Advertisment

ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ସର୍ତ୍ତ: ମସୁଦ ଆଝାର ଓ ହାଫିଜ ସୟିଦକୁ ଫେରାଇଲେ ପାକିସ୍ତାନ ସହ ଆଲୋଚନା

ମସୁଦ ଓ ହାଫିଜ ଭାରତରେ ହୋଇଥିବା ଏକାଧିକ ଭୟଙ୍କର ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ଡ। ଉଭୟଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ। ଭାରତରେ ଏହି ଦୁଇ ମୋଷ୍ଟୱାଣ୍ଟେଡ ରହିଥିବା ବେଳେ ପାକିସ୍ତାନରେ ଏମାନଙ୍କୁ ସବୁ ପ୍ରକାରର ସୁବିଧା ମିଳୁଛି।

ଅଦ୍ୟତନ ହୋଇଛି
INS

INS

Advertisment

ଅପରେସନ ସିନ୍ଦୂରରେ ଘାଇଲ ପାକିସ୍ତାନ ଏବେ ଭାରତ ସହ ଶାନ୍ତି ଆଲୋଚନା ପାଇଁ ବାରମ୍ବାର ପ୍ରସ୍ତାବ ଦେଇ ଚାଲିଛି। ତେବେ ପାକିସ୍ତାନ ସହ ଆଲୋଚନା ପାଇଁ ଆଜି ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ଆଲୋଚନା ପାଇଁ ପାକିସ୍ତାନ ଆଗରେ ବଡ଼ ସର୍ତ୍ତ ରଖିଛନ୍ତି। କୁଖ୍ୟାତ ଆତଙ୍କବାଦୀ ମସୁଦ ଆଝାର ଓ ହାଫିଜ ସୟିଦକୁ ପାକିସ୍ତାନ ଫେରାଇବା ପରେ ହିଁ ଆଲୋଚନା ହେବ। ସେହିପରି ଆଲୋଚନା ଆତଙ୍କବାଦ ଓ ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ହେବ ବୋଲି ରାଜନାଥ କହିଛନ୍ତି।

Advertisment

ମସୁଦ ଓ ହାଫିଜ ଭାରତରେ ହୋଇଥିବା ଏକାଧିକ ଭୟଙ୍କର ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ଡ। ଉଭୟଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ। ଭାରତରେ ଏହି ଦୁଇ ମୋଷ୍ଟୱାଣ୍ଟେଡ ରହିଥିବା ବେଳେ ପାକିସ୍ତାନରେ ଏମାନଙ୍କୁ ସବୁ ପ୍ରକାରର ସୁବିଧା ମିଳୁଛି। ପାକିସ୍ତାନ ସେନାର ଛତ୍ରଛାୟା ତଳେ ରହି ଏହି ଦୁଇ କୁଖ୍ୟାତ ଆତଙ୍କବାଦୀ ଭାରତ ବିରୋଧରେ ବାରମ୍ବାର ଷଡ଼ଯନ୍ତ୍ର କରି ଚାଲିଛନ୍ତି।

ଏବେ ଭାରତ ସରକାର ପାକିସ୍ତାନ ଆଗରେ ଆଲୋଚନା ପାଇଁ ଏହି ଦୁଇ କୁଖ୍ୟାତ ଆତଙ୍କବାଦୀଙ୍କୁ ଫେରାଇବାର ସର୍ତ୍ତ ରଖିଛନ୍ତି। ସେହିପରି ଅପରେସନ ସିନ୍ଦୂର ଶେଷ ହୋଇନି। ଏହା କେବଳ ସ୍ଥଗିତ ରହିଛି। ପାକିସ୍ତାନ ଯଦି ଆଗକୁ କିଛି କରିବ, ତା’ହେଲେ ଏହାର ଜବାବ ପୂର୍ବାପେକ୍ଷା ଆହୁରି ଜୋରଦାର ଢଙ୍ଗରେ ଦିଆଯିବ ବୋଲି ଶ୍ରୀ ସିଂହ କହିଛନ୍ତି।

