Advertisment

ଆକ୍ସନ ମୁଡରେ ଉତ୍ତରାଖଣ୍ଡ ସରକାର; ପତଞ୍ଜଳିର ୧୪ଟି ଉତ୍ପାଦ ବ୍ୟାନ୍‌

ପତଞ୍ଜଳିର ଦିବ୍ୟା ଫାର୍ମାସିର ୧୪ଟି ଉତ୍ପାଦକୁ ବ୍ୟାନ୍‌ କରିଛନ୍ତି ଉତ୍ତରାଖଣ୍ଡ ସରକାର । ବିଭ୍ରାନ୍ତିକର ତଥା ମିଥ୍ୟା ବିଜ୍ଞାପନ ମାମଲାରେ ଦିବ୍ୟା ଫାର୍ମାସିର ଏହି ଉତ୍ପାଦଗୁଡିକ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର।

author-image
Niharika Rout
ଅଦ୍ୟତନ ହୋଇଛି
Patanjali product

Patanjali product

ଯୋଗ ଗୁରୁ ବାବା ରାମଦେବଙ୍କ ଅଡୁଆ ଥମିବା ନାଁ ଧରୁନି। ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ବାବା ରାମଦେବଙ୍କୁ ଝଟକା ଦେଇଛନ୍ତି ଉତ୍ତରାଖଣ୍ଡ ସରକାର। ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନା ପରେ ଏବେ ଉତ୍ତରାଖଣ୍ଡ ସରକାର ମଧ୍ୟ ଆକ୍ସନ ମୁଡକୁ ଚାଲି ଆସିଛି। ପତଞ୍ଜଳିର ଦିବ୍ୟା ଫାର୍ମାସିର ୧୪ଟି ଉତ୍ପାଦକୁ ବ୍ୟାନ୍‌ କରିଛନ୍ତି ଉତ୍ତରାଖଣ୍ଡ ସରକାର । ବିଭ୍ରାନ୍ତିକର ତଥା ମିଥ୍ୟା ବିଜ୍ଞାପନ ମାମଲାରେ ଦିବ୍ୟା ଫାର୍ମାସିର ଏହି ଉତ୍ପାଦଗୁଡିକ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର।

Advertisment

ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ବ୍ୟାନ୍‌ ହୋଇଥିବା ପତଞ୍ଜଳିର ୧୪ ଉତ୍ପାଦ ମଧ୍ୟରେ ସ୍ୱାସାରି ଗୋଲ୍ଡ, ସ୍ୱାସାରି ବତି, ସ୍ୱାସାରି ପ୍ରବାହି, ବ୍ରୋକୋମ, ଅବଲେହ, ମୁକ୍ତି ବଟି ଏକ୍ସଟ୍ରା ପାୱାର, ପତଞ୍ଜଳି ଦୃଷ୍ଟି ଆଇ ଡ୍ରପ ଆଦି ସାମିଲ ଅଛି।

ଉତ୍ତରାଖଣ୍ଡ ଔଷଧ ନିୟନ୍ତ୍ରଣ ବିଭାଗ ତରଫରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଦିବ୍ୟା ଫାର୍ମାସି ବାରମ୍ବାର ନିଜ ଉତ୍ପାଦ ସମ୍ପର୍କରେ ଭ୍ରମ ସୃଷ୍ଟି କରୁଥିବା ବିଜ୍ଞାପନ ପ୍ରକାଶ କରୁଥିବାରୁ ଏହାର ୧୪ଟି ଉତ୍ପାଦକୁ ବ୍ୟାନ୍‌ କରି ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ଦେଇ ଚାଲିଥିବାରୁ ସର୍ବୋଚ୍ଚ ଅଦାଲତ କିଛି ଦିନ ତଳେ ବାବା ରାମଦେବଙ୍କୁ କଡ଼ା ସମାଲୋଚନା କରିଥିଲେ।

Advertisment

ଆଜି ସୁପ୍ରିମକୋର୍ଟରେ ପତଞ୍ଜଳି ମାମଲାର ଶୁଣାଣି ଥିବା ବେଳେ ଏହା ରାମଦେବଙ୍କ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଯୋଗ ଗୁରୁ ବାବା ରାମଦେବଙ୍କ ଉପରେ ଅଦାଲତ ଅବମାନନା ଆରୋପ ଲଗାଯିବ ନା ନାହିଁ ତାହା ଆଜି ସ୍ଥିର ହେବ ।

ଅନ୍ୟପକ୍ଷରେ ଏ ପ୍ରସଙ୍ଗରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)ର ବୟାନ ଆସିଛି । ଆଇଏମ୍ଏର ସଭାପତି ଡାକ୍ତର ଆର୍ ଭି ଅଶୋକନ୍ କହିଛନ୍ତି ଯେ, ବାବା ରାମଦେବ କୋଭିଡ୍-୧୯ର ଉପଚାର ଅଛି ବୋଲି ଦାବି କରିବା ସହ ଆଧୁନିକ ଔଷଧକୁ ଏକ ମୂର୍ଖାମୀ ଓ ଦେବାଳିଆ ବିଜ୍ଞାନ ବୋଲି ବଦନାମ କରିଥିଲେ । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ।

ଆଧୁନିକ ଚିକିତ୍ସା ପଦ୍ଧତିକୁ ବଦନାମ କରିବା ପାଇଁ ଅଭିଯାନ ଚଳାଇଥିବା ଅଭିଯୋଗ କରି ଆଇଏମ୍ଏ ପକ୍ଷରୁ ୨୦୨୨ରେ ପତଞ୍ଜଳିର ଦିବ୍ୟା ଫାର୍ମାସି ଓ ବାବା ରାମଦେବଙ୍କ ବିରୋଧରେ ମାମଲା ଦାୟର କରିଥିଲା । ଏହି ମାମଲାର ଶୁଣାଣି କରି ଉଭୟ ରାମଦେବ ଓ ପତଞ୍ଜଳିର ମ୍ୟାନେଜିଂ ଡାଇରେକ୍ଟର ଆଚାର୍ଯ୍ୟ ବାଳକୃଷ୍ଣ ଉପରେ ପ୍ରବଳ ବର୍ଷିଥିଲେ ସୁପ୍ରିମକୋର୍ଟ। ଏହି ମାମଲାରେ ଉଭୟ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଅଡ଼ୁଆ କମିବା ନାଁ ଧରୁନି। 

Baba Ramdev Uttarakhand Patanjali