ରାଜନାଥ ଓ ରାହୁଲ
ଦେଶର ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମଏମ ନରଭାଣେଙ୍କ ଉନ୍ମୋଚିତ ହୋଇ ନଥିବା ବହିକୁ ନେଇ ବିବାଦ ଦେଖାଦେଇଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ହାତରେ ବହି ସମ୍ପର୍କରେ ପ୍ରକାଶିତ ଗୋଟିଏ ସ୍ତମ୍ଭକୁ ନେଇ ସଂସଦରେ ଭାଷଣ ଦେଇଛନ୍ତି। ଜେନେରାଲ ନରଭାଣେ ୨୦୨୦ରେ ଭାରତ-ଚାଇନା ଲଦାଖ(Ladakh) ବିବାଦକୁ ନେଇ ନିଜ ବହି ଲେଖିଛନ୍ତି। ଏହା ଏଯାଏ ଉନ୍ମୋଚନ ହୋଇ ନାହିଁ।
ଜେନେରାଲ ନରଭାଣେ ୨୦୨୦ରେ ଭାରତ-ଚାଇନା ଲଦାଖ ବିବାଦକୁ ନେଇ ନିଜ ବହି ଲେଖିଛନ୍ତି। ଏହା ଏଯାଏ ଉନ୍ମୋଚନ ହୋଇ ନାହିଁ। ରାହୁଲ ଗାନ୍ଧି ଏ ସମ୍ପର୍କରେ କହିବାକୁ ଚେଷ୍ଟା କରିଥିଲେ ହେଁ ଏହାକୁ ବିଜେପି ନେତାମାନେ ସହଜରେ ଗ୍ରହଣ କରି ନାହାନ୍ତି।
ରାହୁଲ ଗାନ୍ଧି ବହିରେ ଥିବା କିଛି ବିଷୟବସ୍ତୁ ସମ୍ପର୍କରେ କହିବା ଆରମ୍ଭ କରିବା କ୍ଷଣୀ ଏହାକୁ ତୁରନ୍ତ ବିରୋଧ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଉନ୍ମୋଚନ ହୋଇ ନଥିବା ବହିରେ ଥିବା ବିଷୟବସ୍ତକୁ ଗୃହରେ ଉପସ୍ଥାପନ କରିବା ବେଆଇନ ବୋଲି ସେ କହିଛନ୍ତି।
୨୦୨୦ ମେ’ ୫ରେ ପୂର୍ବ ଲଦାଖ ସୀମାରେ ହିଂସାତ୍ମକ ଲଢ଼େଇ ଦେଖିବାକୁ ମିଳିଥିଲା। ପାଙ୍ଗୋଙ୍ଗ ହ୍ରଦ ନିକଟରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିଲା ଭୟଙ୍କର ମାରପିଟ। ପୂର୍ବତନ ସ୍ଥଳ ସେନା ମୁଖ୍ୟ ଜେନେରାଲ ନରଭାଣେ ନିଜର ପବ୍ଲିଶ ହୋଇ ନଥିବା ଫୋର ଷ୍ଟାର ଅଫ ଡେଷ୍ଟିନୀରେ ଉକ୍ତ ବିବାଦ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏବେ ଏହା ଉପରେ ସ୍ତମ୍ଭ ଗୋଟିଏ ପରିଚିତ ମ୍ୟାଗାଜିନରେ ପ୍ରକାଶିତ ହୋଇଛି।
ଆଜି ଲୋକସଭାକୁ ରାହୁଲ ଗାନ୍ଧି ଉକ୍ତ ମ୍ୟାଗାଜିନର ପ୍ରିଣ୍ଟଆଉଟ ଧରି ଆସିଥିଲେ। ସେ ବାରମ୍ବାର ବହି ଉପରେ ଆଲୋଚନା କରିବା ସପକ୍ଷରେ ମତ ରଖିଥିଲେ। ହେଲେ ତାଙ୍କୁ କେବଳ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୁହନ୍ତି, ବରଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କରିଣ ରିଜିଜୁ ପ୍ରମୁଖ ବିରୋଧ କରିଥିଲେ।
ରାଜନାଥ ସିଂହ କହିଛନ୍ତି, “ବିରୋଧୀ ଦଳ ନେତା ଯେଉଁ ବହିର କଥାକୁ ଏଠାରେ ଉପସ୍ଥାପନ କରୁଛନ୍ତି, ତା’କୁ ଗୃହ ଆଗରେ ରଖନ୍ତୁ ବୋଲି ମୁଁ ଚାହୁଁଛି। ଯେଉଁ ବହି କଥା ସେ କହୁଛନ୍ତି ବାସ୍ତବରେ ତାହା ଏଯାଏ ଉନ୍ମୋଚନ ହୋଇନାହିଁ।”
