Advertisment

ନାବାଳକ ଥିବା ବେଳେ ଯୁବତୀଙ୍କ ଦ୍ୱାରା ହୋଇଥିଲେ ଦୁଷ୍କର୍ମର ଶିକାର, ଏବେ ନ୍ୟାୟ ମାଗିଲେ

ଯୁବତୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିବେଦନ କରିଛନ୍ତି। ଏବେ ଅଭିଯୋଗକାରୀଙ୍କ ବୟସ ୨୨ ବର୍ଷ।

author-image
Hemant Lenka
FIR

FIR

ମାତ୍ର ୧୫ ବର୍ଷ ବୟସର ହୋଇଥିବା ବେଳେ ଦୁଷ୍କର୍ମ ଓ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଜଣେ ପୀଡ଼ିତ ଦୀର୍ଘ ୭ ବର୍ଷ ପରେ ନ୍ୟାୟ ମାଗିଛନ୍ତି। ସେ ଶିଶୁ କଲ୍ୟାଣ କମିଟି (CWC)ର ଦ୍ୱାରସ୍ଥ ହୋଇ ତାଙ୍କୁ ଦୁଷ୍କର୍ମ କରିଥିବା ଯୁବତୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିବେଦନ କରିଛନ୍ତି। ଏବେ ଅଭିଯୋଗକାରୀଙ୍କ ବୟସ ୨୨ ବର୍ଷ। ସେ ପୋକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରିବାକୁ ନିବେଦନ କରିଛନ୍ତି।

Advertisment

ତାଙ୍କ ଆବେଦନ ପରେ CWC ପୁଲିସ୍‌ ଠାରୁ ସହଯୋଗ ଲୋଡ଼ି ଘଟା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଗୁଜରାଟର ସୁରତରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। 

ଯୁବକ ଜଣଙ୍କ ସିଟି ପୁଲିସ୍‌ ନିକଟରେ ମଧ୍ୟ ଅଭିଯୋଗ କରି ଏଫଆଇଆର ରୁଜୁ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ପୁଲିସ୍‌ ତାଙ୍କ ଅଭିଯୋଗକୁ ପଞ୍ଜୀକରଣ ନ କରିବାରୁ ସେ CWCର ଦ୍ୱାରସ୍ଥ ହୋଇଛନ୍ତି। ବର୍ତ୍ତମାନ ଗୋଟିଏ ବଡ଼ ଫର୍ଣ୍ଣିଚର ଡିଜାଇନ ବ୍ରାଣ୍ଡରେ କାମ କରୁଥିବା ଯୁବକ ଜଣଙ୍କ କହିଛନ୍ତି ଯେ ତାଙ୍କ ସହ ଏପରି କାଣ୍ଡ ଘଟାଇଥିବା ଯୁବତୀ ଜଣଙ୍କ ତାଙ୍କ ଠାରୁ ୫ ବର୍ଷ ବଡ଼। ୨୦୧୫ ଡିସେମ୍ବର ମାସରେ ଗୋଟିଏ କମ୍ୟୁନିଟି କାର୍ଯ୍ୟକ୍ରମରେ ଉଭୟଙ୍କ ଦେଖା ହୋଇଥିଲା। ଏହାପରେ ଉତ୍ତର ଗୁଜରାଟର ଗୋଟିଏ ଗାଁରେ ଥିବା ଯୁବତୀଙ୍କ ଘରେ ଆୟୋଜିତ ପାରିବାରିକ କାର୍ଯ୍ୟକ୍ରମରେ ସେମାନେ ପୁଣି ପରସ୍ପକୁ ଦେଖିଥିଲେ। 

Advertisment

ଏହି ସମୟରେ ଯୁବତୀ ଜଣଙ୍କ ପୀଡ଼ିତଙ୍କ ନମ୍ବର ନେଇଥିଲେ। କିଛି ଦିନ ପରେ ସେ ତାଙ୍କୁ ଯୋଗାଯୋଗ କରିଥିଲେ ଓ ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ ସେତେବେଳେ ମାତ୍ର ୧୫ ବର୍ଷ ବୟସର ହୋଇଥିବା ପୀଡ଼ିତ ଜଣଙ୍କ ଏହାକୁ ମନା କରି ଦେଇଥିଲେ। କିନ୍ତୁ ଯୁବତୀ ଜଣଙ୍କ ତାଙ୍କୁ ବିବାହ ବୟସ ହେବା ଯାଏ ଅପେକ୍ଷା କରିବେ ବୋଲି କହିଥିଲେ।

ହେଲେ ବାହାଘର ହେବା ଯାଏ ଯୁବତୀ ଜଣଙ୍କ ତାଙ୍କ ସହ ପ୍ରେମ ସମ୍ପର୍କରେ ରହିବାକୁ ଚାହୁଁଥିବା କହିଥିଲେ। ଏଥିରେ ପୀଡ଼ିତ ଜଣଙ୍କ ରାଜି ହୋଇଯାଇଥିଲେ। ଏହାପରେ ଉଭୟ ସୁରତ ଓ ଅହମଦାବାଦ ସମେତ ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିଲେ। ତେବେ ଯୁବତୀ ଜଣଙ୍କ ସାବାଳିକା ହୋଇଥିବାରୁ ବୁଲାବୁଲି କରିବାକୁ ଯିବା ବେଳେ ସହରରେ ଥିବା ହୋଟେଲରେ ରୁମ ବୁକ କରିବାକୁ ସକ୍ଷମ ହେଉଥିଲେ। ସେଠାକୁ ଉଭୟ ଯାଉଥିଲେ ଓ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ।

ଅଭିଯୋଗକାରୀଙ୍କ ଓକିଲ ଅରବିନ୍ଦ ଖୁଣ୍ଟ କହିଛନ୍ତି, “ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀ ଜଣଙ୍କ ନାବାଳକଙ୍କୁ ନର୍ସିଂ ପାଠପଢ଼ା ପାଇଁ ଟଙ୍କା ମାଗିଥିଲେ। ଗୋଟିଏ ସରକାରୀ ଚାକିରି ପାଇଁ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ। ସବୁ କିଛି ଚାଲିଥିବା ବେଳେ ୬ ମାସ ତଳେ ହଠାତ୍‌ ଯୁବତୀ ଜଣଙ୍କ ଆଉ ଜଣଙ୍କୁ ବିବାହ କରି ନେଇଛନ୍ତି। ଏହାପରେ ସେ ଜାଣିଶୁଣି ଟଙ୍କା ହାତେଇବା ଲକ୍ଷ୍ୟ ନେଇ ସବୁ କିଛି ଯୋଜନାବଦ୍ଧ ଭାବେ କରିଥିବା ପୀଡ଼ିତଙ୍କୁ କହିଛନ୍ତି। ଆବେଦନକୁ ଆଧାର କରି CWC ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରିଛି ଓ ପୁଲିସ୍‌କୁ ଅଧିକ ତଥ୍ୟ ମାଗିଛି।”

CWCର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ପ୍ରକାଶ କାକାଡିୟା କହିଛନ୍ତି, “ଆମେ ପୁଲିସ୍‌କୁ ପୂରା ମାମଲା ସମ୍ପର୍କରେ ତଥ୍ୟ ମାଗିଛୁ। ଏହାପରେ ଅଭିଯୋଗକୁ ପଞ୍ଜୀକରଣ କରାଯିବ କି ନାହିଁ, ତା’ର ବିଚାର କରାଯିବ। ଅଭିଯୋଗକାରୀଙ୍କୁ ପୂରା ଅପରାଧ ସମ୍ପର୍କରେ ଆମେ ଶୁଣିଛୁ। ଏବେ ବି ତାଙ୍କ ପାଖକୁ ଧମକ ଆସୁଥିବା ମଧ୍ୟ ସେ କହିଛନ୍ତି।”

Gujarat Stop Rape