Advertisment

ହିନ୍ଦୁ ବାହାଘରରେ କାଳ ସାଜିଲା ବର୍ଷା, ୱାଲିମା ଭେନ୍ୟୁ ଦେଇଦେଲେ ମୁସଲିମ ପରିବାର

ଗୋଟିଏ ହିନ୍ଦୁ ବାହାଘରରେ ଅବିଶ୍ରାନ୍ତ ବର୍ଷା କାଳ ସାଜିଥିଲା। ବର୍ଷା ଯୋଗୁ ହିନ୍ଦୁ ପରିବାର ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସ୍ଥାନଟି କ୍ଷତିଗ୍ରସ୍ତ ହୋଇଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Walima

Walima

ସମାଜର କିଛି ଲୋକ ଭାରତୀୟଙ୍କୁ ସେମାନଙ୍କ ଧର୍ମ ଆଧାରରେ ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି ସତ। ହେଲେ ଭାରତ ମହାନ। ଭାରତରେ ଏବେ ବି ରହିଛି ଭାଇଚାରା। ଭାରତରେ ଧାର୍ମିକ ସଦଭାବନାକୁ କେହି ବି କେବେ ହେଲେ ଭାଙ୍ଗି ପାରିବେ ନାହିଁ। ଭାରତ ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠାରେ ହିନ୍ଦୁ, ମୁସଲିମ, ଶିଖ ଓ ସାଇ ସମସ୍ତେ ମିଳିତ ଭାବେ ରୁହନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ପୁଣେରୁ ଆସିଛି।

Advertisment

ଅଳଙ୍କରଣ ଲନ୍ସ ଚାଲିଥିବା ଗୋଟିଏ ହିନ୍ଦୁ ବାହାଘରରେ ଅବିଶ୍ରାନ୍ତ ବର୍ଷା କାଳ ସାଜିଥିଲା। ବର୍ଷା ଯୋଗୁ ହିନ୍ଦୁ ପରିବାର ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସ୍ଥାନଟି କ୍ଷତିଗ୍ରସ୍ତ ହୋଇଥିଲା। ଏତିକି ବେଳେ ଗୋଟିଏ ମୁସଲିମ ପରିବାର ସେମାନଙ୍କୁ ସହଯୋଗ କରିଛନ୍ତି। ମୁସଲିମ ପରିବାର ପକ୍ଷରୁ ନିଜର ପିଲାଙ୍କ ବାହାଘର ରିସେପସନ ବା ୱାଲିମା ପାଇଁ ଆୟୋଜିତ ଷ୍ଟେଜରେ ହିନ୍ଦୁ ପରିବାର ବାହାଘରର ସମସ୍ତ ପରମ୍ପରା ଶେଷ କରିଛନ୍ତି।

ସଂସ୍କୃତି କାୱାଡେ ଓ ନରେନ୍ଦ୍ର ଗାଲାଣ୍ଡେ ମଙ୍ଗଳବାର ସନ୍ଧ୍ୟା ୬.୫୬ରେ ବିବାହ ବନ୍ଧନରେ ବାନ୍ଧିବା ହେବାକୁ ଯାଉଥିଲେ। ବାହାଘର ମଣ୍ଡପରେ ଏଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଥିଲା। ହିନ୍ଦୁ ରୀତିନୀତିରେ ବାହାଘର ହେବାର ଥିଲା। କିନ୍ତୁ ହଠାତ୍‌ ମାଡ଼ି ଆସିଥିଲା କଳାହାଣ୍ଡିଆ ମେଘ। ପ୍ରବଳରୁ ଅତି ପ୍ରବଳ ବର୍ଷା ଢାଳିବା ଆରମ୍ଭ ହୋଇଥିଲା। ମଣ୍ଡପର ଗୋଟିଏ ଖୋଲା ସ୍ଥାନରେ ବେଦୀ ହୋଇଥିବାରୁ ଲଗାଣ ବର୍ଷା ସବୁ କିଛିକୁ ବରବାଦ କରି ଦେଇଥିଲା।

