Advertisment

ସସ୍‌ପେନ୍ସ ଉପରୁ ହଟିଲା ପରଦା; ରାୟବରେଲୀରୁ ଲଢ଼ିବେ ରାହୁଲ

ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ କଂଗ୍ରେସ ଆମେଥି ଓ ରାୟବରେଲୀ ପାଇଁ ଘୋଷଣା କରିଛି ପ୍ରାର୍ଥୀଙ୍କ ନାଁ। ଏଥର ଉତ୍ତର ପ୍ରଦେଶ ରାୟବରେଲୀରୁ ଲଢ଼ିବେ ରାହୁଲ ଗାନ୍ଧି ।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ସବୁ ସସ୍‌ପେନ୍ସ ଉପରୁ ହଟିଲା ପରଦା। ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ କଂଗ୍ରେସ ଆମେଠି ଓ ରାୟବରେଲୀ ପାଇଁ ଘୋଷଣା କରିଛି ପ୍ରାର୍ଥୀଙ୍କ ନାଁ। ଏଥର ଉତ୍ତର ପ୍ରଦେଶ ରାୟବରେଲୀରୁ ଲଢ଼ିବେ ରାହୁଲ ଗାନ୍ଧି ।

Advertisment

AICC ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଏଥିସହ ଆଜି ହିଁ ରାହୁଲ ଗାନ୍ଧି ନିଜ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି। ଏହାବାଦ ଆମେଥିରୁ କିଶୋରୀଲାଲ ଶର୍ମାଙ୍କୁ ମଇଦାନକୁ ଓହ୍ଲାଇଛି କଂଗ୍ରେସ।

ରାୟବରେଲୀ ଆସନରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏଥିରେ ପୂର୍ଣ୍ଣଛେଦ ପଡ଼ିଛି। ଏଥର ବି ପ୍ରିୟଙ୍କା ସିଧାସଳଖ ମଇଦାନକୁ ନ ଓହ୍ଲାଇ ପ୍ରଚାରରେ ନିୟୋଜିତ ରହିବେ ବୋଲି ସ୍ପଷ୍ଟ ହୋଇଛି।

Advertisment

ଉଭୟ ରାୟବରେଲୀ ଓ ଆମେଠି ପାଇଁ ପୂର୍ବରୁ କଂଗ୍ରେସ ତାଲିକାରେ ରାହୁଲ ଗାନ୍ଧି ଓ କିଶୋରି ଲାଲ ଶର୍ମାଙ୍କ ନାମ ନ ଥିଲା। ମାତ୍ର ନାମାଙ୍କନ ଦାଖଲର ଠିକ୍‌ ପୂର୍ବରୁ କଂଗ୍ରେସ ନିଜ କାର୍ଡ ଖେଳିଛି। ପୂର୍ବରୁ ଆମେଠିରୁ ନିର୍ବାଚନ ଲଢ଼ୁଥିବା ରାହୁଲ ଗାନ୍ଧିଙ୍କ ସିଟ୍‌ ଏଥର ଦଳ ବଦଳାଇ ଦେଇଛି।

୨୦୦୪ରୁ ୨୦୧୯ ଯାଏ ରାହୁଲ ଗାନ୍ଧି ଆମେଠି ଆସନରୁ ଜିତି ଆସୁଥିଲେ। ୨୦୧୪ରେ ତାଙ୍କର ଲଢ଼େଇ ପ୍ରଥମଥର ପାଇଁ ବିଜେପିର ସ୍ମୃତି ଇରାନୀଙ୍କ ସହ ହୋଇଥିଲା। କିନ୍ତୁ ରାହୁଲ ବାଜି ମାରି ନେଇଥିଲେ।

୨୦୧୯ରେ ସ୍ମୃତି ଇରାନୀ ବେଶ ଚମତ୍କାର ଢଙ୍ଗରେ ରାହୁଲ ଗାନ୍ଧିଙ୍କୁ ହରାଇ ଦେଇଥିଲେ। ୨୦୧୯ରେ ରାହୁଲ ଆମେଠି ସହ କେରଳର ୱାୟନାଡରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ। ଆମେଠିରୁ ହାରିଥିଲେ ମଧ୍ୟ ୱାୟନାଡରୁ ଜିତି ସେ ଲୋକସଭାକୁ ଯାଇଥିଲେ।

ଏଥର ବି ବିଜେପି ସ୍ମୃତି ଇରାନୀଙ୍କୁ ଆମେଥିରୁ ନିଜ ପ୍ରାର୍ଥୀ ଭାବେ ମଇଦାନରେ ଛିଡ଼ା କରାଇଛି। ଅପରପକ୍ଷେ ରାୟବରେଲିରେ ବିଜେପି ଦିନେଶ ପ୍ରତାପ ସିଂଙ୍କୁ ଟିକେଟ ଦେଇଛି। ୨୦୧୯ ମସିହା ନିର୍ବାଚନରେ ରାୟବରେଲିରୁ କଂଗ୍ରେସ ନେତା ସୋନିଆ ଗାନ୍ଧି ଜିତିଥିଲେ। ଏଥିର ଏହି ଆସନରୁ ତାଙ୍କ ପୁଅ ରାହୁଲ ଗାନ୍ଧି ଛିଡ଼ା ହେଉଛନ୍ତି।

ଏଥର ଆମେଠିରେ କଂଗ୍ରେସ ପ୍ରଥମ ଥର ପାଇଁ କିଶୋରି ଲାଲ ଶର୍ମାଙ୍କୁ ଛିଡ଼ା କରାଇଛି। କିଶୋରୀ ଲାଲ ସୋନିଆ ଗାନ୍ଧିଙ୍କ ଖାସ୍‌ ଅନୁଗତ । ସେ ରାୟବରେଲିରେ ସୋନିଆ ଗାନ୍ଧିଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ଆମେଠି ଓ ରାୟବରେଲି ସବୁବେଳେ ଗାନ୍ଧି ପରିବାର ନିକଟରେ ରହି ଆସୁଥିବା ବେଳେ ଏଥର କିନ୍ତୁ କଂଗ୍ରେସ ଏହି ଆସନରୁ ଜଣେ ଅଣ ଗାନ୍ଧି ପରିବାର ସଦସ୍ୟଙ୍କୁ ଛିଡ଼ା କରାଇଛି।

ଏଥର ମଧ୍ୟ ରାହୁଲ ଗାନ୍ଧି ୱାୟନାଡରୁ ପ୍ରାର୍ଥୀ ହୋଇଛନ୍ତି। ସେଠାରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟିଂ ହୋଇଥିଲା। ଏବେ ସେ ରାୟବରେଲୀରେ ବି ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି।

ଆମେଠି ଓ ରାଏବରେଲୀରେ ଆସନ୍ତା ୨୦ ତାରିଖରେ ଭୋଟିଂ ହେବ। ଦେଶର ୫ମ ପର୍ଯ୍ୟାୟ ଭୋଟିଂରେ ଲୋକମାନେ ଏଠାରେ ମତାଧିକାର ସାବ୍ୟସ୍ତ କରିବେ।

Congress Rahul Gandhi Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe