଧନୀ ତାଲିକାରେ ୬୦୦ତମ ରାଙ୍କରୁ ଉଠି ଦୁଇ ନମ୍ବର ସ୍ଥାନରେ ପହଞ୍ଚି ଯାଇଥିଲେ। ସେହିପରି ବିଜେପି କ୍ଷମତାକୁ ଆସିବା ପରେ ଆଦାନୀ ୬ଟି ବିମାନବନ୍ଦରର କଣ୍ଟ୍ରାକ୍ଟ ପାଇଛି।

ଅନ୍ୟପକ୍ଷରେ ରାହୁଲଙ୍କ ଏହି ସବୁ ଅଭିଯୋଗର କଡ଼ା ଜବାବ ରଖିଥିଲା ବିଜେପି। ରାହୁଲଙ୍କୁ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଥିଲେ, କୌଣସି ପ୍ରମାଣ ନଥାଇ ଅନ୍ଧ ଭାବେ ଅଭିଯୋଗ କରନ୍ତୁ ନାହିଁ। ଆପଣ ଏବେ ଜଣେ ବରିଷ୍ଠ ସାଂସଦ। ଆପଣ ଦାୟିତ୍ୱସଂପନ୍ନ ହୋଇ ମନ୍ତବ୍ୟ ଦେବା ଉଚିତ୍। ଆମେ ଆଶା କରୁଛୁ ସଂସଦକୁ ଆପଣ ଗୁରୁତ୍ୱର ସହିତ ନେବେ। ବାହାରେ ଆପଣ ଯାହା କହିବା କଥା କହିପାରିବେ।

ଏହା ସହିତ ବିଜେପିର ସାଂସଦମାନେ ମଧ୍ୟ ରାହୁଲଙ୍କ ଉପରେ ବର୍ଷିଥିଲେ। ସେମାନେ କହିଥିଲେ- କଂଗ୍ରେସ ବିମାନବନ୍ଦର ଗୁଡ଼ିକର କଣ୍ଟ୍ରାକ୍ଟ ଜିଭିକେ ଗ୍ରୁପ୍ ଓ ଡାଲମିୟାଁକୁ ଦେଇଥିଲା। ଏହା ସହିତ ଗୌତମ ଆଦାନୀ ଓ ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ ମଧ୍ୟ ରାହୁଲ କୁହନ୍ତୁ ବୋଲି କହିଥିଲେ। 

ସୂଚନାଯୋଗ୍ୟ, ଆମେରିକାର ଶର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ଦେଇଥିବା ରିପୋର୍ଟରେ ଶିଳ୍ପପତି ଗୌତମ ଆଦାନୀ ଓ ତାଙ୍କ କମ୍ପାନୀ ଷ୍ଟକରେ ଧୋକାଦାରୀ କରି ମୂଲ୍ୟ ଅଧିକ ଦେଖାଇଥିବା, ଟିକସରେ ହେରଫେର କରିଥିବା ଓ ମିଛ ତଥ୍ୟ ଦେଇ ଋଣ କରିଥିବା ଭଳି ତଥ୍ୟ ଦେଇଛି। ଜାନୁଆରୀ ୨୪ରେ ପ୍ରଥମେ ଏହି ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରଠାରୁ ଆଦାନୀ ଗ୍ରୁପ୍‌ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି।

Bjp Congress Narendra Modi Gautam Adani Rahul Gandhi Hindenburg