/odisha-reporter/media/media_files/2026/02/01/railway-2026-02-01-18-41-42.jpg)
ରେଳ ବଜେଟ
୨୦୨୬-୨୭ ଆର୍ଥିକ ବର୍ଷର ବଜେଟ(Budget)ରେ ଭାରତୀୟ ରେଳବାଇକୁ ମିଳିଛି ରେକର୍ଡ ପରିମାଣର ଅନୁଦାନ। କେନ୍ଦ୍ର ସରକାର ରେଳ ବିଭାଗକୁ ଦେଇଛନ୍ତି ୨.୭୮ ଲକ୍ଷ କୋଟି ଟଙ୍କା। ପୂର୍ବରୁ କୌଣସି ବଜେଟରେ ରେଳ ବିଭାଗକୁ ଏତେ ପରିମାଣର ଅନୁଦାନ ମିଳି ନଥିଲା।
ରେଳ ଭିତ୍ତିଭୂମିକୁ ସୁଦୃଢ଼ କରି ଅର୍ଥନୀତିକ କାର୍ଯ୍ୟକଳାପକୁ ବୃଦ୍ଧି କରିବା, ଲଜିଷ୍ଟିକ କ୍ଷମତାକୁ ବୃଦ୍ଧି କରିବା ଓ ନିଯୁକ୍ତି ସୁଯୋଗକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏତେ ପରିମାଣର ବ୍ୟୟବରାଦ କରିଛନ୍ତି।
ପୂର୍ବ ଆର୍ଥିକ ବର୍ଷରେ ଭାରତୀୟ ରେଳ ବିଭାଗକୁ ମୋଟ ୨.୫୫ ଲକ୍ଷ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା। ଏହା ମଧ୍ୟରେ ପୁଞ୍ଜିଗତ ବ୍ୟୟର ପରିମାଣର ୨.୫୨ ଲକ୍ଷ କୋଟି ଥିଲା। ୨୦୨୭ ଆର୍ଥିକ ବର୍ଷ ପାଇଁ ପୁଞ୍ଜିଗତ ଖର୍ଚ୍ଚକୁ ୨.୭୮ ଲକ୍ଷ କୋଟି କରାଯାଇଛି। ସେହିପରି ମୋଟ ଉପରେ ରେଳବାଇ ଭିତ୍ତିଭୂମି ପାଇଁ ୨.୯୨ ଲକ୍ଷ କୋଟିର ବ୍ୟବସ୍ଥା ହୋଇଛି।
ରେଳ ବିଭାଗକୁ ଅନୁଦାନ ମିଳିବା ପରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ “ଚେନ୍ନାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ମିଳିତ ଭାବେ ଗୋଟିଏ ହାଇସ୍ପିଡ ଟ୍ରାଙ୍ଗେଲ କିମ୍ବା ଦକ୍ଷିଣ ହାଇସ୍ପିଡ ଡାଇମଣ୍ଡରେ ପରିଣତ ହେବେ। ଏହା ସମସ୍ତ ୫ ଦକ୍ଷିଣ ଭାରତୀୟ ରାଜ୍ୟ- କର୍ଣ୍ଣାଟକା, ତେଲଙ୍ଗାନା, ଆନ୍ଧ୍ର, ତାମିଲନାଡୁ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ମେରୁଦଣ୍ଡ ଭାବେ ଉଭା ହେବ।
ଚେନ୍ନାଇ-ବେଙ୍ଗାଲୁରୁ ଯାତ୍ରା ସମୟ କେବଳ ୧ ଘଣ୍ଟା ୧୩ ମିନିଟକୁ ଖସି ଆସିବ। ବେଙ୍ଗାଲୁରୁରୁ ହାଇଦ୍ରାବାଦର ଯାତ୍ରା ସମୟ ୨ ଘଣ୍ଟା ଓ ଚେନ୍ନାଇ-ହାଇଦ୍ରାବାଦ ମଧ୍ୟରେ ଯିବା ଆସିବା କରିବାକୁ ୨ ଘଣ୍ଟା ୫୫ ମିନିଟ ସମୟ ଲାଗିବ।
ଚେନ୍ନାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ହେଉଛନ୍ତି ପ୍ରମୁଖ ଅର୍ଥନୀତିକ କେନ୍ଦ୍ର। ଏଗୁଡ଼ିକ ବଡ଼ ସହର ଓ ଆଇଟି ଟେକ୍ନୋଲୋଜିର ହବ। ହାଇସ୍ପିଡ ଡାଇମଣ୍ଡ ଦ୍ୱାରା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଅଭିବୃଦ୍ଧି ହେବ। ଏହା ଦେଶ ତଥା ସେଠାରେ ରହୁଥିବା ଲୋକଙ୍କୁ ଫାଦା ଦେବ।”
ଶ୍ରୀ ବୈଷ୍ଣବଙ୍କ କହିବା କଥା ଯେ ମୋଟ ବଜେଟରୁ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ରେଳବାଇ ସୁରକ୍ଷାକୁ ନିଶ୍ଚିତ କରିବାକୁ ଖର୍ଚ୍ଚ ହେବ। ସେ କହିଛନ୍ତି, “ଦୁର୍ଘଟଣା ସଂଖ୍ୟା ୯୫% ହ୍ରାସ ପାଇଛି। ଏବେ ରକ୍ଷାଣବେକ୍ଷଣ ଉପରେ ଅଧିକ ଫୋକସ କରାଯାଉଛି। ଟ୍ରାକର ରକ୍ଷାଣବେକ୍ଷଣ, ଲୋକ ମେଣ୍ଟେନାନ୍ସ, ୱାଗନ, କୋଚ ମେଣ୍ଟେନାନ୍ସ, କବଚ କାମକୁ ତ୍ୱରାନ୍ୱିତ କରିବା, ସିସିଟିଭି ଲଗାଇବା, ଓଭରହେଡ ଇଲେକ୍ଟ୍ରିକାଲ ବ୍ୟବସ୍ଥାକୁ ଅପଗ୍ରେଡ କରିବା ଓ ନୂଆ ଷ୍ଟେସନ ପାଇଁ ବଜେଟ ଖର୍ଚ୍ଚ କରାଯିବ।”
କେନ୍ଦ୍ର ସରକାର ୭ଟି ହାଇସ୍ପିଡ ରେଳ କରିଡର ତିଆରି କରିବେ। ମୁମ୍ବାଇ-ପୁଣେ, ପୁଣେ-ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁରୁ, ହାଇଦ୍ରାବାଦ-ଚେନ୍ନାଇ, ଚେନ୍ନାଇ-ବେଙ୍ଗାଲୁରୁ, ଦିଲ୍ଲୀ-ବାରାଣସୀ ଓ ବାରାଣସି-ସିଲିଗୁଡ଼ି ଭଳି ୭ଟି ହାଇସ୍ପିଡ ରେଳ କରିଡର ତିଆରି କରାଯିବ ବୋଲି ଘୋଷଣା କରିଛନ୍ତି। ଏଥିପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
