Advertisment

ଆତଙ୍କୀଙ୍କ ଟାର୍ଗେଟ୍‌ରେ ଭାରତୀୟ ରେଲଓ୍ୱେ, ବୋମା ବିସ୍ଫୋରଣ ଧମକ

କେବଳ ସେତିକି ନୁହେଁ ଭାରତର ଗ୍ୟାସ୍‌ ଓ ପେଟ୍ରୋଲ ପାଇପ୍‌ ଲାଇନ୍‌କୁ ମଧ୍ୟ ବିସ୍ଫୋରଣ କରି ଉଡାଇ ଦେବାକୁ ଧମକ ମିଳିଛି।

author-image
Madhupriya Mistry
Farhatullah Ghori

Farhatullah Ghori

ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଭାରତୀୟ ରେଲଓ୍ୱେ। ସମଗ୍ର ଦେଶରେ ଟ୍ରେନ୍‌ରେ ବୋମା ବିସ୍ଫୋରଣ କରିବାକୁ ମିଳିଛି ଧମକ। ଖୋଲାଖୋଲି ଭାବେ ଏଭଳି କିଛି ଧମକ ଦେଇଛି ପାକିସ୍ତାନରେ ଲୁଚି ବସିଥିବା ଆତଙ୍କବାଦୀ ଫରହାତୁଲ୍ଲା ଘୋରୀ। ଏହି ଧମକର ଭିଡିଓ ସାମ୍ନାକୁ ଆସିବା ପରେ ଭାରତୀୟ ଗୁଇନ୍ଦା ବିଭାଗର ନିଦ ହଜି ଯାଇଛି। ଇଣ୍ଟେଲିଜେନ୍ସ ଏଜେନ୍ସିମାନେ ହାଇ ଆଲର୍ଟ ମୁଡ୍‌ରେ ଅଛନ୍ତି।

Advertisment

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ପାକିସ୍ତାନରେ ଥିବା ପଳାତକ ଆତଙ୍କବାଦୀ ଫରହାତୁଲ୍ଲା ଘୋରୀ ଆଇଏସ୍‌ଆଇର ସ୍ଲିପର୍‌ ସେଲ୍‌ ସହାୟତର ଭାରତର ରେଲଓ୍ୱେ ନେଟ୍‌ଓ୍ୱର୍କକୁ ଟ୍ରାକ୍‌ରୁ ଖସାଇବାକୁ ଯୋଜନା କରୁଛି। ଏନେଇ ଘୋରୀ ଏକ ଭିଡିଓ ମେସେଜ ଜାରି କରିଛି। ଏଥିରେ ପ୍ରେସର କୁକର୍‌ ବ୍ୟବହାର କରି ସାରା ଦେଶର ଟ୍ରେନ୍‌ରେ ବୋମା ବିସ୍ଫୋରଣ କରିବାକୁ ସେ ଧମକ ଦେଇଛି।

କେବଳ ସେତିକି ନୁହେଁ ଭାରତର ଗ୍ୟାସ୍‌ ଓ ପେଟ୍ରୋଲ ପାଇପ୍‌ ଲାଇନ୍‌କୁ ମଧ୍ୟ ବିସ୍ଫୋରଣ କରି ଉଡାଇ ଦେବାକୁ ଘୋରୀ ଧମକ ଦେଇଛି। ତା' ଟାର୍ଗେଟ୍‌ରେ ଅନେକ ହିନ୍ଦୁ ନେତା ଅଛନ୍ତି। ସେ କହିଛି ଯେ ଭାରତ ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ନ୍ୟାସନାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ଏନଆଇଏ) ମାଧ୍ୟମରେ ସେମାନଙ୍କ ସମ୍ପତ୍ତିକୁ ଟାର୍ଗେଟ କରି ସ୍ଲିପର୍‌ ସେଲ୍‌କୁ ଦୁର୍ବଳ କରୁଛନ୍ତି, କିନ୍ତୁ ଆମେ ଫେରିବୁ। ଆଉ ସରକାରଙ୍କୁ ଦୋହଲାଇ ଦେବୁ।

