/odisha-reporter/media/post_attachments/uploadimage/library/16_9/16_9_0/Rain_1756801215.jpg)
Rain
ଲଗାଣ ବର୍ଷା ଯୋଗୁ ଅଧା ଭାରତ ବିଶେଷ କରି ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ରାସ୍ତାଘାଟ ବୁଡ଼ି ଯାଇଥିବା ବେଳେ ବନ୍ୟା ଜଳ ଜନବସତିରେ ପ୍ରବେଶ କରୁଛି। ଘରଦ୍ୱାରା ଭାସି ଯାଉଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ବିତ୍ପାତ୍ତ ଅନେକ ଜୀବନ ମଧ୍ୟ ନେଲାଣି। ଜମ୍ମୁ-କଶ୍ମୀର ଠାରୁ ଆରମ୍ଭ କରି ଉତ୍ତରାଖଣ୍ଡ ଓ ଦିଲ୍ଲୀରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି।
ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଅବିଶ୍ରାନ୍ତ ବନ୍ୟା ସ୍ଥିତି ସୃଷ୍ଟି କରିଛି। ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ସାଙ୍ଗକୁ ଅଚାନକ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ପଞ୍ଜାବ ମଧ୍ୟ ବର୍ଷାର ପ୍ରକୋପରୁ ବର୍ତ୍ତି ନାହିଁ। ଲଗାଣ ବର୍ଷା ପରେ ଦେଖାଯାଇଥିବା ପ୍ରଳୟଙ୍କରୀ ବନ୍ୟା ରାଜ୍ୟରେ ୨୯ ଜଣଙ୍କ ଜୀବନ ନେଇଥିବା ବେଳେ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି।
ଦେଶର ରାଜଧାନୀ ଓ ଉପକଣ୍ଠ ଏନସିଆରରେ ଲଗାଣ ବର୍ଷା ଯୋଗୁ ବନ୍ୟା ଜଳ ଲୋକଙ୍କ ଘରେ ପଶିବା ଆରମ୍ଭ କରିଛି। ନିକଟସ୍ଥ ବ୍ୟାରେଜଗୁଡ଼ିକରୁ ବନ୍ୟା ଜଳ ଛଡ଼ା ଯାଉଥିବାରୁ ସ୍ଥିତି ଆଗକୁ ଆହରି ଭୟଙ୍କର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏପରି ଆଶଙ୍କା ଭିତରେ ଆଗାମୀ ୭ ଦିନ ଯାଏ ବର୍ଷାରୁ ନିସ୍ତାର ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ କହିବା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।
ଉତ୍ତର ଭାରତର ବର୍ଷା ବିତ୍ପାତ୍ତ
୧- ଜମ୍ମୁ-କଶ୍ମୀର, ଗୁରୁଗ୍ରାମ, ଉତ୍ତର ପ୍ରଦେଶ ଓ ଚଣ୍ଡିଗଡ଼ ଭଳି ସ୍ଥାନରେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଗୁରୁଗ୍ରାମରେ ସୋମବାର ୨୦ କିମି ଯାଏ ଟ୍ରାଫିକ ଜାମ ଦେଖିବାକୁ ମିଳିଥିଲା। ପ୍ରବଳ ବର୍ଷା ଯୋଗୁ ଏପରି ସ୍ଥିତ ସୃଷ୍ଟି ହେବାରୁ ଘରୋଇ ଓ କର୍ପୋରେଟ ଅଫିସଗୁଡ଼ିକ ନିଜର କର୍ମଚାରୀଙ୍କୁ ଘରୁ କାମ କରିବାକୁ କହିଛନ୍ତି। ଦିଲ୍ଲୀ-ଏନସିଆର ଓ ଜମ୍ମୁ-କଶ୍ମୀର ଏବଂ ଉତ୍ତରାଖଣ୍ଡର ବିଭିନ୍ନ ଜାତୀୟ ରାଜପଥ ବର୍ଷା ପାଣିରେ ବୁଡ଼ି ଯାଇଛି। କିଛି ସ୍ଥାନରେ ଭୂସ୍ଖଳନ ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
