Advertisment

ରାଗିଗଲେ ଗେହଲଟ, ଫିଙ୍ଗିଦେଲେ ମାଇକ

ମୁଖ୍ୟମନ୍ତ୍ରୀ ତାଙ୍କ ବାମ ପାର୍ଶ୍ୱକୁ ମାଇକ୍ରୋଫୋନଟିକୁ ଫୋପାଡ଼ି ଦେଇଥିଲେ, ଯାହା ତଳେ ପଡ଼ିଥିଲା।

author-image
Jitendra Garnayak
Rajasthan CM

Rajasthan CM

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ରାତିରେ ବାରମର ସର୍କିଟ ହାଉସରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କେବଳ ମହିଳାମାନଙ୍କୁ ଡକାଯାଇଥିଲା। ରାଜ୍ୟରେ ମହିଳାମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ ଯୋଜନାରୁ ସେମାନେ କିପରି ଲାଭବାନ ହେଉଛନ୍ତି ଓ ଏଥିରେ କି ଅସୁବିଧା ରହିଛି, ସେ ନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କ ମତ ଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ହଠାତ୍ ରାଗି ଯାଇଥିଲେ ଓ ମାଇକ୍ରୋଫୋନଟିକୁ ଫୋପାଡ଼ି ଦେଇଥିଲେ। ମାଇକ୍ରୋଫୋନଟି କାମ ନ କରିବାରୁ ମୁଖ୍ୟମନ୍ତ୍ରୀ ରାଗି ଯାଇଥିଲେ ଓ ଏହାକୁ ଫିଙ୍ଗି ଦେଇଥିଲେ। ଏହାର ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ମୁଖ୍ୟମନ୍ତ୍ରୀ ତାଙ୍କ ବାମ ପାର୍ଶ୍ୱକୁ ମାଇକ୍ରୋଫୋନଟିକୁ ଫୋପାଡ଼ି ଦେଇଥିଲେ, ଯାହା ତଳେ ପଡ଼ିଥିଲା। ତେବେ ଯେଉଁଠି ମାଇକ୍ରୋଫୋନଟି ପଡ଼ିଥିଲା, ସେଠାରେ ବାରମର ଜିଲ୍ଲାପାଳ ଛିଡ଼ା ହୋଇଥିଲେ। ଏଣୁ ଭିଡିଓଟି ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ଲକ୍ଷ୍ୟ କରି ମାଇକ୍ରୋଫୋନଟିକୁ ଫୋପାଡ଼ିଥିବା ଆଲୋଚନା ଜୋର ଧରିଥିଲେ। ତେବେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ ଖଣ୍ଡନ କରାଯାଇଥିଲା। ଜିଲ୍ଲାପାଳଙ୍କୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ମାଇକ୍ରୋଫୋନଟିକୁ ଫୋପାଡ଼ି ନଥିଲେ ବୋଲି ତାଙ୍କ ଅଫିସ ତରଫରୁ ସଫେଇ ଦିଆଯାଇଥିଲା।

ମାଇକ୍ରୋଫୋନଟି ତଳେ ପଡ଼ିବା ପରେ ଜିଲ୍ଲାପାଳ ସେଇଟିକୁ ଉଠାଇ ଜଣେ ଅଧିକାରୀଙ୍କୁ ଦେଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଏକ ମାଇକ୍ରୋଫୋନ ଦିଆଯାଇଥିଲା।

Advertisment

ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମ ବେଳେ ମୁଖ୍ୟମନ୍ତ୍ରୀ ଆଉ ଥରେ ମଧ୍ୟ ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇଥିଲେ। ସେ ମହିଳାମାନଙ୍କ ସହିତ ଆଲୋଚନା କରୁଥିବା ବେଳେ କିଛି ଲୋକ ସେମାନଙ୍କ ପଛରେ ଛିଡ଼ା ହୋଇ ବିଶୃଙ୍ଖଳା କରୁଥିଲେ। ଏହା ଦେଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏସ୍‌ପି କୁଆଡ଼େ ଗଲେ? ଉଭୟ ଜିଲ୍ଲାପାଳ ଓ ଏସ୍‌ପି ସମାନ।

Ashok Gehlot Rajasthan