Advertisment

ବାହାଘରର ଅତିଥିମାନେ ବର୍ଷାରୁ ବର୍ତ୍ତିବା ପାଇଁ ଛାତ ତଳେ ଆଶ୍ରୟ ନେଇ ଯାଇଥିଲେ। କିନ୍ତୁ ଖୋଲା ସ୍ଥାନରେ ବାହାଘର ପାଇଁ ହୋଇଥିବା ବ୍ୟବସ୍ଥାକୁ ବର୍ଷା ପୂରା ନଷ୍ଟ କରି ଦେଇଥିଲା। ଉକ୍ତ ସ୍ଥାନ ଆଉ ବ୍ୟବହାର ଯୋଗ୍ୟ ନଥିଲା। ଏପରି ସ୍ଥିତିରେ ବାହାଘର କେଉଁଠି ହେବ, ସେକଥା ଭାବି ପରିବାର ଲୋକଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା।

ବାସ୍‌ ଏତିକି ବେଳେ ଲନ୍ସ ନିକଟରେ ଚାଲିଥିବା ଗୋଟିଏ ମୁସଲିମ ପରିବାରର ବାହାଘର ରିସେପସନ ବା ୱାଲିମା ଉପରେ ସମସ୍ତଙ୍କ ନଜର ପଡ଼ିଥିଲା। ଏହା ଗୋଟିଏ ହଲ ମଧ୍ୟରେ ଚାଲିଥିବାରୁ ବର୍ଷାର ପ୍ରଭାବ ସେଠାରେ ପଡ଼ି ନଥିଲା। ହଲ ଭିତରେ ଅବସର ପ୍ରାପ୍ତ ପୁଲିସ୍‌ ଅଫିସର ଫାରୁକ କାଜିଙ୍କ ପୁଅ ମୋହଶିନ ଓ ତାଙ୍କ କନ୍ୟା ମହୀନଙ୍କ ବିବାହ ଭୋଜିକୁ ଅତିଥିମାନେ ଉପଭୋଗ କରୁଥିଲେ।

ହିନ୍ଦୁ ବାହାଘର ମଣ୍ଡପ ବର୍ଷାରେ ନଷ୍ଟ ହୋଇ ଯାଇଥିବାରୁ ସଂସ୍କୃତିଙ୍କ ପରିବାର ଲୋକ ବିକଳ୍ପ ବ୍ୟବସ୍ଥା କରିବାକୁ ଲାଗି ପଡ଼ିଥିଲେ। ଏତିକି ବେଳେ ହଲ ଭିତରେ କାଜି ପରିବାର ପକ୍ଷରୁ ଚାଲିଥିବା ୱାଲିମା ଉପରେ ସେମାନଙ୍କ ନଜର ପଡ଼ିଥିଲା। ସଂସ୍କୃତିଙ୍କ ପରିବାର ଲୋକ ହଲରେ ପହଞ୍ଚି କାଜି ପରିବାରକୁ ହିନ୍ଦୁ ରୀତିନୀତିରେ ବାହାଘର ପାଇଁ ସାମାନ୍ୟ ଜାଗା ଦେବାକୁ ଅନୁରୋଧ କରିଥିଲେ। ଏକଥା ଶୁଣିବା ପରେ କାଜି ପରିବାର ଆଦୌ ପଛ ଘୁଞ୍ଚା ଦେଇ ନଥିଲେ। ସେମାନେ ତୁରନ୍ତ ମୋହଶିନ ଓ ମହୀନଙ୍କ ୱାଲିମା ପାଇଁ ହୋଇଥିବା ଷ୍ଟେଜରେ ସଂସ୍କୃତି ଓ ନରେନ୍ଦ୍ରଙ୍କ ବାହାଘର ରୀତିନୀତି କରିବାକୁ ଅନୁମତି ଦେଇଥିଲେ।

କାୱାଡେ ପରିବାରର ଘନିଷ୍ଠ ବନ୍ଧୁ ନିଲେଶ ସିନ୍ଦେ କହିଛନ୍ତି ଯେ କାଜି ପରିବାର କାଳ ବିଳମ୍ବ ନ କରି ତୁରନ୍ତ ବାହାଘର ପାଇଁ ଅନୁମତି ଦେଇଥିଲେ। ସେମାନଙ୍କ ବନ୍ଧୁ ଓ ସମ୍ପର୍କୀୟମାନେ ମିଳିତ ଭାବେ ହିନ୍ଦୁ ବିବାହ ପାଇଁ ସ୍ଥାନ ବାହାର କରିଥିଲେ। ଏପରି କି କାଜି ପରିବାରର ଲୋକମାନେ ବାହାଘର ପାଇଁ ଆୟୋଜିତ ବ୍ୟବସ୍ଥାରେ ସହଯୋଗ ମଧ୍ୟ କରିଥିଲେ।