Advertisment

ଦୀର୍ଘ ଦିନ ଧରି ଭାରତୀୟ ଗୁଇନ୍ଦା ଏଜେନ୍ସିର ରାଡାର୍‌ରେ ଥିବା ଆତଙ୍କବାଦୀ ଘୋରୀର ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ପ୍ରାୟ ତିନି ସପ୍ତାହ ପୂର୍ବରୁ ଟେଲିଗ୍ରାମରେ ରିଲିଜ ହୋଇଥିବା ଗୁପ୍ତଚର ଏଜେନ୍ସି ସୂତ୍ରରୁ ଜଣାପଡିଛି।

ଫରହାତୁଲ୍ଲା ଘୋରୀ କିଏ?

ଫରହାତୁଲ୍ଲା ଘୋରୀ। ଆବୁ ସୁଫିଆନ୍, ସର୍ଦ୍ଦାର ସାହେବ ଏବଂ ଫାରୁ ନାମରେ ମଧ୍ୟ ଜଣାଶୁଣା। ସେ ଅନେକ ହାଇ-ପ୍ରୋଫାଇଲ୍ ଆକ୍ରମଣ ସହିତ ଜଡିତ। ୨୦୨୪ ମାର୍ଚ୍ଚ ୧ ତାରିଖରେ ବେଙ୍ଗାଲୁରୁର ରାମେଶ୍ୱରମ୍‌ କାଫେରେ ହୋଇଥିବା ବିସ୍ଫୋରଣର ମାମଲାର ଘୋରୀ ହେଉଛି ମୁଖ୍ୟ ଷଡ଼ଯନ୍ତ୍ରକାରୀ।

ଆଇଏସ୍‌ଆଇର ସ୍ଲିପର ସେଲ୍‌ଙ୍କ ସହାୟତାରେ କାଫେରେ ବିସ୍ଫୋରଣ କରିବା ପାଇଁ ଫରହାତୁଲ୍ଲା ଘୋରୀ ଷଡ଼ଯନ୍ତ୍ର କରିଥିଲା। ଏହି ବିସ୍ଫୋରଣରେ ପ୍ରାୟ ୧୦ ଜଣ ଆହତ ହୋଇଥିଲେ। ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତ ଗିରଫଙ୍କୁ ଗିରଫ କରିଥିଲା ପୁଲିସ। ଫରହାତୁଲ୍ଲା ଘୋରୀ ଓ ତା ଜ୍ୱାଇଁ ଶାହିଦ ଫୈଜଲର ଦକ୍ଷିଣ ଭାରତରେ ସ୍ଲିପର୍‌ ସେଲ୍‌ର ଏକ ମଜବୁତ ନେଟ୍‌ଓ୍ୱର୍କ ରହିଛି। ଫୈଜଲ ରମେଶ୍ୱରମ୍ କାଫେ ବିସ୍ଫୋରଣରେ ଉଭୟ ଅଭିଯୁକ୍ତଙ୍କ ସହ ଯୋଗାଯୋଗରେ ଥିଲା ଏବଂ ଏହି ମାମଲାର ସେ ହ୍ୟାଣ୍ଡଲର ଥିଲା।

ସେହିପରି ୨୦୦୨ ଗୁଜରାଟର ଅକ୍ଷରଧାମ ମନ୍ଦିରରେ ହୋଇଥିବା ଆକ୍ରମଣରେ ମଧ୍ୟ ଘୋରୀର ହାତ ଥିଲା। ଏଥିରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦ ଜଣ ଆହତ ହୋଇଥିଲେ। ୨୦୦୫ ମସିହାରେ ହାଇଦ୍ରାବାଦର ଟାସ୍କ ଫୋର୍ସ ଅଫିସରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ପଛରେ ମଧ୍ୟ ସେ ଥିଲା।

ISI Indian Railway Farhatullah Ghori Terror Attack Blast Threat Rameshwaram Cafe Blast Case