Advertisment

ସରିଲା ରାଜୀବ କୁମାରଙ୍କ କାର୍ଯ୍ୟକାଳ, କିଏ ହେବେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର?

ପୂର୍ବରୁ କମିଟିରେ ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳର ନେତାଙ୍କ ବ୍ୟତୀତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହୁଥିଲେ। କିନ୍ତୁ କେନ୍ଦ୍ର ସରକାର ନୂଆ ଆଇନ ଆଣି ପ୍ରଧାନ ବିଚାରପତିଙ୍କୁ ହଟାଇ କମିଟିରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ଥାନ ଦେଇଛନ୍ତି।

author-image
Hemant Lenka
CEC

CEC

ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବ। ସେହିପରି ୨୦୨୬ରେ ବେଙ୍ଗଲ ଓ ତାମିଲନାଡୁ ସମେତ ଆସମ ଓ କେରଳରେ ମଧ୍ୟ ଭୋଟିଂ ହେବାର ଅଛି। ଏହି ସବୁ ନିର୍ବାଚନକୁ ପରିଚାଳନା କରିବେ ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର। କାରଣ ମୁଖ୍ୟ ନିର୍ବାଚନ କମିଶନର ଭାବେ ୨୦୨୨ରୁ କାର୍ଯ୍ୟ କରି ଆସୁଥିବା ରାଜୀବ କୁମାରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ତେଣୁ ସରକାର ନୂଆ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Advertisment

ଏହି କ୍ରମମରେ ନିଯୁକ୍ତି କମିଟିର ବୈଠକ ସୋମବାର ବସିବାକୁ ଯାଉଛି। କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ପରମ୍ପରା ଅନୁସାରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ରହିବେ। ପୂର୍ବରୁ କମିଟିରେ ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳର ନେତାଙ୍କ ବ୍ୟତୀତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହୁଥିଲେ। କିନ୍ତୁ କେନ୍ଦ୍ର ସରକାର ନୂଆ ଆଇନ ଆଣି ପ୍ରଧାନ ବିଚାରପତିଙ୍କୁ ହଟାଇ କମିଟିରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ଥାନ ଦେଇଛନ୍ତି।

ଏହାକୁ ବିରୋଧୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଏହାର ଶୁଣାଣି ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଥିବା ବେଳେ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ବୈଠକ ସୋମବାର ଆରମ୍ଭ ହେବ। ମଙ୍ଗଳବାର ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଥିବା ରାଜୀବ କୁମାର ଅବସର ନେବେ।

Advertisment

ସିଇସି ଭାବେ ରାଜୀବ କୁମାର

୨୦୨୨ ମେ’ ମାସରେ ରାଜୀବ କୁମାରଙ୍କୁ ଦେଶର ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଥିଲା। ସେବେଠାରୁ ସେ ଏକାଧିକ ହାଇପ୍ରୋଫାଇଲ ନିର୍ବାଚନ କରାଇଛନ୍ତି। ଏହା ମଧ୍ୟରେ ଗତବର୍ଷ ଏପ୍ରିଲ-ଜୁନରେ ହୋଇଥିବା ଲୋକସଭା ନିର୍ବାଚନ ଓ ଗୋଟିଏ ଦଶନ୍ଧି ପରେ ଜମ୍ମୁ-କଶ୍ମୀରରେ ହୋଇଥିବା ବିଧାନସଭା ନିର୍ବାଚନ ରହିଛି। ୨୦୨୨ ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ରାଜୀବ କୁମାର କରାଇଥିଲେ। ୨୦୨୩ରେ ରାଜୀବ କୁମାରଙ୍କ ତତ୍ତ୍ୱାବଧାନରେ ହୋଇଥିବା କର୍ଣ୍ଣାଟକା ଓ ତେଲଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିଥିଲା। ସେହିପରି ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହୋଇଥିଲା। ଗତ ସପ୍ତାହରେ ଶେଷ ହୋଇଥିବା ଦିଲ୍ଲୀ ବିଧାନଭା ନିର୍ବାଚନ ସହ ରାଜୀବ କୁମାରଙ୍କ କାର୍ଯ୍ୟକାଳରେ ବିରାମ ଲାଗିଛି।

ଅବସର ପରର ଯୋଜନା?

