/odisha-reporter/media/media_files/2026/02/03/pm-modi-2026-02-03-16-14-31.jpg)
ରାହୁଲ ଓ ମୋଦି (ଫାଇଲ ଫଟୋ)
ଭାରତ-ଆମେରିକା ବାଣିଜ୍ୟ ଡିଲକୁ ନେଇ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳର ନେତା ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ବୁଝାମଣା କରି ସାରିଛନ୍ତି ଓ ଦେଶକୁ ବିକ୍ରି ସାରିଛନ୍ତି ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ରାହୁଲ। ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ରାଏଲ ଗସ୍ତକୁ ନେଇ ଏପଷ୍ଟିନ ଫାଇଲ୍ସରେ କରାଯାଇଥିବା ଦାବି କଥା ମଧ୍ୟ ରାହୁଲ ଗାନ୍ଧି ଉଠାଇଛନ୍ତି।
ରାହୁଲ ଗାନ୍ଧି ସୋମବାର ଭଳି ମଙ୍ଗଳବାର ଲୋକସଭା ଭିତରେ ଚାଇନା ଓ ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମଏମ ନରଭାଣେଙ୍କ ଅପ୍ରକାଶିତ ବହି କଥା ଉଠାଇଥିଲେ। ଏହାକୁ ନେଇ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଗୃହ ମୁଲତବୀ ପରେ ସାଂସଦରୁ ବାହାରିଥିବା ରାହୁଲ ଗାନ୍ଧି ଆମେରିକା ବାଣିଜ୍ୟ ଡିଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି।
ରାହୁଲ ଗାନ୍ଧି କହିଛନ୍ତି, “ମୋଦିଜୀ ଭୟଭୀତ ହୋଇପଡ଼ିଛନ୍ତି। ଯେଉଁ ବାଣିଜ୍ୟ ଡିଲ(ଭାରତ-ଆମେରିକା) କିଛି ମାସ ହେଲା ପଡ଼ି ରହିଥିଲା, ଗତକାଲି ରାତିରେ ନରେନ୍ଦ୍ର ମୋଦି ସେଥିରେ ଦସ୍ତଖତ କରିଛନ୍ତି। ତାଙ୍କ ଉପରେ ଅତ୍ୟନ୍ତ ଚାପ ରହିଛି। ନରେନ୍ଦ୍ର ମୋଦିଙ୍କ ଛବି ଖରାପ ହୋଇପାରେ।”
ଲୋକସଭା ଭିତରେ କହିବାକୁ ସୁଯୋଗ ମିଳୁ ନଥିବାରୁ ରାହୁଲ ଗାନ୍ଧି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଭାଷଣ ଉପରେ ଗୃହର ଅଧ୍ୟକ୍ଷ ରୋକ ଲଗାଇବାରୁ ଭୟଙ୍କର ବିବାଦ ଦେଖାଯାଇଛି। ଭାରତ(India)-ଚାଇନା ସମ୍ପର୍କକୁ ନେଇ ପୂର୍ବରୁ ଦିଆଯାଇଥିବା ରୁଲିଂ ଓ ନିୟମର ଉଲ୍ଲଙ୍ଘନକୁ ଦ୍ୱାହି ଦେଇ ରାହୁଲ ଗାନ୍ଧିଙ୍କ ଭାଷଣକୁ ଆଜି ଆଗକୁ ବଢ଼ିବାକୁ ଦେଇ ନାହାନ୍ତି ଗୃହର ଅଧ୍ୟକ୍ଷ।
ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧି କହିଛନ୍ତି, “ପ୍ରମୁଖ କଥା ହେଲା ଆମ ପ୍ରଧାନମନ୍ତ୍ରୀ ବୁଝାମଣା କରି ସାରିଛନ୍ତି। ଲୋକଙ୍କୁ ଏ ସମ୍ପର୍କରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ପ୍ରଥମଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ବିରୋଧୀ ଦଳର ନେତାଙ୍କୁ କହିବାକୁ ସୁଯୋଗ ମିଳିନି। ନରେନ୍ଦ୍ର ମୋଦିଜୀ ଆପଣମାନଙ୍କ କଠିନ ପରିଶ୍ରମକୁ ଏହି ବାଣିଜ୍ୟ ଡିଲ ଦ୍ୱାରା ବିକ୍ରି କରି ଦେଇଛନ୍ତି। କାରଣ ସେ ବୁଝାମଣା କରିଛନ୍ତି। ସେ ଦେଶକୁ ବିକ୍ରି କରି ଦେଇଛନ୍ତି।”
ରାହୁଲ ଗାନ୍ଧି ଆଜି ଆମେରିକାର ଦିବଗଂତ ଯୌନ ଅପରାଧୀ ଏପଷ୍ଟିନ ସହ ଜଡ଼ିତ ଫାଇଲ୍ସ କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ଆମେରିକା ନ୍ୟାୟ ବିଭାଗ ଜାରି କରିଥିବା ଏପଷ୍ଟିନ ଫାଇଲ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି। ତେବେ ଭାରତ ସରକାର ଏଥିରେ ସତ୍ୟତା ନଥିବା କହି ସାରିଛନ୍ତି। ତଥାପି ରାହୁଲ ଗାନ୍ଧି ଆଜି ଏହି ପ୍ରସଙ୍ଗ ଉଠାଇଛନ୍ତି।
ସେ କହିଛନ୍ତି, “ନରେନ୍ଦ୍ର ମୋଦିଜୀ ଭୟଭୀତ। କାରଣ ଯେଉଁମାନେ ତାଙ୍କ ଛବି ସୃଷ୍ଟି କରିଥିଲେ ଏବେ ସେମାନେ ଏହାକୁ ମଳିନ କରିବାରେ ଲାଗିଛନ୍ତି। ଆମେରିକାରେ ଗୌତମ ଆଦାନୀଜୀଙ୍କ ନାଁରେ ମାମଲା ରହିଛି। ବାସ୍ତବରେ ଏହା ମୋଦିଜୀଙ୍କ ନାଁରେ ଥିବା ମାମଲା।
ଏପଷ୍ଟିନ ଫାଇଲ୍ସରେ ଆହୁରି ଅନେକ ବିଷୟବସ୍ତୁ ରହିଛି, ଯାହାକୁ ଆମେରିକା(US) ଏଯାଏ ରିଲିଜ କରିନାହିଁ। ଏପଷ୍ଟିନ ଫାଇଲ୍ସକୁ ନେଇ ମଧ୍ୟ ଚାପ ରହିଛି। ବର୍ତ୍ତମାନ ଦୁଇଟି ପ୍ରେସର ପଏଣ୍ଟ ରହିଛି। ଦେଶ ଏହାକୁ ବୁଝିବା ଦରକାର।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