ଗୋଟିଏ ହଲରେ ଦୁଇଟି ଭିନ୍ନ ଧର୍ମର ବାହାଘର କାର୍ଯ୍ୟକ୍ରମ ସମାନ ସମୟରେ ଶେଷ ହୋଇଛି। ପ୍ରଥମେ ହିନ୍ଦୁ ରୀତିନୀତି ହୋଇଥିଲା। ଏହାପରେ ମୁସଲିମ ପରିବାର ୱାଲିମା କାର୍ଯ୍ୟକ୍ରମ କରିଥିଲେ। ବିବାହ ଉତ୍ସବ ଦୁଇଟି ଭିନ୍ନ ପରମ୍ପରାରେ ହୋଇଥିଲେ ହେଁ ହଲ ଭିତରେ ସମସ୍ତେ ଖୁସି, ସମ୍ମାନ ଓ ଭଲ ପାଇବାର ସହ ଏହାକୁ ଉପଭୋଗ କରିଥିଲେ। ଦୁଇ ପରିବାର ଲୋକ କହିଛନ୍ତି ଯେ ଏପରି ଘଟଣା କେବଳ ଭାରତରେ ହିଁ ଘଟିଥାଏ। ବାହାଘର ପରେ ଉଭୟ ସଂପ୍ରଦାୟର ଲୋକ ଭୋଜି ଉପଭୋଗ କରିଥିଲେ। ମହୀନ ଓ ମୋହଶିନ ଏବଂ ନରେନ୍ଦ୍ର ଓ ସଂସ୍କୃତି ଏକାଠି ଷ୍ଟେଜ ଉପରେ ଛିଡ଼ା ହୋଇ ଫଟୋ ମଧ୍ୟ ଉଠାଇଛନ୍ତି।

ହିନ୍ଦୁ କନ୍ୟାଙ୍କ ମାମୁ ସଞ୍ଜୟ କାୱାଡେ ଦେଇଥିବା ତଥ୍ୟ ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ୱାନାୱାଡି ସ୍ଥିତ ରାଜ୍ୟ ରିଜର୍ଭ ପୁଲିସ୍‌ ଫୋର୍ସ(ଏସଆରଏଫ) ଗ୍ରାଉଣ୍ଡ୍ସ ନିକଟ ଅଳଙ୍କରଣ ଲନ୍ସର ସମାନ ଛାତ ତଳେ ବାହାଘର ଶେଷ ହୋଇଛି। ସେ କହିଛନ୍ତି, “ବର୍ଷା ବିତ୍ପାତ୍ତ ଗୋଟିଏ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା। ଏକତା ଓ ଧାର୍ମିକ ସଦଭାବନାର ଅନନ୍ୟ ମୁହୂର୍ତ୍ତ ପୁଣେରେ ଦେଖାଯାଇଛି।

ଅଳଙ୍କରଣ ଲନ୍ସରେ ପ୍ରବଳ ବର୍ଷା ଯୋଗୁ ହିନ୍ଦୁ ବାହାଘରରେ ବିଭ୍ରାଟ ସୃଷ୍ଟି ହୋଇଥିଲା। ଅପ୍ରତ୍ୟାଶିତ ବର୍ଷା ଓ ଜଳବନ୍ଦୀ ସ୍ଥିତି ଦୁଇଟି ଭିନ୍ନ ଧର୍ମର ପରିବାର ମଧ୍ୟରେ ଅଭୂତପୂର୍ବ ଯୁଗଳବନ୍ଦୀର ପରିଚୟ ସୃଷ୍ଟି କରିଥିଲା। ଧର୍ମ ନାଁରେ ସମାଜକୁ ବାଣ୍ଟିବାକୁ ଚେଷ୍ଟା କରୁଥିବା ଲୋକଙ୍କ ଉପରେ ଏହା ଏକ ଶକ୍ତ ଚାପୁଡ଼ା।”

Heavy Rain Marriage Pune