ଚଳିତ ବର୍ଷ ଜାନୁଆରୀ ମାସରେ ରାଜୀବ କୁମାର ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଥିଲେ। ଏହି ସମୟରେ ସେ ଅବସର ପରେ କ’ଣ କରିବେ, ତା’ର ସୂଚନା ଦେଇଥିଲେ। ଅବସର ପରେ ସେ ହିମାଳରେ ବେଶ କିଛି ମାସ ସମସ୍ତ ଠାରୁ ଦୂରରେ ରହି ବିତାଇବେ। ନିଜକୁ ଡିଟକ୍ସିଫାଏ କରିବାକୁ ସେ ହିମାଳୟ ଯିବେ।

ରାଜୀବ କୁମାର କହିଥିଲେ, “ମୁଁ ନିଜକୁ ଆସନ୍ତା ୪ରୁ ୫ ମାସ ଯାଏ ଡିଟକ୍ସିଫାଏ କରିବି। ହିମାଳୟ ଯିବି ଓ ଏହି ଭିଡ଼ ଭିତରୁ ନିଜକୁ ଦୂରରେ ରଖିବି। ମୁଁ କିଛି ମାସ ଏକା ରହିବାକୁ ଚାହେଁ।” ୧୯୮୪ ମସିହା ବିହାର/ଝାରଖଣ୍ଡ କ୍ୟାଡର ରାଜୀବ କୁମାର ଅବସର ପରେ ଅବହେଳିତ ତଥା ପଛୁଆ ବର୍ଗର ପିଲାମାନଙ୍କ ପାଇଁ କାମ କରିବେ ବୋଲି କହିଥିଲେ।

ଏକାଧିକ ଅଭିଯୋଗରେ ଛନ୍ଦି ହୋଇଥିଲେ ରାଜୀବ କୁମାର

ମୁଖ୍ୟ ନିର୍ବାଚନ କମିଶନର ଭାବେ ରାଜୀବ କୁମାରଙ୍କ କାର୍ଯ୍ୟକାଳ ବେଶ ବିବାଦରେ ରହିଥିଲା। ବିରୋଧୀଙ୍କ ଅଭିଯୋଗ ଜାଲରେ ସେ ଫସି ଥିଲେ। ବିଶେଷ କରି ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ଆପ୍‌ ସିଧାସଳଖ ରାଜୀବ କୁମାରଙ୍କୁ ଟାର୍ଗେଟ କରିଥିଲା। ବିରୋଧୀମାନେ ଦାବି କରି ଆସୁଛନ୍ତି ଯେ ନିର୍ବାଚନ କମିଶନ ଶାସକ ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରୁଛନ୍ତି। ଏଥିସହ ଇଭିଏମ ଉପରେ ମଧ୍ୟ ବାରମ୍ବାର ପ୍ରଶ୍ନ ଉଠି ଚାଲିଛି।

ଭୋଟିଂ ଡେରେ ତଥ୍ୟ ଜାରିକୁ ନେଇ ଇସି ବିବାଦ ଘେରକୁ ଆସିଥିଲେ। ଗତବର୍ଷ ହରିୟାଣା ବିଧାନସଭା ନିର୍ବାଚନ ବେଳେ ଏପରି ଅଭିଯୋଗ ଆସିଥିଲା। ସେହିପରି କାଉଣ୍ଟିଂ ଡେ’ରେ ଇସି ବିଳମ୍ବରେ ତଥ୍ୟ ଜାରି କରୁଥିବା ମଧ୍ୟ କଂଗ୍ରେସ ଅଭିଯୋଗ କରିଥିଲା।

ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ଆପ୍‌ ବସ୍‌ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ ନିର୍ବାଚନ କମିଶନ ବିଜେପି ନିକଟରେ ଆତ୍ମସମର୍ପଣ କରି ଦେଇଛନ୍ତି। ରାଜୀବ କୁମାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପ୍ରିୟାପ୍ରୀତି ତୋଷଣ ଚାଲିଥିବା ଅଭିଯୋଗ କରିଥିଲେ। ଖାଲି ସେତିକି ନୁହେଁ, କେଜ୍ରିୱାଲ ସିଧାସଳଖ ରାଜୀବ କୁମାରଙ୍କୁ ନିର୍ବାଚନ ଲଢ଼ିବାକୁ ଆହ୍ୱାନ ମଧ୍ୟ ଦେଇଥିଲେ।

Eci CEC CEC Rajeev Kumar