Advertisment

ପ୍ରତିରକ୍ଷା ମନ୍ତ୍ରୀ ଆଜି ନୌସୈନ୍ୟଙ୍କୁ ଭେଟି ଅପରେସନ ସିନ୍ଦୂରର ପ୍ରଶଂସା କରିଛନ୍ତି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ଯୁଦ୍ଧ ବିମାନ ପରିବହନକାରୀ ଜାହାଜ ଆଇଏନଏସ୍‌ ବିକ୍ରାନ୍ତରୁ ରାଜନାଥ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ଭାରତୀୟ ନୌସେନା ସଶକ୍ତ ହୋଇଥିବା ସେ କହିଛନ୍ତି। ପାକିସ୍ତାନକୁ ଚେତାବନୀ ଦେଇ ରାଜନାଥ କହିଛନ୍ତି ଯେ ଯଦି ନୌସେନା ଅପରେସନ ସିନ୍ଦୂରରେ ସ୍ଥଳ ସେନା ଓ ବାୟୁ ସେନା ସହ ସାମିଲ ହୋଇଥାଆନ୍ତା, ତା’ହେଲେ ପାକିସ୍ତାନ ୧୯୭୧ ତୁଳନାରେ ଆହୁରି ଭୟଙ୍କର ସ୍ଥିତିର ସମ୍ମୁଖୀନ ହୋଇଥାଆନ୍ତା। ଏପରି କି ପାକିସ୍ତାନ ସମ୍ଭବତଃ ୪ ଭାଗରେ ବିଭକ୍ତ ମଧ୍ୟ ହୋଇଯିବାର ସମ୍ଭାବନା ଥିଲା।

ସେ କହିଛନ୍ତି, “ଭାରତୀୟ ନୌସେନାର ପରାକ୍ରମର ସାକ୍ଷୀ ହେଉଛି ୧୯୭୧। ନୌସେନା ନିଜର ପରାକ୍ରମ ଦେଖାଇବାରୁ ପାକିସ୍ତାନ ଦୁଇ ଭାଗ ହୋଇଯାଇଥିଲା। ଯଦି ଅପରେସନ ସିନ୍ଦୂରରେ ନୌସେନା ସାମିଲ ହୋଇଥାଆନ୍ତା, ତା’ହେଲେ ପାକିସ୍ତାନ କେବଳ ୨ ଭାଗ ନୁହେଁ, ବରଂ ୪ ଭାଗ ହୋଇ ଯାଇଥାଆନ୍ତା।”

ଆରବ ସାଗରରେ ମୁତୟନ ହୋଇଥିବା ଆଇଏନଏସ୍‌ ବିକ୍ରାନ୍ତରେ ପହଞ୍ଚିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେଠାରେ ନୌସୈନ୍ୟକୁ ସମ୍ବୋଧନ କରିଛନ୍ତି। ସେଠାରେ ସେ ନୌସେନାର ଅପରେସନାଲ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଓ ଅପରେସନ ବେଳେ ନୌସେନା ବିପଦକୁ ଏଡ଼ାଇବାରେ ସକ୍ଷମ ହୋଇଥିବାରୁ ଏହାକୁ ଶ୍ରୀ ସିଂହ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, “ଅପରେସନ ସିନ୍ଦୂର ବେଳେ ନିଜର ନୀରବ ସେବା ଦ୍ୱାରା ନୌସେନା ପ୍ରତି ଭାରତୀୟଙ୍କୁ ପ୍ରଭାବିତ କରିପାରିଛି। ନୀରବ ରହିବା ସତ୍ତ୍ୱେ ଭାରତୀୟ ନୌସେନା ପାକିସ୍ତାନୀ ଆର୍ମିକୁ ସଫଳତାର ସହ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲା। ଏହି ଅପରେସନରେ ନୌସେନାର ଭୂମିକା ବେଶ ଗୌରବଶାଳୀ ରହିଥିଲା। ଅପରେସନ ସିନ୍ଦୂର ସମୟରେ ବାୟୁସେନା ଯେତେବେଳେ ପାକିସ୍ତାନ ମାଟିରେ ଥିବା ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରୁଥିଲା ସେତେବେଳେ ଆରବ ସାଗରରେ ନୌସେନାର ଆକ୍ରମଣାତ୍ମକ ଆଭିମୁଖ୍ୟ, ସମୁଦ୍ର ପଥରେ ସତର୍କତା ଓ ସମୃଦ୍ଧି ଯୋଗୁ ପାକିସ୍ତାନ ସେନା ଭୟରେ ସେମାନଙ୍କ କୂଳରେ ଏହି ସୀମିତ ରହିଥିଲେ। ସେମାନେ ସମୁଦ୍ର ପଥରେ ଆଗକୁ ଆସିବାକୁ ସାହସ ଜୁଟାଇ ପାରି ନଥିଲେ।”

