Advertisment

ପୁଲିସ୍‌ କେସ୍‌ ପରେ ମୁଖ୍ୟମନ୍ତ୍ରୀଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କଲେ ମନ୍ତ୍ରୀ

କ୍ଷମତାସୀନ କଂଗ୍ରେସ ସରକାରରେ ଥିବା ଜଣେ ମନ୍ତ୍ରୀଙ୍କ ନାଁରେ ରୁଜୁ ହୋଇଛି ମାମଲା। ଏହାକୁ ନେଇ ମନ୍ତ୍ରୀ ଜଣଙ୍କ ସିଧାସଳଖ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Minister

minister

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ରାଜସ୍ଥାନ ସରକାରରେ କମ୍ପନ ଦେଖିବାକୁ ମିଳିଛି। କ୍ଷମତାସୀନ କଂଗ୍ରେସ ସରକାରରେ ଥିବା ଜଣେ ମନ୍ତ୍ରୀଙ୍କ ନାଁରେ ରୁଜୁ ହୋଇଛି ମାମଲା। ଏହାକୁ ନେଇ ମନ୍ତ୍ରୀ ଜଣଙ୍କ ସିଧାସଳଖ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏଥିସହ ତାଙ୍କୁ ମିଥ୍ୟା କେସ୍‌ରେ ଫସା ଯାଉଥିବା କହିଛନ୍ତି।

Advertisment

ରାଜସ୍ଥାନରେ ସୈନିକ କଲ୍ୟାଣ ଓ ପଞ୍ଚାୟତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ରାଜେନ୍ଦ୍ର ସିଂହ ଗୁଢ଼ାଙ୍କ ନାଁରେ ଅପରାଧିକ ଉଦ୍ଦେଶ୍ୟ ଓ ଅପହରଣ ମାମଲା ରୁଜୁ କରାଯାଇଛି। ତାଙ୍କ ନିର୍ଦ୍ଦେଶରେ କିଛି ଲୋକ ସିକାର ଜିଲ୍ଲାର କାକ୍ରନାର ୱାର୍ଡ ପଞ୍ଚାୟତ ସଦସ୍ୟ ଦୁର୍ଗା ସିଂହଙ୍କୁ ଅପହରଣ କରିଥିଲେ। ଏହାପରେ ତାଙ୍କ ଠାରୁ ବ୍ଲାଙ୍କ ଚେକ୍‌ରେ ଦସ୍ତଖତ କରାଇଥିବା ଅଭିଯୋଗ ହୋଇଛି।

ଏହି ଅଭିଯୋଗ ଆଧାରରେ ପୁଲିସ୍‌ ତାଙ୍କ ନାଁରେ ଏଫଆଇଆର ରୁଜୁ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ କେବେ ହେଲେ ଏଫଆଇଆର ରୁଜୁ କରାଯାଇ ପାରିବ ନାହିଁ ବୋଲି ମନ୍ତ୍ରୀ ରାଜେନ୍ଦ୍ର କହିଛନ୍ତି।

Advertisment

ସେ ସାମ୍ବାଦିକଙ୍କୁ ନିଜ ମନରେ ଥିବା କ୍ଷୋଭ ଜଣାଇ କହିଛନ୍ତି ଯେ “ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି। ଜଣେ ମନ୍ତ୍ରୀଙ୍କ ନାଁରେ ମାମଲା ହେବ ଓ ଏକଥା ମୁଖ୍ୟମନ୍ତ୍ରୀ ଜାଣିପାରିବେ ନାହିଁ ବୋଲି କହିବା ଭୁଲ। ମିଥ୍ୟା ମାମଲା କେହି ରୁଜୁ କରନ୍ତୁ ନାହିଁ। ମୁଁ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି ଓ ସେ କ’ଣ ପ୍ରମାଣ କରିବାକୁ ଚାହୁଁଛନ୍ତି ବୋଲି ପଚାରିବି।”

ରାଜେନ୍ଦ୍ର ବିଏସପିରୁ ଆସି କଂଗ୍ରେସରେ ମିଶିଛନ୍ତି। ଏଥିସହ ତାଙ୍କୁ ମୁଖ୍ୟମନ୍ତ୍ରୀ ଗେହଲଟ ମନ୍ତ୍ରୀ ପଦ ମଧ୍ୟ ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜେନ୍ଦ୍ର ସିଧାସଳଖ ସଚିନ ପାଇଲଟଙ୍କ ସମର୍ଥନରେ ମତ ରଖିଥିଲେ। ପାଲଇଟ ଓ ଗେହଲଟଙ୍କ ମଧ୍ୟରେ ତିକ୍ତତା ଚାଲିଥିବା ବେଳେ ମନ୍ତ୍ରୀ ରାଜେନ୍ଦ୍ର ଏପରି ବୟାନ ଦେଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିବା କୁହାଯାଉଉଛି। ତେବେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରି ନାହିଁ।

ଅନ୍ୟପକ୍ଷରେ ମନ୍ତ୍ରୀ ରାଜେନ୍ଦ୍ରଙ୍କ ନାଁରେ ରୁଜୁ ହୋଇଥିବା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଟିମ କରିବ। ଅପହରଣ ପରେ ମୁକ୍ତ ହୋଇଥିବା ଦୁର୍ଗା ସିଂହ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ମନ୍ତ୍ରୀ ରାଜେନ୍ଦ୍ର ତାଙ୍କୁ ଜାନୁଆରୀ ମାସ ଶେଷ ସପ୍ତାହରେ ଫୋନ ଯୋଗେ ଗାଳିମନ୍ଦ କରିଥିଲେ। ଗୋଟିଏ ଜମିଜମା କେସ୍‌ରେ ଏପରି ଘଟିଥିଲା।

ମନ୍ତ୍ରୀ ତାଙ୍କୁ ଧମକ ଦେବା ସହ ଘରୁ ବଳପୂର୍ବକ ଉଠାଇ ନେଇଥିଲେ। ଏଥିସହ ଗୋଟିଏ ବ୍ଲାଙ୍କ ଚେକ୍‌ରେ ତାଙ୍କୁ ଦସ୍ତଖତ କରିବାକୁ ଚାପ ପକା ଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗରେ ସତ୍ୟତା ନଥିବା ମନ୍ତ୍ରୀ କହିବା ସହ ଦୁର୍ଗା ସିଂହ ତାଙ୍କ ନିର୍ବାଚନ ମଣ୍ଡଳୀର ଜଣେ ମହିଳାଙ୍କୁ ଠକି ଥିବା କହିଛନ୍ତି।

Rajstan Politics