ନିର୍ବାଚନ ପୂର୍ବରୁ ପାରୋଲ ମାଗିଲେ ରାମ ରହିମ, EC କହିଲେ- କ'ଣ ଏମରଜେନ୍ସି?

ବର୍ତ୍ତମାନ ଡେରା ମୁଖ୍ୟ ହରିଆଣାର ରୋହତକର ସୁନାରିଆ ଜେଲରେ ରହିଛନ୍ତି। ସେ ସିରସା ଆଶ୍ରମରେ ତାଙ୍କର ଦୁଇଜଣ ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି।

ଗୁରମିତ ରାମ ରହିମ

  • Published: Sunday, 29 September 2024
  • , Updated: 29 September 2024, 01:12 PM IST

ପାଖେଇ ଆସିଲାଣି ହରିଆଣା ନର୍ବାଚନ। ତେବେ ନିର୍ବାଚନ ପୂର୍ବରୁ ପୁଣି ଥରେ ଜେଲ୍‌ରୁ ବାହାରକୁ ଆସିବାକୁ ଚାହୁଁଛନ୍ତି ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ। ସେ ପୁଣି ଥରେ ପାରୋଲ ଦାବି କରିଛନ୍ତି।

ଅକ୍ଟୋବର ୫ ତାରିଖରେ ହରିଆଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସିରସା ଡେରା ମୁଖ୍ୟ ରାମ ରହିମ ୨୦ ଦିନ ପାଇଁ ପାରୋଲ ମାଗିଛନ୍ତି। ହରିଆଣା ରାଜନୀତିର ବିଶେଷଜ୍ଞଙ୍କ କହିବାକୁ ଅନୁଯାୟୀ ରାମ ରହିମ ଦୀର୍ଘ ଦିନ ଧରି ଜେଲରେ ଥିଲେ ମଧ୍ୟ ୪ ଟି ଜିଲ୍ଲାର ୩୦ରୁ ଅଧିକ ସିଟ୍ ଉପରେ ତାଙ୍କର ପ୍ରଭାବ ରହିଛି। ଏଭଳି ପରିସ୍ଥିତିରେ କେଉଁ ଏମରଜେନ୍ସି ପାଇଁ ରାମ ରହିମଙ୍କୁ ୨୦ ଦିନର ପାରୋଲ ଆବଶ୍ୟକ ପଡୁଛି ବୋଲି ନିର୍ବାଚନ ଆୟୋଗ ହରିଆଣା ସରକାରଙ୍କୁ ପଚାରିଛନ୍ତି।

ସୂଚନାଯୋଗ୍ୟ, ଦୁଷ୍କର୍ମ ମାମଲାରେ ଦୋଷୀ ହୋଇ ଜେଲରେ ସଜା କାଟୁଥିବା ରାମ ରହିମଙ୍କୁ ଗତ ମାସରେ ୨୧ ଦିନ ପାଇଁ ପାରୋଲ ଦିଆଯାଇଥିଲା। ଏଥର ସେ ୨୦ଦିନ ପାରୋଲ ମାଗିଛନ୍ତି। ଆଚରଣ ବିଧି ଯୋଗୁଁ ରାଜ୍ୟ ସରକାର ରାମ ରହିମଙ୍କ ଅନୁରୋଧକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ କେଉଁ ପ୍ରକାର ଏମରଜେନ୍ସି ପାଇଁ ରାମ ରହିମ ପୁଣି ପାରୋଲ ମାଗିଛନ୍ତି ବୋଲି ପଚାରିଛନ୍ତି। ନିର୍ବାଚନ ସମୟରେ ଦୋଷୀଙ୍କୁ ପାରୋଲରେ ମୁକ୍ତ କରିବା କେତେ ଉପଯୁକ୍ତ ସେ ନେଇ ସରକାରଙ୍କୁ ସ୍ପଷ୍ଟିକରଣ ମାଗିଛନ୍ତି। ତେବେ ନିର୍ବାଚନ ଆୟୋଗଙ୍କ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ହରିଆଣା ସରକାର ଦେଇନାହାଁନ୍ତି।

ଜେଲ ବିଭାଗର ଅଧିକାରୀ କହିଛନ୍ତି ଯେ ସାଧାରଣ ପରିସ୍ଥିତିରେ ପାରୋଲ ମାଗିବାର କୌଣସି କାରଣ ଦର୍ଶାଇବାର ଆବଶ୍ୟକତା ନାହିଁ। କେବଳ ଜରୁରୀକାଳୀନ ପାରୋଲ ପାଇଁ କାରଣଗୁଡିକ ଦେବାକୁ ପଡିବ। ଅଧିକାରୀ କହିଛନ୍ତି ଯେ ପାରୋଲକୁ ସାଧାରଣତଃ ବିଭାଗୀୟ କମିଶନର ଅନୁମୋଦନ କରନ୍ତି। କିନ୍ତୁ ବର୍ତ୍ତମାନ ବିଧାନସଭା ନିର୍ବାଚନ ଅଛି ତେଣୁ ଜେଲ ବିଭାଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଏହି ମାମଲାକୁ ପଠାଇଛି।

ବର୍ତ୍ତମାନ ଡେରା ମୁଖ୍ୟ ହରିଆଣାର ରୋହତକର ସୁନାରିଆ ଜେଲରେ ରହିଛନ୍ତି। ସେ ସିରସା ଆଶ୍ରମରେ ତାଙ୍କର ଦୁଇଜଣ ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ଗତ ମାସରେ ଡେରା ମୁଖ୍ୟଙ୍କୁ ୨୧ ଦିନ ଧରି ପାରୋଲ ମିଳିଥିଲା। ସେ ୧୩ ଅଗଷ୍ଟରେ ଜେଲରୁ ବାହାରିଥିଲେ। ଡେରା ମୁଖ୍ୟ ଜେଲକୁ ଯିବାର ସାତ ବର୍ଷ ବିତିଗଲାଣି। ଗତ ସାତ ବର୍ଷ ମଧ୍ୟରେ ରାମ ରହିମ ଅନେକ ଥର ପାରୋଲରେ ଜେଲରୁ ବାହାରକୁ ଆସିଛନ୍ତି।

Related story