ନିଜର ଭାଷଣରେ ରାଜନାଥ ସିଂହ ଆହୁରି କହିଛନ୍ତି ଯେ ପାକିସ୍ତାନର ଭାଗ୍ୟ ଭଲ ଯେ ଭାରତୀୟ ନୌସେନା ଅପରେସନ ସିନ୍ଦୂରରେ ସିଧାସଳଖ ସାମିଲ ହୋଇ ନଥିଲା। ସେହିପରି ସେ ନୌସେନାକୁ ଭବିଷ୍ୟତର ସମସ୍ତ ପ୍ରକାରର ଉତ୍ତେଜନାମୂଳକ ପରିସ୍ଥିତିର ମୁକାବିଲା ପାଇଁ ସବୁବେଳେ ପ୍ରସ୍ତୁତ ହୋଇ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ପାକିସ୍ତାନକୁ ଚେତାବନୀ ଦେଇ ରାଜନାଥ ସିଂହ କହିଛନ୍ତି ଯେ ଏବେ ଯଦି ପାକିସ୍ତାନ କୌଣସି ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପ ଭାରତ ବିରୋଧରେ କରିବ, ତା’ହେଲେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ତା’କୁ ପରାଜୟର ସାମ୍ନା କରିବାକୁ ହେବ। ଭାରତ ଜବାବ ଦେବାକୁ କେବେ ହେଲେ ପଛ ଘୁଞ୍ଚା ଦେବ ନାହିଁ। ଆତଙ୍କବାଦର ମୂଳପୋଛ କରିବାକୁ ଭାରତ ଯେକୌଣସି ସ୍ତରକୁ ଯାଇପାରେ।”

୨୬/୧୧ ମୁମ୍ବାଇ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦକୁ ହସ୍ତାନ୍ତର କରିବାକୁ ମଧ୍ୟ ରାଜନାଥ ପାକିସ୍ତାନକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “ହାଫିଜ ସୟିଦ ମୁମ୍ବାଇ ଆଟାକର ଦୋଷୀ। ତା’ ସଂଗଠନର ପକ୍ଷରୁ ସମୁଦ୍ର ପଥର ବ୍ୟବହାର କରି ମୁମ୍ବାଇରେ ଆତଙ୍କର ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା। ଏହାର ନ୍ୟାୟ ନିଶ୍ଚିତ ମିଳିବ। ନ୍ୟାୟ ପାକିସ୍ତାନରେ ମିଳି ପାରିବ ନାହିଁ।

ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟମାଇଣ୍ତ ତହବୁର ରାଣାକୁ ନିକଟରେ ଭାରତକୁ ଅଣାଯାଇଛି। ପାକିସ୍ତାନ ନିୟମିତ ଭାବେ ଆଲୋଚନାର ପ୍ରସ୍ତାବ ଦେଉଛି। ଗତକାଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଭାରତ ସ୍ପଷ୍ଟ କରି ସାରିଛି ଯେ ଆଲୋଚନା କେବଳ ଆତଙ୍କବାଦ ଓ ପିଓକେ ପ୍ରସଙ୍ଗରେ ହେବ।”

Rajnath Singh Indian Navy INS Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe