Advertisment

ଆମ୍ବେଦକରଙ୍କ ଫଟୋ ଲଗାକୁ ନେଇ ଫୁଟିଲା ଗୁଳି, ଟଳି ପଡ଼ିଲେ ଦଳିତ ଯୁବକ

ପୁଲିସ୍‌ ଗୁଳିରେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇ ଆସିବା ସହ ବିକ୍ଷୋଭ ପ୍ରଦର୍ଶନକୁ ଜୋରଦାର କରିଛନ୍ତି।

author-image
Niharika Rout
Tension Situation

Tension Situation

ବାବା ସାହେବ ଆମ୍ବେଦକରଙ୍କ ଫଟୋ ଲଗାକୁ ନେଇ ମୁହାଁମୁହିଁ ହେଲେ ଦୁଇ ପକ୍ଷ । ସ୍ଥିତି ଅସମ୍ଭାଳ ହେବାରୁ ଫୁଟିଲା ଗୁଳି। ଏଥିରେ ଟଳି ପଡ଼ିଲେ ଜଣେ ଦଳିତ ଯୁବକ । ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ରାମପୁରର ସିଲାଇୱାଡା ଗାଁରେ ଘଟିଛି। ଏହି ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି।

Advertisment

ପୁଲିସ୍‌ ଗୁଳିରେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇ ଆସିବା ସହ ବିକ୍ଷୋଭ ପ୍ରଦର୍ଶନକୁ ଜୋରଦାର କରିଛନ୍ତି। ଆମ୍ବେଦକରଙ୍କ ଫଟୋ ତଳେ ମୃତଦେହ ରଖି ପରିବାର ଲୋକ ଧାରଣାରେ ବସିଛନ୍ତି।

ସିଲାଇୱାଡା ଗାଁରେ ଦଳିତ ଶ୍ରେଣୀ ଲୋକେ ଆମ୍ବେଦକରଙ୍କ ନାଁରେ ଏକ ପାର୍କ କରି ସେଥିରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଚାହୁଁଥିଲେ। ମାତ୍ର ତାହା ଗାଁର ଜାଗା ହୋଇଥିବାରୁ ଏପରି କରିବାକୁ ଗାଁର ଏକ ଗୋଷ୍ଠି ବିରୋଧ କରୁଥିଲେ। ଏହି ଘଟଣାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହେବାରୁ ଘଟଣା ଉଗ୍ର ରୂପ ଧାରଣ କରିବାକୁ ଲାଗିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଠା କରି ବିଫଳ ହୋଇଥିଲ।

Advertisment

ଏହାପରେ ଭିଡ଼ ମଧ୍ୟରେ ଫାୟାରିଂ ହୋଇଥିବା ବେଳେ ଘଟଣାସ୍ଥଳରେ ଜଣେ ଦଳିତ ଯୁବକ ଟଳି ପଡ଼ିଲେ। ପୁଲିସ୍‌ ଗୁଳିରେ ଯୁବକଜଣକ ଟଳି ପଡ଼ିଥିବା ଅଭିଯୋଗ କରି ପରିବାର ଲୋକେ ଓ ଗ୍ରାମବାସୀ ଧାରଣାରେ ବସିଥିଲେ। ଅଭିଯୁକ୍ତ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ସେମାନେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଖବର ପାଇ ବରିଷ୍ଠ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାକୁ ଚେଷ୍ଠା କରିଥିଲେ। ଏହି ଘଟଣାକୁ ନେଇ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପୁଲିସ୍‌ କର୍ମୀ ଲାଠିଚାର୍ଜ କରୁଥିବାର ଦେଖିବାକୁ ମିଳୁଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ୍‌ ଲୁହବୁହା ଗ୍ୟାସ୍‌ର ପ୍ରୟୋଗ କରିଥିଲା।

ତୁରନ୍ତ ଅଭିଯୁକ୍ତ ପୁଲିସ୍‌ ଅଧିକାରୀଙ୍କୁ ଗିରଫ ସହ ମୃତକଙ୍କ ପରିବାରକୁ ଯଥାସମ୍ଭବ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେବା ପରେ ସ୍ଥିତି ଶାନ୍ତ ହୋଇଥିଲା।  ପୁଲିସ୍‌ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଯାଇଛି। 

Uttar Pradesh Deadbody Firing