୨- ପଞ୍ଜାବରେ ଲଗାଣ ବର୍ଷା ଯୋଗୁ ୧୦ରୁ ଅଧିକ ଜିଲ୍ଲାରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ବନ୍ୟା ସ୍ଥିତିରେ ଏଯାଏ କୌଣସି ସୁଧାର ଆସିନି। ଅଗଷ୍ଟ ମାସରେ ପଞ୍ଜାବ ରେକର୍ଡ ୨୫୩.୭ ମିମି ବର୍ଷାର ସାମ୍ନା କରିଛି। ଏହା ସ୍ୱାଭାବିକ ବର୍ଷା ଠାରୁ ୭୪% ଅଧିକ ଓ ୨୫ ବର୍ଷ ମଧ୍ୟରେ ସର୍ବାଧିକ। ଆଗାମୀ ଦିନରେ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ଥିବା ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ ସମସ୍ତଙ୍କୁ ସତର୍କ କରାଇଛନ୍ତି।
୩- ପ୍ରବଳ ବର୍ଷା, ଅଚାନକ ବନ୍ୟା ଓ ଭୂସ୍ଖଳନ ଯୋଗୁ ଜମ୍ମୁ-କଶ୍ମୀରରେ ୫୦ ଜଣଙ୍କ ଜୀବନ ଗଲାଣି। କ୍ରମାଗତ ୮ମ ଦିନ ପାଇଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟାତ ବନ୍ଦ ରହିଛି। ସୋମବାର ଅବିଶ୍ରାନ୍ତ ବର୍ଷା ଯୋଗୁ ରଜୌରୀ ଓ ସାମ୍ବା ଜିଲ୍ଲାରେ ଭୂସ୍ଖଳନ ହୋଇଛି। ଏଥିଯୋଗୁ ୧୯ଟି ପରିବାରକୁ ପ୍ରଶାସନ ସୁରକ୍ଷିତ ସ୍ଥାନରକୁ ସ୍ଥାନାନ୍ତର କରିଛି। ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଡୋଡାରେ ୫୦୦ଟି ଘର ମାଟିରେ ମିଶି ଯାଇଛି।
୪- ବାଦଲ ଫଟା ବର୍ଷା ଯୋଗୁ ବେହାଲ ହୋଇଥିବା ଉତ୍ତରାଖଣ୍ଡରେ ଅତିକମରେ ୧୦ ଜଣ ପ୍ରାଣ ହରାଇଛନ୍ତି। ଅଚାନକ ବନ୍ୟା ଯୋଗୁ ୬୯ ଜଣ ଏଯାଏ ନିଖୋଜ ରହିଛନ୍ତି। ବାଦଲ ଫଟା ବର୍ଷା ଯୋଗୁ ଭୂସ୍ଖଳନ ଓ ଅଚାନକ ବନ୍ୟା ସ୍ଥିତିକୁ ଆହୁରି ଭୟଙ୍କର କରିଛି। ସାଧାରଣ ଲୋକଙ୍କ ଠାରୁ ଶତାଧିକ ଗୃହପାଳିତ ପଶୁ ମାଟି ତଳେ ଚାପି ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଥିବା ବେଳେ ପ୍ରତିକୂଳ ପାଗ ଏଥିରେ ବାଧକ ସାଜିଛି। ଆଜି ମଧ୍ୟ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି।
୫- ଦିଲ୍ଲୀ, ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର ଓ ହରିୟାଣା ଭଳି ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ସେପ୍ଟେମ୍ବର ୭ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଜି ଦିଲ୍ଲୀ, ଜମ୍ମ-କଶ୍ମୀର, ଲଦାଖ, ହିମାଚଳ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ରାଜସ୍ଥାନ, ଉତ୍ତରାଖଣ୍ଡ ଓ ପଶ୍ଚିମ ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଆଶଙ୍କା କରିଛି ବିଭାଗ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