ଏତିକି ବେଳେ ରାହୁଲ ଗାନ୍ଧିଙ୍କ ସମର୍ଥନରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ବାହାରିଥିଲେ। ସେ କହିଥିଲେ ଯେ “ଚାଇନା ସହ ଜଡ଼ିତ ପ୍ରସଙ୍ଗ ବେଶ ସମ୍ବେଦନଶୀଳ। ଲୋକସଭାର ବିରୋଧୀ ଦଳ ନେତାଙ୍କୁ କହିବାକୁ ଅନୁମତି ଦିଆଯାଉ।”
ରାହୁଲ ଗାନ୍ଧି ବାରମ୍ବାର ଚାଇନିଜ ଟ୍ୟାଙ୍କ ଶବ୍ଦର ପ୍ରୟୋଗ କରିବା କ୍ଷଣି ଗୃହରେ ତାଙ୍କୁ ବିଜେପି ନେତାମାନେ ଆଗକୁ କିଛି କହିବାକୁ ଦେଇ ନଥିଲେ। ଅମିତ ଶାହ କହିଛନ୍ତି, “ଯେତେବେଳେ ଗୋଟିଏ ବହି ପବ୍ଲିଶ ହୋଇନାହିଁ, ସେ(ରାହୁଲ ଗାନ୍ଧି) କେମିତି ଏହାର ଉଦାହରଣ ଦେବେ?” ଏହାକୁ ବାଚସ୍ପତି ଓମ ବିର୍ଲା ମଧ୍ୟ ସମର୍ଥନ କରି ରାହୁଲ ଗାନ୍ଧିଙ୍କୁ କହିବାକୁ ଅନୁମତି ଦେଇ ନଥିଲେ।
ସଂସଦୀୟ ବ୍ୟାପାର ମନ୍ତ୍ରୀ କରିଣ ରିଜିଜୁ କହିଛନ୍ତି, “ଲୋକସଭାରେ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ପାଳନ କରୁ ନଥିବା ଜଣେ ସଦସ୍ୟଙ୍କ ସହ କ’ଣ କରାଯିବ, ତା’ ଉପରେ ମଧ୍ୟ ଆଲୋଚନା କରିବା ଦରକାର।”
ବହି ସମ୍ପର୍କିତ କଥାକୁ ବିଜେପି ନେତା ଓ ମନ୍ତ୍ରୀମାନେ ଜୋରଦାର ବିରୋଧ କରିବାରୁ ରାହୁଲ ଗାନ୍ଧି ପ୍ରଶ୍ନ କରିଥିଲେ ଯେ “ବହିରେ ଏମିତି କ’ଣ ସବୁ ରହିଛି ଯେ ଯାହାକୁ ସେମାନେ ଏତେ ଡରୁଛନ୍ତି? ଯଦି ସେମାନେ ଭୟଭୀତ ନୁହନ୍ତି, ତା’ହେଲେ ମୋତେ ଏହାକୁ ପଢ଼ିବାକୁ ନିଶ୍ଚିତ ଅନୁମତି ମିଳିଥାଆନ୍ତା।”
ରାହୁଲ ଗାନ୍ଧି ଦାବି କରିଛନ୍ତି ଯେ ସେ ଯେଉଁ ସ୍ତମ୍ଭ ଓ ବହି କଥା କହୁଛନ୍ତି, ସେଥିରେ ୧୦୦% ସତ୍ୟତା ରହିଛି। ବାସ୍ତବରେ ରାହୁଲ ଗାନ୍ଧି ଏହି ପ୍ରସଙ୍ଗରେ କହିବାକୁ ଚାହୁଁ ନଥିଲେ। କିନ୍ତୁ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ଗୃହରେ କଂଗ୍ରେସର ଦେଶଭକ୍ତି ଉପରେ ପ୍ରଶ୍ନ ଉଠାଇବାରୁ ରାହୁଲ ଏହାକୁ ଉଠାଇଥିବା କହିଛନ୍ତି।
ଏହାକୁ ନେଇ ଗୃହ କାର୍ଯ୍ୟ ପ୍ରାୟ ୪୫ ମିନିଟ ବାଧାପ୍ରାପ୍ତ ହୋଇଥିଲା। ହଟଗୋଳ ଓ ନାରାବାଜୀ ଯୋଗୁ ଗୃହ ମୁଲତବୀ ହେବାରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ସିଂହ ବାଚସ୍ପତି ଓମ ବିର୍ଲାଙ୍କ ସହ ବୈଠକ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/02/rahul-gandhi-2026-02-02-16-10-24.jpg)