Advertisment

ଦୁର୍ଗା ପୂଜା ପୂର୍ବରୁ ବୁଡ଼ିଲା କୋଲକାତା: ବିଦ୍ୟୁତ ଆଘାତରେ ଚାଲିଗଲା ୭ ଜୀବନ

ଲଗାଣ ବର୍ଷା ବେଳେ ବିଦ୍ୟୁତ ଆଘାତରେ ୭ ଜଣଙ୍କ ଜୀବନ ଯିବା ସାଧାରଣ ଲୋକଙ୍କୁ ଆତଙ୍କିତ କରିଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୭ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

author-image
Hemant Lenka
Rain

ଲଗାଣ ବର୍ଷାରେ କୋଲକାତା ବେହାଲ

ଅବିଶ୍ରାନ୍ତ ବର୍ଷାରେ ବେହାଲ କୋଲକାତା। ରାସ୍ତାଘାଟ ବୁଡ଼ି ଯାଇଥିବା ବେଳେ ରେଳ ଧାରଣାରେ ସୁଅ କାଟୁଛି ବର୍ଷା ପାଣି। ସହରର ଅଧିକାଂଶ ସ୍ଥାନରେ ବର୍ଷା ପାଣି ଜମି ରହିଥିବାରୁ ଟ୍ରାଫିକ ସମସ୍ୟା ସାଂଘାତିକ ସ୍ଥିତି ସୃଷ୍ଟି କରିଛି।

Advertisment

ଲଗାଣ ବର୍ଷା ବେଳେ ବିଦ୍ୟୁତ ଆଘାତରେ ୭ ଜଣଙ୍କ ଜୀବନ ଯିବା ସାଧାରଣ ଲୋକଙ୍କୁ ଆତଙ୍କିତ କରିଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୭ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ମାର୍କେଟ ଅଞ୍ଚଳରେ କେବଳ ବିଦ୍ୟୁତ ଆଘାତ ଯୋଗୁ ୫ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। 

ସୋମବାର ରାତିରେ ବର୍ଷା ହୋଇଥିବା ବେଳେ ମଙ୍ଗଳବାର ପୂରା କୋଲକାତାରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଛି। ଆଉ ଦିନ କେଇଟା ପରେ ଦୁର୍ଗା ପୂଜା। କୋଲକାତା ସହର ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଲଗାଣ ବର୍ଷା ସବୁ ଯୋଜନାରେ ପାଣି ପକାଇ ଦେଇଛି।  

Advertisment

ସୋମବାର ୩ ଘଣ୍ଟାରେ ସହରରେ ୧୮୫ ମିମି ବର୍ଷା ରେକର୍ଡ ହୋଇଛି। ଚଳିତ ବର୍ଷରେ ଏହା ସର୍ବାଧିକ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ମୋଟ ଉପରେ ଦେଖିବାକୁ ଗଲେ ଗତ ୨୪ ଘଣ୍ଟାରେ ଅଲୀପୋରରେ ସର୍ବାଧିକ ୨୪୭.୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଅନ୍ୟ ସ୍ଥାନଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି।

ଏଥିଯୋଗୁ ରାସ୍ତା ଠାରୁ ଆରମ୍ଭ କରି ଘର ଦ୍ୱାରା ଓ ମାର୍କେଟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଅବିଶ୍ରାନ୍ତ ବର୍ଷା ରେଳ ଓ ମେଟ୍ରୋ ସେବାରେ ମଧ୍ୟ ବାଧା ଉପୁଜାଇଛି। ଏଥିଯୋଗୁ ଏକାଧିକ ଦୂରଗାମୀ ଟ୍ରେନର ସମୟରେ ପରବର୍ତ୍ତନ କରାଯାଇଛି। 

ଶାହିଦ ଖୁଦିରାମ ଓ ମୈଦାନ ମଧ୍ୟରେ ଚଳାଚଳ କରୁଥିବା ମେଟ୍ରୋ ଟ୍ରେନ ସେବାକୁ ବାତିଲ କରାଯାଇଛି। ମହାନାୟକ ଉତ୍ତମ କୁମାର ଓ ରବୀନ୍ଦ୍ର ସରୋବର ଷ୍ଟେସନ ମଧ୍ୟରେ ଥିବେ ରେଳ ଟ୍ରାକରେ ପାଣି ଜମି ରହିବାରୁ ସୁରକ୍ଷା ଦୃଷ୍ଟିରୁ ମେଟ୍ରୋ ସେବାକୁ ବାତିଲ କରାଯାଇଛି। ମେଟ୍ରୋ କର୍ମଚାରୀମାନେ ରେଳ ଧାରଣାରୁ ପାଣି କାଢ଼ିବା କାମରେ ଲାଗି ପଡ଼ିଛନ୍ତି।

କୋଲାକାତା-ଅମୃତସର ଏକ୍ସପ୍ରେସ, କୋଲକାତା-ଜମ୍ମୁ ତାୱି ଏକ୍ସପ୍ରେସ ଓ କୋଲକାତା ବାଲୁରଘାଟ ଏକ୍ସପ୍ରେସର ସମୟକୁ ପରିବର୍ତ୍ତନ କରାଯାଇଛି। ଟ୍ରାକରେ ପାଣି ଜମି ରହିଥିବାରୁ ଏକାଧିକ ଲୋକାଲ ଟ୍ରେନକୁ ବାତିଲ କରାଯାଇଥିବା ଜଣାପଡ଼ିଛି।

ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ନିଜ ନିଜର ଯାତ୍ରୀଙ୍କୁ ଏୟାରପୋର୍ଟରେ ପହଞ୍ଚିବା ପାଇଁ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। କିଛି ରାସ୍ତାରେ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଆଉ କିଛି ମାର୍ଗରେ ପ୍ରବଳ ଭିଡ଼ ପରିଲ୍ଲଖିତ ହୋଇଛି।

ବର୍ଷାକୁ ଦୃଷ୍ଟିରେ ରଖି କ୍ୟାଲକାଟା ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ବର୍ଷା ଯୋଗୁ କୋଲକାତାରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ୨୫ ତାରିଖ ଯାଏ ଛୁଟି ଘୋଷଣା କରାଯାଇଛି। 

Heavy Rain Rain Kolkata Kolkata Airport